୬ ବନ କର୍ମଚାରୀ ଗିରଫ

ହାତୀମୃତୁ୍ୟ ଅଭିଯୁକ୍ତର ହାଜତମୃତୁ୍ୟ
ନରସିଂହପୁର/ ଆଠଗଡ଼, ୮ ।୨ (ଆପ୍ର): ବନ ବିଭାଗର ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତୁ୍ୟକୁ ନେଇ ପୁଲିସ ୧୬ ଜଣଙ୍କୁ ଅଟକ ରଖି ଦୁଇ ଦିନ ଧରି ପଚରାଉଚରା କରିଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ପଚରା ଉଚରା ସହିତ କ୍ଷେତ୍ର ପରିଦର୍ଶନ କରି ପ୍ରମାଣ ଯୋଗାଡ଼ କରିବା ପରେ ବୁଧବାର ପ୍ରଥମ ପର୍ଯ୍ୟାୟରେ ରେଞ୍ଜରଙ୍କ ସମେତ ୬ ବନ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ । ଆଠଗଡ଼ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ତଥା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶି ଘଟଣାର ସବିଶେଷ ବିବରଣୀ ପ୍ରଦାନ କରିବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଆଗକୁ ଗିରଫଦାରୀ ବଢିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ।
ଜାନୁଆରୀ ୩୧ ତାରିଖରେ ବଡ଼ମ୍ବା ରେଞ୍ଜରେ ଏକ ଦନ୍ତା ହାତୀକୁ ଗୁଳି କରି ଦାନ୍ତ କାଟି ନିଆଯାଇଥିବା ଅଭିଯୋଗ ହୋଇଥିଲା । ବଡ଼ମ୍ବା ବନ ବିଭାଗ ଟିମ୍ ବଡ଼ମ୍ବା ଥାନା ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କୁ ତାଙ୍କର ପରିବାରବର୍ଗଙ୍କ ଉପସ୍ଥିତିରେ ଉଠାଇ ନିଆଯାଇଥିଲା । ବଡ଼ମ୍ବା ନୂଆ ତଇଲା ପେଟ୍ରୋଲ ପମ୍ପ ସମ୍ମୁଖରେ ସପରିବାର ଧନେଶ୍ୱର ଏକ ଅଟୋରେ ଯାଉଥିଲେ । ବନ ବିଭାଗ ଟିମ୍ ଅଟୋ ଅଟକାଇ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଘୋଷାଡି ନେଇଥିବା ଅଭିଯୋଗ ହୋଇଥିଲା । ପରେ ଧନେଶଶ୍ୱରକୁ ତିଗିରିଆ ଥାନା ଅନ୍ତର୍ଗତ ନିଜିଗଡ ୱାଚ ଟାୱାରରେ ରଖି ଅମାନୁଷିକ ଭାବରେ ମାଡ଼ମାରି ଗୁରୁତର ଆହତ କରି ତିଗିରିଆ ଡ଼ାକ୍ତରଖାନାରେ ବନକର୍ମଚାରୀମାନେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବନ କର୍ମ·ରୀମାନେ ଶବଛାଡି ଫେରାର ହେବାକୁ ଉଦ୍ୟମ କରିଥିଲେ ।
ସୂଚନା ପାଇ ତିଗିରିଆ ପୁଲିସ ତୁରନ୍ତ ଡାକ୍ତରଖାନାରେ ପହଞ୍ଚô ଶବ ଜବତ କରିବା ସହ ଫେରାର ହେବାକୁ ବସିଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଠଗଡ଼ ଥାନାକୁ ନେଇ ପଚରାଉଚରା କରିଥିଲେ । ଧନେଶ୍ୱରଙ୍କ ପତ୍ନୀ ତୁଳସୀ ବେହେରାଙ୍କ ଏତଲାକୁ ଆଧାର କରି ବଡ଼ମ୍ବା ଥାନା କେସ ନଂ-୨୫/୨୩ ଧାରା ୩୪୧, ୨୯୨, ୩୫୪, ୩୨୩, ୩୬୫, ୩୪୨, ୩୦୨, ୩୪/୨୫-୨୭ ଆର୍ମସ ଆକ୍ଟ ଏବଂ ହରିଜନ ଆଦିବାସୀ ଦଫାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।
ତଦନ୍ତକାରୀ ଅଧିକାରୀ ବିଜୟ କୁମାର ବିଶି ବିଭିନ୍ନ ପର୍ଯ୍ୟାୟରେ ଏସିଏଫ୍ ଘନଶ୍ୟାମ ମୁଦୁଲି, ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ କୁମାର ବେହେରା, ଫରେଷ୍ଟର ମନୋଜ ଦାସଙ୍କ ସମେତ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ସମସ୍ତ ପ୍ରମାଣ ଯଥା ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବୋଲେରୋ, ଚାରି ବାଡ଼ି ସହିତ ମୃତକଙ୍କ ପୋଷାକ ଜବତ କରିଛି । ଏହାସହ ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା, ଫରେଷ୍ଟର ମନୋଜ ଦାସ, ଫରେଷ୍ଟର ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଏବଂ ପ୍ରଭାତ ପ୍ରଧାନଙ୍କୁ ଗିରଫ କରି କଟକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି ।
ଏସିଏଫ୍ ଘନଶ୍ୟାମ ମୁଦୁଲି, ହରେକୃଷ୍ଣ ମଲ୍ଲିକଙ୍କ ସହିତ ଦୁଇ ଜଣ ୱାଚର, ଦୁଇ ଜଣ ଡ଼୍ରାଇଭର ଏବଂ ଜଣେ ପୁଲିସ କର୍ମଚାରୀ ମଧ୍ୟ ଅଟକ ରହିଛନ୍ତି । ଏହା ମଧ୍ୟରେ ହାତୀ ମୃତୁ୍ୟ ଘଟଣାରେ ବିଭାଗୀୟ ଅଧିକାରୀମାନେ ଶ୍ୟାମସୁନ୍ଦର ପୁରର ରାଜ ପ୍ରଧାନ ସୋରୁଆଁର ବିରଞ୍ଚି ଜାନୀ ଏବଂ ଗୋପପୁର ଗ୍ରାମର ରାଜୀବ ସ୍ୱାଇଁଙ୍କୁ ଉଠାଇ ନେଇ ପଚରାଉଚରା ବାହାନାରେ ଅମାନୁଷିକ ଭାବରେ ମାଡ ମାରି ଗୁରୁତର ଆହତ କରି ପୁଲିସ ଚାପରେ ସେମାନଙ୍କୁ ଛାଡି ଦେଇଥିବା ଜଣାପଡିଛି । ରାଜ ପ୍ରଧାନଙ୍କ ପୁଅ କୃଷ୍ଣ ପ୍ରଧାନ ଏବଂ ବିରଞ୍ଚି ଜାନୀଙ୍କ ଭାଇ ରମେଶ ଜାନୀ ଏହି ଘଟଣାରେ ବଡ଼ମ୍ବା ଥାନାରେ ଅଭିଯୋଗ କରିବା ସହିତ ଏଥିରେ ଆଠଗଡ଼ ରେଞ୍ଜର ରବିନ୍ଦ୍ର ନାୟକଙ୍କ ସଂପୃକ୍ତି ଥିବା ଏତଲା ଦେଇଛନ୍ତି । ମାମଲାରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତିଙ୍କ ସଂପୃକ୍ତିକୁ ମଧ୍ୟ ଅସ୍ୱୀକାର କରି ନାହାନ୍ତି ତଦନ୍ତକାରୀ ଅଧିକାରୀ । ଯେଉଁମାନଙ୍କ ନାମ ତଦନ୍ତ ସମୟରେ ଆସିବ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମସିଳନୀରେ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ୱାଇଁ, ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *