ତୁର୍କୀରେ ପୁଣି ଶକ୍ତିଶାଳୀ ଭୂକମ୍ପ ଚେତାବନୀ
ମସ୍କୋ/ଅଙ୍କାରା,୧ଠା୨: ତୁର୍କୀରେ ଖୁବ୍ଶୀଘ୍ର ୭ ବା ତା’ଠାରୁ ଅଧିକ ତୀବ୍ରତାର ଭୂକମ୍ପ ଆସିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ସିସ୍ମୋଲଜିଷ୍ଟ୍ ଡୋଗନ୍ ପେରିନେକ୍ ଏକ ରୁଷୀୟ ନୁ୍ୟଜ୍ ଏଜେନ୍ସି ମାଧ୍ୟମରେ ଏକଥା ଜଣାଇଛନ୍ତି । ସେ କହିଛନ୍ତି, ସମ୍ଭାବ୍ୟ ଭୂକମ୍ପ ଯେକୌଣସି ସମୟରେ ଆସିପାରେ । ବିଶେଷକରି ତୁର୍କୀର ପଶ୍ଚିମବର୍ତ୍ତୀ ବନ୍ଦରନଗରୀ କୈନାକାଲେ ନିକଟରେ ଏହା ସଂଘଟିତ ହେବ । ବେଶ୍ କିଛିଦିନ ହେଲା ସେଠାରେ ସିସ୍ମିକ୍ ତରଙ୍ଗରେ ହଲ୍ଚଲ୍ ବଢିଛି ।ଉଲ୍ଲେଖଯୋଗ୍ୟ ଯେ କୈନାକାଲେ ଇଲାକାରେ ପ୍ରତି ଅଢେଇ ଶହ ବର୍ଷରେ ଅତିଶକ୍ତିଶାଳୀ ଭୂକମ୍ପ ହୋଇଥାଏ । ୨୮୭ ବର୍ଷ ହେଲା ସେଠାରେ ବଡ ଭୂକମ୍ପ ହୋଇନାହିଁ ।
ଶୁକ୍ରବାର ତୁର୍କୀର ମାଲଟ୍ୟା ଇଲାକାରେ ୪.୬ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି ।
ସୋମବାରର କ୍ରମାଗତ ଦୁଇଟି ଅତିଶକ୍ତିଶାଳୀ ଭୂକମ୍ପରେ ତୁର୍କୀ ଓ ସିରିଆରେ ମୃତୁ୍ୟ ସଂଖ୍ୟା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୨ ହଜାର ୭୬୫କୁ ବୃଦ୍ଧି ପାଇଛି । ଭାରତରୁ ଯାଇଥିବା ଏନ୍ଡିଆର୍ଏଫ୍ ଟିମ୍ ତୁର୍କୀର ନୂରଦାଗୀ ସହରରେ ଏକ ୬ ବର୍ଷ ବୟସର ଶିଶୁକୁ ଶୁକ୍ରବାର ସୁରକ୍ଷିତଭାବେ ଉଦ୍ଧାର କରିଛନ୍ତି ।