ପୁଣି ହାତୀ ଶିକାର
ହାଇକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମୁନି ହାତୀ ହତ୍ୟା
ବାରିପଦା, ୯ା୨ (ଆପ୍ର): ହାତୀ ସୁରକ୍ଷା ପାଇଁ ୧୦ ସୁତ୍ରୀ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (ସିସିଏଫ୍) ସତ୍ୟପାଠ ମାଧ୍ୟମରେ ଜାନୁଆରୀ ୧୮ ତାରିଖ ଦିନ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ଉକ୍ତ ଯୋଜନା ଦୁଇ ସପ୍ତାହ ମଧ୍ୟରେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଥିଲେ । ତା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ହାତୀ ଶିକାର ବନ୍ଦ୍ ହୋଇନାହିଁ । ଦିନକୁ ଦିନ ଶିକାରୀଙ୍କ ହାତୀ ଓ ବାଘ ଶିକାରର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀକୁ ଶିକାର କରି ଦୁର୍ବୃତ୍ତମାନେ ଦାନ୍ତ କାଟି ନେଇଥିବା ଗୁରୁବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପିଠାବଟା ରେଞ୍ଜ ଅନ୍ତର୍ଗତ ବାଲିଖାଲ ସେକ୍ସନର ଗୋପୀନାଥପୁର ବିଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ବନବିଭାଗ କର୍ମଚାରୀଙ୍କ ପାଟ୍ରୋଲିଂ ଜାରି ଥିବାବେଳେ ଗୋପୀନାଥପୁର ବିଟ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମ ନିକଟରେ ମଙ୍ଗଳବାର ଭୋର ୪ଟା ୪୫ ମିନିଟ୍ ସମୟରେ ହାତୀର ମୃତଦେହ ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ହାତୀ ଶିକାର ହୋଇଥିବା ନେଇ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ବନବିଭାଗ ପକ୍ଷରୁ ଯାଞ୍ଚ କରିବା ସହ ବୁଧବାର ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ୨ଜଣ ଟାସ୍କ ଫୋର୍ସ ସଦସ୍ୟ, ୩ଜଣ ପ୍ରାଣୀ ଚିକିତ୍ସକ, ଅବୋଉତ୍ନିକ ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଶିକାରୀମାନେ ହାତୀକୁ ଶିକାର ପରେ ତାର ଶୁଣ୍ଢ କାଟି ୨ଟି ଦାନ୍ତ ନେଇଯାଇଛନ୍ତି । ହାତୀଟିର ବୟସ ପାଖାପାଖି ୭ରୁ ୮ ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପ୍ରାଣୀ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଜୁଡ଼ିସିଆଲ୍ ଟିମ୍ଙ୍କ ଉପସ୍ଥିତିରେ ଏହାର ବ୍ୟବଚ୍ଛେଦ କରାଯାଇଛି । ମୃତ ହାତୀର ନମୁନା ସଂଗ୍ରହ କରିବା ସହ ଅଧିକ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି । ଉକ୍ତ ହାତୀ ୩/୪ ଦିନ ତଳେ ଶିକାର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶର ଶିକାରୀ ଘଟଣାରେ ଜଡ଼ିତ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଶୀଘ୍ର ଏହି ଶିକାରୀ ରାକେଟକୁ ଧରିବାକୁ କର୍ତ୍ତୃପକ୍ଷ ସକ୍ଷମ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନର ଉପ ନିଦେ୍ର୍ଦଶକ ସମ୍ରାଟ ଗୌଡ଼ା କହିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଶିକାରୀଙ୍କ ଚରାଭୂଇଁ ପାଳିଟିଛି । ବର୍ତ୍ତମାନ ସମୟରେ କହିବାକୁ ଗଲେ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକାର ଅସୁରକ୍ଷିତ ହୋଇପଡ଼ିଛି । ଶିମିଳିପାଳର ସୁରକ୍ଷା ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିକାରୀମାନେ ନିଜ କବଜାରେ ରଖିଛନ୍ତି । ଯାହା ଉଦାହରଣ ହେଉଛି ହାତୀ ଶିକାର ଘଟଣା । ନିର୍ଭୟରେ ଶିକାରୀମାନେ ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର କରିବାରେ ସଫଳ ହେଉଛନ୍ତି । ଶିକାରୀକୁ ରୋକିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ହେଉଥିବା ପାଟ୍ରୋଲିଂ ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।