ସୁପ୍ରିମ୍କୋର୍ଟରେ ଆଉ ୨ ଜଜ୍
ପୂରଣ ହେଲା ସମସ୍ତ ୩୪ ପଦ
ନୂଆଦିଲ୍ଲୀ, ୧ଠା୨: ସର୍ବୋଚ୍ଚ ଅଦାଲତର ବିଚାରପତି ରୂପେ ନ୍ୟାୟମୂର୍ତ୍ତି ରାଜେଶ ବିନ୍ଦଲ ଓ ନ୍ୟାୟମୂର୍ତ୍ତି ଅରବିନ୍ଦ କୁମାରଙ୍କ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛନ୍ତି । ଏହାସହିତ ସୁପ୍ରିମ୍କୋର୍ଟରେ ବିଚାରପତି ସଂଖ୍ୟା ୩୪ ହୋଇଛି । ନ୍ୟାୟମୂର୍ତ୍ତି ବିନ୍ଦଲ ଓ ନ୍ୟାୟମୂର୍ତ୍ତି କୁମାର ଯଥାକ୍ରମେ ଏହ୍ଲାବାଦ ଓ ଗୁଜରାଟ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ।
ଶୁକ୍ରବାର ସକାଳେ ଆଇନମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ୍ କରି ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ଦୁଇ ନୂଆ ଜଜ୍ ନିଯୁକ୍ତ ହୋଇଥିବା ସୂଚନା ଦେବା ସହ ଜଷ୍ଟିସ୍ ବିନ୍ଦଲ ଓ ଜଷ୍ଟିସ୍ କୁମାରଙ୍କୁ ଶୁଭକାମନା ଜଣାଇଥିଲେ ।
ଜଷ୍ଟିସ୍ ବିନ୍ଦଲ ହାଇକୋର୍ଟ ଜଜ୍ମାନଙ୍କ ସର୍ବଭାରତୀୟ ବରିଷ୍ଠତା ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ନିଯୁକ୍ତି ସମ୍ବନ୍ଧୀୟ ସୁପାରିସରେ କଲିଜିୟମ ପକ୍ଷରୁ କୁହାଯାଇଛି ଯେ ସୁପ୍ରିମ୍କୋର୍ଟରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ନାହିଁ । ଜଷ୍ଟିସ୍ ବିନ୍ଦଲ ମୂଳତଃ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି । ଏବେ ସେ ଏହ୍ଲାବାଦ୍ ହାଇକୋର୍ଟରେ ପ୍ରଧାନ ବିଚାରପତିଭାବେ କାର୍ଯ୍ୟରତ । କର୍ଣ୍ଣାଟକ ହାଇକୋର୍ଟ ସହ ସମ୍ବନ୍ଧିତ ଜଷ୍ଟିସ୍ କୁମାର ସର୍ବଭାରତୀୟ ବରିଷ୍ଠତା ସୂଚୀର ୨୬ ନମ୍ବର ସ୍ଥାନରେ ଅଛନ୍ତି । ୨୦୨୨ ଡିସେମ୍ବରରେ କଲିଜିୟମ ଦେଇଥିବା ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ଫେବ୍ରୁଆରୀ ୪ରେ ସୁପ୍ରିମ୍କୋର୍ଟରେ ୫ ଜଣ ଜଜ୍ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିଲେ ।