ବିକାଶର ସ୍ୱପ୍ନ ଦେଖାଇଲେ ନଡ୍ଡା

ତ୍ରିପୁରା ବିଧାନସଭା ନିର୍ବାଚନ: ବିଜେପିର ଘୋଷଣାପତ୍ର ଜାରି
ଅଗରତାଲା (ଏଜେନ୍ସି): ଆସନ୍ତା ୧୬ ତାରିଖରେ ୬ଠ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସବୁ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରଚାର କରିବା ସହ ଭୋଟରଙ୍କୁ ନିଆଡକୁ ଆକୃଷ୍ଟ କରିବା ପାଇଁ ଆଖିଦୃଶିଆ ଘୋଷଣା ତଥା ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି । ଗୁରୁବାର ବିଜେପି ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଘୋଷଣାପତ୍ର ଜାରି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି । ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଘୋଷଣାପତ୍ର ଜାରି କରି ନଡା କହିଛନ୍ତି, ବିଜେପିର ଘୋଷଣାପତ୍ରକୁ ଲୋକେ ବୁଝିଥାନ୍ତି ଏବଂ ବିଶ୍ୱାସ ମଧ୍ୟ କରନ୍ତି । କାରଣ ବିଜେପି ନିଜ ପ୍ରତିଶ୍ରୁତି ପାଳନ କରିବା ଦିଗରେ ସର୍ବଦା ଯତ୍ନବାନ୍ ରହିଆସିଛି । ତେବେ ତ୍ରିପୁରା ପାଇଁ ବିଜେପିର ଏହି ଘୋଷଣାପତ୍ର କେବଳ କିଛି କାଗଜ ଖଣ୍ଡ ନୁହେଁ ବରଂ ତ୍ରିପୁରାବାସୀଙ୍କ ପ୍ରତି ବିଜେପିର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ।
ବିଜେପି ପକ୍ଷରୁ ଜାରି ଘୋଷଣାପତ୍ରରେ ରାଜ୍ୟର ଦୁର୍ବଳ ବର୍ଗଙ୍କ ବିକାଶ ସହ ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ମଧ୍ୟ ବିଜେପି ଅଧିକ ଫୋକସ୍ କରିଥିବା ପ୍ରତୀତ ହେଉଛି । ଏତଦ୍ବ୍ୟତୀତ ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ କନ୍ୟା ସନ୍ତାନ ଜନ୍ମ ହେଲେ ଏକକାଳୀନ ୫ଠ ହଜାର ଟଙ୍କାର ଏକ ବଣ୍ଡ୍ ପ୍ରଦାନ ପାଇଁ ବାଳିକା ସମ୍ବୃଦ୍ଧି ଯୋଜନା, ମେଧାବୀ କଲେଜ୍ ଛାତ୍ରୀଙ୍କ କଲେଜ୍ ପଢ଼ା ସମୟରେ ସ୍କୁଟି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ଆତ୍ମନିର୍ଭର ଯୋଜନା, ପିଏମ୍ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଣ, ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ, ୨ଠ୨୫ ସୁଦ୍ଧା ଗ୍ରାମୀଣ ଏବଂ ସହରାଞ୍ଚଳରେ ରହୁଥିବା ସମସ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅନ୍ତର୍ଗତ ବାସଗୃହ ଯୋଗାଣ, ୫ ଟଙ୍କା ଲେଖାଏ ମୂଲ୍ୟରେ ଦିନକୁ ୩ଥର ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଅନୁକୂଳଚନ୍ଦ୍ର କ୍ୟାଣ୍ଟିନ୍ ସ୍ଥାପନା, ପ୍ରତ୍ୟେକ ପିଡିଏସ୍ ହିତାଧିକାରୀଙ୍କୁ ମାସିକ ମାଗଣା ଚାଉଳ, ଗହମ ସହ ବର୍ଷକୁ ୪ଥର ସବ୍ସିଡି ଯୁକ୍ତ ଖାଇବା ତୈଳ ଯୋଗାଣ, ତ୍ରିପୁରା ଜନଜାତି ବିକାଶ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଆଦିବାସୀ ପରିବାରକୁ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ ଭଳି ପ୍ରତିଶ୍ରୁତି ଦିଆଯାଇଛି ।
ପ୍ରକାଶ, ତ୍ରିପୁରାର ୬ଠ ବିଧାନସଭା ଆସନ ପାଇଁ ମୋଟ୍ ୨୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ୫୫ ପ୍ରାର୍ଥୀ ଥିବା ବେଳେ ସିପିଏମ୍ର ୪୩, ଟିପ୍ରା ମୋଥାର ୪୨, ଟିଏମ୍ସିର ୨୮, କଂଗ୍ରେସର ୧୩, ବିଜେପିର ମେଣ୍ଟ ସହଯୋଗୀ ଦଳ ଆଇପିଏଫ୍ଟିର ୬ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ସିପିଆଇ, ଆରଏସ୍ପି ଏବଂ ଫରୱାର୍ଡ ବ୍ଲକ୍ ପକ୍ଷରୁ ଜଣେ ଲେଖାଏ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *