ଆଜି ଆସିବେ ରାଷ୍ଟ୍ରପତି

ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ
ଭୁବନେଶ୍ୱର/କଟକ, ୯ା୨(ବୁ୍ୟରୋ): ଆସନ୍ତାକାଲି ଦୁଇ ଦିନିଆ ଗସ୍ତରେ ଓଡିଆ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି । ଗସ୍ତ ପୂର୍ବରୁ ଗୁରୁବାର ବିମାନ ବନ୍ଦରୁ ରାଜଭାବନ ପର୍ଯ୍ୟନ୍ତ କାରକେଡ୍ ରିହର୍ସଲ କରାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ଲୁ-ବୁକ୍ ଏବଂ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ଭୁବନେଶ୍ୱ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ଡିସିପି କହିଛନ୍ତି ଯେ ଗୁରୁବାର ଫୁଲ ରିହର୍ସଲ୍ ସହିତ କାରକେଡ୍ ରିହର୍ସଲ ସରିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ର୍ୟାଙ୍କ ଅଫିସର୍ଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୧୪ ଜଣ ଅତିରିକ୍ତ ର୍ୟାଙ୍କ ଅଫିସର୍, ୩୫ ଏସିପି ର୍ୟାଙ୍କ ଅଫିସର୍, ୪୭ ଜଣ ଇନ୍ସପେକ୍ଟର ର୍ୟାଙ୍କ ଅଫିସର, ୧୮୮ ଏସ୍ଆଇ ଓ ଏଏସ୍ଆଇ ର୍ୟାଙ୍କ ଅଫିସର ସହ ୫୦ ହୋମଗାର୍ଡ ସମେତ ମୋଟ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷା ପାଇଁ ରହିବେ । ରୁଟ୍ ଲାଇନିଂ, ନାଇଟ୍ ଗାର୍ଡ, ଚୋପର୍ ଗାର୍ଡ ଓ ରୁଫ୍ ଟଫ୍ରେ ମୁତୟନ ରହିବେ । ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିବା ବେଳେ ଏଣ୍ଟ୍ରି ଓ ଏକ୍ଜିଟ୍ ପଏଣ୍ଟ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି ।
ରାଷ୍ଟ୍ରପତିଙ୍କ କାରକେଡ୍ ଇନଚାର୍ଜ ରହିବେ ଜଣେ ଏସ୍ପି ର୍ୟାଙ୍କ ଅଫିସର । ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ୧୦ ତାରିଖ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱର ବିମାନନ ବନ୍ଦରରେ ପହଞ୍ଚିବେ । ଏହାପରେ ବିମାନ ବନ୍ଦରରୁ ସିଧାସଳଖ ଭୁବନେଶ୍ୱର ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୪ଟାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ପରଦିନ ଅର୍ଥାତ ୧୧ ତାରିଖରେ ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ କଟକ ଠାରେ ଦେଶର ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *