ଜମ୍ମୁରେ ଲିଥିଅମ୍ର ବିଶାଳ ଭଣ୍ଡାର

ନୂଆଦିଲ୍ଲୀ, ୧ଠା୨: ଜମ୍ମୁ-କାଶ୍ମୀରରେ ଦେଶର ପ୍ରଥମ ଲିଥିଅମ୍ ଖଣି ଠାବ କରାଯାଇଛି । ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ଜମ୍ମୁ କ୍ଷେତ୍ର ଅନ୍ତର୍ଗତ ରିୟାସୀ ଜିଲ୍ଲାର ସଲାଲ-ହୈମାନା ଇଲାକାରେ ପ୍ରାୟ ୫୯ ଲକ୍ଷ ଟନ୍ର ଲିଥିଅମ୍ ଭଣ୍ଡାର ମହଜୁଦ ଅଛି । ଜମ୍ମୁ-କାଶ୍ମୀର ଓ ଲଦାଖରେ ମାଗ୍ନେସାଇଟ୍, ସାଫାୟର, ଜିପ୍ସମ୍, ମାର୍ବଲ, ଗ୍ରାନାଇଟ୍, ବକ୍ସାଇଟ୍, କୋଇଲା, ଲିଗ୍ନାଇଟ୍, କ୍ୱାର୍ଟଜାଇଟ୍, ବୋରେକ୍ସ, ଡୋଲମାଇଟ୍, ଚୀନା ମାଟି, ଗ୍ରାଫାଇଟ୍ ଓ ଚୁନ ପଥର ଖଣିର ମଧ୍ୟ ସନ୍ଧାନ ମିଳିଛି ।
ଏହାଛଡା ଅନ୍ୟ ୧୦ ରାଜ୍ୟ ଯଥା- ଓଡିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଗୁଜରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନାରେ ସୁନା ଓ ଅନ୍ୟାନ୍ୟ ଖଣିଜଦ୍ରବ୍ୟ ମହଜୁଦ ଥିବା ଜଣାଯାଇଛି । ୬୨ତମ କେନ୍ଦ୍ରୀୟ ଭୂ-ବୈଜ୍ଞାନିକ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକରେ ଲିଥିଅମ୍, ସୁନା, ପଟାସ, ବେସ୍ ମେଟାଲ ଆଦିର ୫୧ ଖଣିଜ ବ୍ଲକ୍ ସମ୍ବନ୍ଧୀୟ ଏକ ରିପୋର୍ଟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଦିଆଯାଇଛି । ଏଥିରେ ୫ଟି ନୂଆ ସୁନା ଖଣି ଅନ୍ତର୍ଭୁକ୍ତ ।
ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି, ଭାରତରେ ଲିଥିଅମ୍ର ପ୍ରକାଣ୍ଡ ଖଣି ଠାବ କରାଯିବା ଏକ ବିଶିଷ୍ଟ ଘଟଣା । ଏହାଦ୍ୱାରା ଚୀନ୍ ଓ ଅଷ୍ଟ୍ରେଲିଆର ଏକାଧିପତ୍ୟ ଦୂର ହେବା ସହ ଭାରତର ଏକ ବଡ ସମସ୍ୟାର ସମାଧାନ ହୋଇପାରିବ । ଏବେ ଭାରତ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାରୁ ଲିଥିଅମ୍ ଆମଦାନୀ କରୁଛି । ଆଗାମୀ ଦିନରେ ଦେଶରେ ଲିଥିଅମ୍ ଉତ୍ପାଦିତ ହେଲେ ବିପୁଳ ବୈଦେଶିକ ମୁଦ୍ରା ସଂଚୟ ସହ ବ୍ୟାଟେରୀ ଚାଳିତ ଯାନ ଶସ୍ତାରେ ଉପଲବ୍ଧ ହେବ । ଲାପ୍ଟପ୍, ମୋବାଇଲ୍ ଫୋନ୍, ପାୱାର ବ୍ୟାଙ୍କ୍, ଇଲେକ୍ଟ୍ରିକ୍ କାର୍ ଆଦି ବ୍ୟାଟେରୀ ନିର୍ମାଣରେ ଲିଥିଅମ୍ର ଉପଯୋଗ କରାଯାଇଥାଏ । ତା ଛଡା ବିଭିନ୍ନ ରୋଗ ଚିକିତ୍ସାରେ ମଧ୍ୟ ଲିଥିଅମ୍ ଦରକାର ହୁଏ । ଦେଶକୁ ଆତ୍ମନିର୍ଭର କରିବାରେ ଲିଥିଅମ୍ ଖଣି ବିଶେଷ ସହାୟକ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *