ଏକ୍ ଅକେଲା…ସବ୍ ପେ’ ଭାରୀ

ରାଜ୍ୟସଭାରେ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ
ଯେତେ କାଦୁଅ ଫିଙ୍ଗିବ, ସେତେ ଅଧିକ ପଦ୍ମ ଫୁଟିବ
ନେହରୁ ସାଙ୍ଗିଆ ବ୍ୟବହାର କରିବାକୁ ଲାଜ ଲାଗୁଛି ନା ଭୟ
୯ଠ ଥର ଧାରା ୩୫୬ର ଅପବ୍ୟବହାର କରିଛି କଂଗ୍ରେସ
ନୂଆଦିଲ୍ଲୀ (ଏଜେନ୍ସି): ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ରିପୋର୍ଟ ତଥା ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ର କେଳେଙ୍କାରୀକୁ ନେଇ ଗତ କିଛି ଦିନ ଧରି ସଂସଦର ଉଭୟ ଗୃହରେ ଚାଲିଥିବା ହୋହଲ୍ଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ରଖିଛନ୍ତି । ଏହି ଅବସରରେ ମୋଦି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ପ୍ରାୟ ୯ଠ ମିନିଟ୍ କାଳ ମୋଦି ନିଜ ଭାଷଣ ଗୃହ ସମ୍ମୁଖରେ ରଖିଥିଲେ । ତେବେ ଏହି ସମୟରେ ବିରୋଧୀ ଦଳ ବିଶେଷକରି କଂଗ୍ରେସ ନେତାମାନେ ଗୃହରେ ନାରାବାଜି କରିବା ସହ ପ୍ରବଳ ହୋହଲ୍ଲା କରିବା ଦେଖିବାକୁ ମିଳିଛି । ଗୁରୁବାର ଗୃହରେ ମୋଦି ନିଜ ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ନେତାମାନେ ଏପ୍ରକାର ବିଶୃଙ୍ଖଳାପୂର୍ଣ୍ଣ ଆଚରଣ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ ଏବଂ ମୋଦିଙ୍କ ଭାଷଣ ଅବଧି ଶେଷ ହେବା ପର୍ଯ୍ୟନ୍ତ ବିରୋଧୀ ଏହାକୁ ଜାରି ରଖିଥିଲେ । ବିରୋଧୀଙ୍କ ଏପ୍ରକାର ଆଚରଣ ଉପରେ କଡ଼ା ପ୍ରତିକ୍ରିୟା ରଖି ମୋଦି କହିଛନ୍ତି, ଏକ ଅକେଲା..ସବ୍ ପେ ଭାରୀ । ଆଜି ସମଗ୍ର ଦେଶ ଦେଖୁଛି ଜଣେ ମଣିଷ କେତେ ଲୋକଙ୍କ ଉପରେ ଭାରି ପଡ଼ୁଛି । ନାରାବାଜି କରିବା ପାଇଁ ମଧ୍ୟ ବିରୋଧୀଙ୍କୁ ନିଜ ଲୋକଙ୍କୁ ବଦଳାଇବାକୁ ପଡ଼ୁଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସେ (ନିଜେ ମୋଦି) ଦେଢ଼ ଘଣ୍ଟା କାଳ ନିଜ ଭାଷଣ ରଖିଲେ । ବିରୋଧୀ ନେତାମାନେ କିନ୍ତୁ ଥକିପଡିଥିଲେ ଫଳରେ ସେମାନେ ପର୍ଯ୍ୟାୟ ପର୍ଯ୍ୟାୟରେ ନାରାବାଜି, ହୋହଲ୍ଲା କରିଥିଲେ । ବିରୋଧୀଙ୍କ ମଧ୍ୟରେ ସାହସ ନାହିଁ, ସେମାନେ କେବଳ ଖସିଯିବାକୁ ବାଟ ଖୋଜୁଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି, କଂଗ୍ରେସର ୬ଠ ବର୍ଷର ଶାସନ ଇତିହାସରେ ୯ଠ ଥର ସମ୍ବିଧାନର ଧାରା ୩୫୬ର ଅପବ୍ୟବହାର ହୋଇଥିବା ଉଲ୍ଲେଖ କରିଛନ୍ତି । ମୋଦି କହିଛନ୍ତି ଏହି ୯ଠ ଥର ମଧ୍ୟରୁ କେବଳ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ୫ଠ ଥର କେନ୍ଦ୍ରର ଏହି କ୍ଷମତାପୂର୍ଣ୍ଣ ଧାରା ୩୫୬ର ଅପବ୍ୟବହାର କରାଯାଇଛି ।
ସେହିପରି ସରକାରୀ ଯୋଜନାର ନାମ ପରିବର୍ତ୍ତନ କରାଯିବା ଏବଂ ନେହରୁଙ୍କ ନାମରେ ରଖାନଯିବାକୁ ନେଇ ବିରୋଧୀ ଦଳର ନେତାମାନେ ବେଶ୍ ଉତ୍ତେଜନାପ୍ରବଣ ହୋଇପଡୁୂଛନ୍ତି । ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଉଛନ୍ତି । ଯଦି ନେହରୁ ସେମାନଙ୍କ ପାଇଁ ଏତେ ପ୍ରିୟ ଥିଲେ ଏବଂ ନେହରୁ ସାଙ୍ଗ୍ୟା ଯଦି ସେମାନେ ସରକାରୀ ଯୋଜନାରେ ଖୋଜୁଛନ୍ତି ତେବେ ଗାନ୍ଧୀ ପରିବାରର କୌଣସି ସଦସ୍ୟ କାହିଁକି ନିଜ ନାମ ସହ ଗାନ୍ଧୀ ସାଙ୍ଗ୍ୟା ବଦଳରେ ନେହରୁ ସାଙ୍ଗ୍ୟା ଲଗାଉନାହାନ୍ତି । କାହିଁକି ସେମାନେ ନିଜ ନାମ ସହ ନେହରୁ ସାଙ୍ଗିଆ ଲଗାଇବା ପାଇଁ ଭୟଭୀତ ହେଉଛନ୍ତି? ଏତେ ବଡ଼ ତଥା ମହାନ୍ ବ୍ୟକ୍ତିତ୍ୱଙ୍କ ସାଙ୍ଗ୍ୟା ରଖିବାରେ ଯଦି ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଲାଜ ଲାଗୁଛି ।
ମୋଦି କହିଛନ୍ତି, ଦେଶ କୌଣସି ଏକ ପରିବାରର ଜାଗିର ନୁହେଁ । ଏହା ଏକ ଚିରନ୍ତନ ସତ୍ୟ, ଏହି ସତ୍ୟକୁ କିଛି ଲୋକ ଯେତେ ଶୀଘ୍ର ଭଲଭାବେ ବୁଝିଯିବେ ସେମାନଙ୍କ ପାଇଁ ମଙ୍ଗଳଦାୟୀ ହେବ । ଏତଦ୍ବ୍ୟତୀତ ବିରୋଧୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ମୋଦି କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ । ବିଜେପି ପ୍ରତି ବିରୋଧୀଙ୍କ ସମାଲୋଚନା, କଟାକ୍ଷ, ଅଭିଯୋଗ ସବୁ ବିଜେପି ପାଇଁ ଲାଭଦାୟୀ ସାବ୍ୟସ୍ତ ହୋଇଆସୁଛି । କିନ୍ତୁ ବିରୋଧୀ ଦଳ ଏହାକୁ ବୁଝିବାକୁ ହିଁ ପ୍ରସ୍ତୁତ ନୁହଁନ୍ତି । ଯେତେ ଯେତେ ବିଜେପିକୁ ସେମାନେ କଟାକ୍ଷ କରିବେ ଦେଶବାସୀଙ୍କ ମଧ୍ୟରେ ସେମାନଙ୍କ ପାଇଁ ଆହୁରି ଘୃଣା ବୃଦ୍ଧି ପାଇବ । ଦୀର୍ଘ ୬ଠ ବର୍ଷ ଅର୍ଥାତ୍ ୬ ଦଶନ୍ଧିର ସମୟକୁ କଂଗ୍ରେସ ନିଜ କଳୁଷିତ ରାଜନୀତି ପାଇଁ ଖରାପ କରିଦେଇଛି । ଏହି ସମୟ ଦେଶର ବିକାଶ ପାଇଁ ଖର୍ଚ୍ଚ କରିଥିଲେ ଦେଶର ନକ୍ସା ହିଁ ବଦଳିଯାଇଥାନ୍ତା । ଦେଶବାସୀ କଂଗ୍ରେସକୁ ବେଶ୍ ଭଲଭାବେ ବୁଝିସାରିଛନ୍ତି । ସେଥିପାଇଁ କଂଗ୍ରେସକୁ ଦେଶବାସୀ ପ୍ରତ୍ୟେକ ଥର ପ୍ରତ୍ୟାଖାନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ କଂଗ୍ରେସର ସଦ୍ବୁଦ୍ଧି ଏବେସୁଦ୍ଧା ଜାଗ୍ରତ ହୋଇପାରୁନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *