ଆଜିଠୁ ସତ୍ୟବାଦୀ ମହୋତ୍ସବ
ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ
ସାକ୍ଷୀଗୋପାଳ (ଆପ୍ର): ସାକ୍ଷୀଗୋପାଳ ବକୁଳବନ ମୁକ୍ତାକାଶ ରଙ୍ଗମଞ୍ଚରେ ୧ଠ ତାରିଖ (ଶୁକ୍ରବାର)ରୁ ସାଂସ୍କୃତିକ ସମାରୋହ ସପ୍ତମ ସତ୍ୟବାଦୀ ମହୋତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣରେ ଜ୍ୟୋତି ଯାତ୍ରା କରାଯାଇ ମହୋତ୍ସବ ଉଦ୍ଘାଟନ କରାଯିବା ସହିତ ଏହା ୧୦ରୁ ୧୨ତାରିଖ ଯାଏଁ ୩ ଦିନ ଧରି ଲାଗି ରହିବ । ଆକଳନ ଅନୁଯାୟୀ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସତ୍ୟବାଦୀ ଯୁବ ମଞ୍ଚ ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ଏଥିରେ ସଭାପତି ଜାନକୀବଲ୍ଲଭ ମିଶ୍ର, ସମ୍ପାଦକ ଜାନକୀବଲ୍ଲଭ ବରାଳ, ଦୀପକ ଶତପଥୀ, ବିଶ୍ୱଜିତ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ଅଶୋକ ରାଉତରାୟ, ଶଙ୍କର୍ଷଣ ପ୍ରଧାନ, ଆଲୋକ ପ୍ରଧାନ, ରମା ବଲ୍ଲବ ବରାଳ, ରଞ୍ଜନ ବରାଳ, ଗୋପାଳ ମିଶ୍ର, ପ୍ରେମାନନ୍ଦ ବେହେରା ଏବଂ ସତ୍ୟବାଦୀର ସମସ୍ତ ଯୁବକର୍ମୀଙ୍କ ତତ୍ତ୍ୱାବଧାନରେ ମହୋତ୍ସବର କାର୍ଯ୍ୟକ୍ରମ ଆଗେଇ ଚାଲିଛି । ବଲିଉଡ୍ ଏବଂ ଓଲିଉଡ୍ର ଆଗଧାଡ଼ିର କଳାକାରଙ୍କ ଦ୍ୱାରା ତିନିଦିନ ଧରି ମଞ୍ଚରେ ସଂଗୀତ ଓ ନୃତ୍ୟ ପରିବେଷଣ ହେବା ସହିତ ସ୍ଥାନୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ସେହିପରି ଆଦ୍ୟ ଦିବସର ଦିନ ୩ଟାରେ ଜ୍ୟୋତି ଯାତ୍ରା, ସନ୍ଧ୍ୟା ୬ଟାରେ ସାଂସ୍କୃତିକ, ରାତ୍ର ୮ଟା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଦ୍ୱିତୀୟ ଦିବସରେ କୁଇଜ୍ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ, ଗୋଟିପୁଅ, ଘୁମୁରା ସମ୍ବଲପୁରୀ, ଉଦ୍ୟାପନୀ ଦିବସ ସନ୍ଧ୍ୟା ୫ଟାରେ କୁଇଜ୍ ପ୍ରତିଯୋଗିତା, ୬ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୮ଟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ତରଫରୁ ସୂଚନା ଦିଆଯାଇଛି ।