ୟୁଏସ୍ ଓ ଭାରତ ସମେତ ୪ଠ ଦେଶକୁ ଟାର୍ଗେଟ୍
ଚୀନ୍ର ସ୍ପାଏ ବେଲୁନ୍କୁ ନେଇ ବଡ଼ ଖୁଲାସା
ନୂଆଦିଲ୍ଲୀ (ଏଜେନ୍ସି): ଚୀନ୍ର ଗୋଇନ୍ଦା ବେଲୁନ ଆମେରିକା ଆକାଶ ସୀମା ଯପିବା ଓ ଏହାକୁ ଆମେରିକା ପକ୍ଷରୁ ମାଜାଇଳ୍ ମାଡ଼ କରି ଖସାଇ ଦିଆଯିବା ପରେ ଆନ୍ତର୍ଜାତିକ ସ୍ତରରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି । ଏହାକୁ କେନ୍ଦ୍ର କରି ଆମେରିକା ଓ ଚୀନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋିଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । କେବଳ ଆମେରିକା ନୁହେଁ ଭାରତ ଓ ଅନ୍ୟ ୩୮ ଦେଶ ଉପରେ ବେଲୁନ ଉଡାଇ ଚାଇନା ସରକାର ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଛନ୍ତି । ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଆର୍ ଶେର୍ମାନ ଭାରତ ଓ ଅନ୍ୟ ଦେଶର ଦୂତାବାସକୁ ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ସ୍ପାଏ ବେଲୁନ୍ ଉଡ଼ିଥିଲା ଓ ୪ ରେ ଏହାକୁ ପେଣ୍ଟାଗନ୍ ପକ୍ଷରୁ ମିସାଇଲ ମାଡ କରି ଖସାଇ ଦିଆଯାଇଥିଲା । ବେଲୁନରେ ସେନସର ସହିତ ଅନେକ କିଛି ଯନ୍ତ୍ରପାତି ସକ୍ରିୟ ରହିଥିଲା । ଏହି ସ୍ପାଏ ବେଲୁନ ଭୂପୃଷ୍ଠରୁ ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା । ଏହାପରେ ଶନିବାର ଲାଟିନ୍ ଆମେରିକାର ସାଉଥ୍ କାରୋଲିନା ଆକାଶରେ ମଧ୍ୟ ସ୍ପାଏ ବେଲୁନ ଉଡିଥିଲା ।
ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ ସହ ବିବାଦ ଥିବା ଜାପାନ, ଭାରତ, ଭିଏତନାମ, ତାଇୱାନ, ଫିଲିପାଇନ୍ସ ଭଳି ଦେଶ ଉପରେ କିଛି ବର୍ଷ ହେଲା ଗୁପ୍ତଚର ବେଲୁନ୍ ଉଡାଇ ସାମରିକ ପ୍ରସ୍ତୁତି ସଂପର୍କରେ ତଥ୍ୟ ସଂଗ୍ରହ କରି ଆସୁଛି ।
ମାର୍କିନ ପ୍ରତିରକ୍ଷା ବିଶେଷଜ୍ଞ ଏଚ୍ଆଇ ସଟନଙ୍କ ସୂଚନା ଆଧାରରେ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ଡିସେମ୍ବରରୁ ଜାନୁୟାରୀ ୨୦୨୨ ମଧ୍ୟରେ ଚାଇନା ସ୍ପାଏ ବେଲୁନ୍ ଭାରତର ସାମରିକ ବେସ୍କୁ ନଜରରେ ରଖିଥିଲା । ଏହି ସମୟରେ ଉକ୍ତ ବେଲୁନ୍ ପୋର୍ଟ ବ୍ଲେୟାର ଉପରେ ଉଡ଼ିଥିଲା । ଏହାର ଫଟୋ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା । ଡିସେମ୍ବର ଶେଷ ସପ୍ତାହରେ, ଭାରତୀୟ ସେନାର ତିନି ବାହିନୀ ମିଳିତ ଭାବେ ଆଣ୍ଡାମାନ ଓ ନିକୋବରରେ ସାମରିକ ଅଭ୍ୟାସ କରିଥିଲେ । ଉକ୍ତ ବେଲୁନ୍ କେବଳ ଟ୍ରାଇ ସର୍ଭିସ କମାଣ୍ଡ ସମୟରେ ଆଣ୍ଡାମାନ ଏବଂ ନିକୋବରରେ ଦେଖାଯାଇଥିଲା । ସେତେବେଳେ ଭାରତ ସରକାର ଏହା ଉପରେ ବିବୃତ୍ତିି ଦେଇ ନ ଥିଲେ ।