ଭାରତୀୟ ନିବେଶକଙ୍କୁ ସୁରକ୍ଷା ଦିଅ
ଅଦାନୀ-ହିଣ୍ଡେନ୍ବର୍ଗ ବିବାଦ: ଏକ୍ସପର୍ଟ ପ୍ୟାନେଲ୍ଙ୍କୁ ସୁପ୍ରିମ୍ ପରାମର୍ଶ
ନୂଆଦିଲ୍ଲୀ (ଏଜେନ୍ସି): ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ରିପୋର୍ଟ ତଥା ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଜଷ୍ଟିସ୍ ଜେବି ପାରଦିୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ତେବେ ଖଣ୍ଡପୀଠ ଏହି ମାମଲାର ପ୍ରଥମ ଶୁଣାଣି କାଳରେ ଭାରତୀୟ ନିବେଶକଙ୍କୁ ଆର୍ଥିକ କ୍ଷତିରୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏବଂ ବଜାର ନିୟନ୍ତ୍ରକ ସିକୁ୍ୟରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି)କୁ ପରାମର୍ଶ ଦେଇଛନ୍ତି । ଭବିଷ୍ୟତରେ ମଧ୍ୟ ଏପ୍ରକାର ସ୍ଥିତିରେ ନିବେଶକଙ୍କ ସୁୂରକ୍ଷା ପାଇଁ କେଉଁ ଉପାୟ ଗ୍ରହଣ କରାଯାଇପାରିବ ସେସମ୍ପର୍କରେ ମଧ୍ୟ ଏକ ବିସ୍ତୃତ ପ୍ରସ୍ତାବ ଦେବାକୁ ମଧ୍ୟ ଖଣ୍ଡପୀଠ ଉଭୟ କେନ୍ଦ୍ର ସରକାର ଏବଂ ସେବିକୁୂ କହିଛନ୍ତି । ଅଦାନୀ ଗ୍ରୁପ୍ର ଷ୍ଟକ୍ ମୂଲ୍ୟ ହ୍ରାସ ପରିପ୍ରେକ୍ଷୀରେ ଭାରତୀୟ ପୁଞ୍ଜିବଜାରରେ ନିବେଶକଙ୍କୁ ଭାରିମାତ୍ରାରେ କ୍ଷତି ହେବାର ଆଶଙ୍କା ପରିପ୍ରେକ୍ଷୀରେ ଦାୟର କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତୀତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବା ନେଇ ଖଣ୍ଡପୀଠ ତାରିଖ ମଧ୍ୟ ନିର୍ଘଣ୍ଟ କରିଛନ୍ତି । ଅନ୍ୟପକ୍ଷେ ହିଣ୍ଡେନ୍ବର୍ଗଙ୍କ ବିରୋଧରେ ଅଦାନୀ ଗ୍ରୁପ୍ ନିଜ ଲଢ଼େଇ ଅଭିଯାନକୁ ଜୋରଦାର କରିଥିବା ସୂଚନା ମିଳିଛି । ଏହିକ୍ରମେ ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ ଆଇନଗତ ପଦକ୍ଷେପ ଗ୍ରହଣ ପୂର୍ବକ ଏକ ପ୍ରଖ୍ୟାତ ଆମେରିକୀୟ ଲ’ ଫାର୍ମକୁ ହାୟର କରିଥିବା ଜଣାପଡିଛି । ଅର୍ଥାତ୍ ଏହି ଲ’ ଫାର୍ମ ହିଁ ଅଦାନୀ ଗ୍ରୁପ୍ ପକ୍ଷରୁ ଏଣିକି ମାମଲା ପରିଚାଳନା କରିବ । ପ୍ରକାଶ, ସର୍ଟ ସେଲର କମ୍ପାନୀ ହିଣ୍ଡେନ୍ବର୍ଗ ଯୋଗୁ ହୋଇଥିବା ବିପୁଳ କ୍ଷତି ଲାଗି ଅଦାନୀ ଗ୍ରୁପ୍ ଏବେ ହିଣ୍ଡେନ୍ବର୍ଗ ବିରୋଧରେ ନ୍ୟାୟପାଳିକାଙ୍କ ଦ୍ୱାରସ୍ଥ ହୋଇଛି । ଫାଇନାନ୍ସିଆଲ୍ ଟାଇମ୍ ରିପୋର୍ଟ ଅନୁସାରେ ହିଣ୍ଡେନବର୍ଗକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଅଦାନୀ ଗ୍ରୁପ୍ ଆମେରିକା ୱାଲଷ୍ଟି୍ରଟ୍ର ଅନ୍ୟତମ ବୃହତ୍ ଲିଗାଲ ଫାର୍ମ ‘ୱାଚ୍ଟେଲ୍’ ସହ ଅନୁବନ୍ଧିତ ହୋଇଛି । ଏହା ବେଶ୍ ପ୍ରଶିଦ୍ଧ ଓ ବିବାଦୀୟ ମାମଲାରେ ଆଇନଗତ ଲଢେଇ ପାଇଁ ଚର୍ଚ୍ଚାରେ ରହିଥାଏ ।
ଆଡଭୋକେଟ୍ ଏମଏଲ୍ ଶର୍ମା ଏବଂ ବିଶାଳ ତିୱାରୀଙ୍କ ପକ୍ଷରୁ ଦାୟର ଏହି ପିଟିସନ୍ ଉପରେ ଶୁଣାଣି କାଳରେ ସେବି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ମାମଲା ପରିଚାଳନା କରିଥିଲେ । ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ହିଣ୍ଡେନ୍ବର୍ଗ ପୁଞ୍ଜି ବଜାରରେ ସେୟାରଗୁଡ଼ିକୁ ସର୍ଟ ସେଲ୍ କରିବା ଯୋଗୁ ନିବେଶକଙ୍କୁ ଭାରି ମାତ୍ରାରେ କ୍ଷତି ହୋଇଛି । କିନ୍ତୁ ଅଦାନୀ ଗ୍ରୁପ୍ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ସେବି ସମ୍ମୁଖରେ ହିଣ୍ଡେନ୍ବର୍ଗ ଦାଖଲ କରିପାରିନାହିଁ । ସୁତରାଂ ଏହି ମାମଲାରେ ହିଣ୍ଡେନ୍ବର୍ଗ ରିପୋର୍ଟ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍ । ପ୍ରକାଶ, ହିଣ୍ଡେନ୍ବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍ ଉପରେ ଅନେକ ପ୍ରଶ୍ନ ଛିଡା କରିଥିଲା । ଏହାକୁ ନେଇ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ଝଡ ସୃଷ୍ଟି ହୋଇଥିଲା । ଅଦାନୀ ଗ୍ରୁପ୍ର ସେୟାର ମୂଲ୍ୟ ହଠାତ୍ ହ୍ରାସ ପାଇଥିଲା । ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ର ମୁଖ୍ୟ ଗୌତମ ଅଦାନୀଙ୍କ ସମ୍ପତ୍ତି ପରିମାଣ ୧୨୭ ବିଲିୟନ ଡଲାରରୁ ୬୩ ବିଲିୟନ ଡଲାରକୁ ହ୍ରାସ ପାଇଛି ।