ଆଜିଠୁ ବର୍ଡର-ଗାଭାସ୍କର ଟ୍ରଫି

ନାଗପୁର, ୮ା୨ (ଏଜେନ୍ସି): ଗୁରୁବାର ଠାରୁ ଜାମଥା ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ । ଚାରି ଟେଷ୍ଟ ବିଶିଷ୍ଟ ଏହି ଶୃଙ୍ଖଳା ଭାରତ ପାଇଁ ଅଧିକ ଗୁରୁତ୍ୱ ରଖେ, କାରଣ ଏହି ଦ୍ୱିପାକ୍ଷିକ ଶୃଙ୍ଖଳା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଅଂଶବିଶେଷ । ଫାଇନାଲ୍ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆକୁ ଅତି କମ୍ରେ ଦୁଇଟି ମ୍ୟାଚ୍ ଜିତିବାକୁ ହେବ । ଅଷ୍ଟ୍ରେଲିଆ ଆପାତତଃ ଫାଇନାଲ୍ରେ ପହଞ୍ଚିସାରିଛି ।
ଶୃଙ୍ଖଳାର ଇତିହାସ
୧୯୪୭-୪୮ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଖେଳାଯାଉଛି । ଶୃଙ୍ଖଳାରେ ଥରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଥାଏ ତ ଥରେ ଅଷ୍ଟ୍ରେଲୀୟ ଟିମ୍ ଭାରତ ଗସ୍ତରେ ଆସିଥାଏ । ଭାରତ ପ୍ରଥମ ଥର ୧୯୭୯ରେ ୨-୦ରେ ଛଅ ମ୍ୟାଚ୍ର ଶୃଙ୍ଖଳା ଜିତିଥିଲା । ଏହା ପୂର୍ବରୁ ଖେଳାଯାଇଥିବା ସାତ ଶୃଙ୍ଖଳା ମଧ୍ୟରୁ ଛଅ ଶୃଙ୍ଖଳା ଜିତିଥିଲା ଏବଂ ଗୋଟିଏ ଡ୍ର’ ରହିଥିଲା ।
ଓଭର୍ଅଲ୍ ଫଳାଫଳକୁ ଦେଖିଲେ ଜଣାଯାଏ, ଭାରତ ୧୦ ଥର ଶୃଙ୍ଖଳା ଜିତିଥିବା ବେଳେ ଅଷ୍ଟ୍ରେଲିଆ ୧୨ ଶୃଙ୍ଖଳା କବ୍ଜା କରିଛି ଯେତେବେଳେକି ପାଞ୍ଚ ଶୃଙ୍ଖଳା ଅମୀମାଂସିତ ରହିଛି । ୧୯୯୬ରେ ପ୍ରଥମ ଥର ଏହି ଶୃଙ୍ଖଳାକୁ ବର୍ଡର-ଗାଭାସ୍କର ଟ୍ରଫି ନାମରେ ନାମିତ କରାଯାଇଥିଲା ।
ଚର୍ଚ୍ଚାରେ ଜାମଥା ପିଚ୍
ପ୍ରଥମ ଟେଷ୍ଟ ନାଗପୁରର ଜାମଥା ଷ୍ଟାଡିୟମ୍ରେ ଖେଳାଯିବ ଏବଂ ମ୍ୟାଚ୍ ପୂର୍ବରୁହିଁ ଏହାର ପିଚ୍କୁ ନେଇ ବିବାଦ ଦେଖାଦେଇଛି । ଏପରିସ୍ଥଳେ ସମସ୍ତେ ଦେଖିବାକୁ ଚାହାନ୍ତି ଯେ ପିଚ୍ କିଭଳି ବ୍ୟବହାର କରିବ, କାରଣ ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ମ୍ୟାଚ୍ର ଠିକ୍ ପୂର୍ବରୁ ପିଚ୍ ବଦଳାଇ ଦେଇଛି । ଏପରିସ୍ଥଳେ କେହି ଜାଣନ୍ତିନି ଯେ ପିଚ୍ର ପ୍ରକୃତି କିଭଳି ହେବ । କେତେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ନାଗପୁର ପିଚ୍ ଡାହାଣହାତି ବ୍ୟାଟର୍ଙ୍କ ପାଇଁ ସହାୟକ ଓ ବାମହାତି ବ୍ୟାଟର୍ଙ୍କ ପାଇଁ କଠିନ ହେବ । ଅଷ୍ଟ୍ରେଲୀୟ ଟିମ୍ରେ ଟପ୍-୭ ମଧ୍ୟରେ ଚାରି ଜଣ ବାମହାତି ବ୍ୟାଟର୍ ରହିଥିବା ବେଳେ ଭାରତର ମାତ୍ର ଜଣେ ବ୍ୟାଟର୍ ଅଛନ୍ତି ।
ସ୍ପିନ୍ ବଲ୍ରେ ବ୍ୟାଟିଂ ନିର୍ଣ୍ଣାୟକ ହୋଇପାରେ
ସ୍ପିନ୍ ବଲ୍ରେ ବ୍ୟାଟିଂ କରିବା ଏହି ଶୃଙ୍ଖଳାର ନିର୍ଣ୍ଣାୟକ ଫ୍ୟାକ୍ଟର ହୋଇପାରେ, କାରଣ ଆୟୋଜକ ଭାରତ ନିଜର ସମସ୍ତ ପିଚ୍କୁ ସ୍ପିନ୍-ଅନୁକୂଳ କରିଛି । ଖାଲି ସେତିକି ନୁହେଁ, ଉଭୟ ନିଜ ନିଜର ତାରକାଙ୍କ ସହିତ ମଇଦାନକୁ ଓହ୍ଲାଇବ । କଙ୍ଗାରୁ ଟିମ୍ ଆଠ ସ୍ପିନର୍ଙ୍କ ସହ ଆସିଥିବା ବେଳେ ଭାରତୀୟ ଦଳରେ ଚାରି ସ୍ପିନର୍ ଅଛନ୍ତି ।
ଭାରତୀୟ ଟିମ୍ର ଅଫ୍୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ, ବାମହାତି ସ୍ପିନର୍ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ୍ ଓ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଅଷ୍ଟ୍ରେଲୀୟ ବ୍ୟାଟର୍୍ଙ୍କ ପରୀକ୍ଷା ନେବେ । ଆୟୋଜକ ଟିମ୍ ପକ୍ଷରୁ ନାଥନ୍ ଲାୟନ୍ ଓ ଆଷ୍ଟନ ଅଗର ଅଭିଜ୍ଞ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।
ଏହା ଦେଖିବା କୌତୂହଳପ୍ରଦ ହେବ ଯେ ସ୍ପିନ୍କୁ ସୁହାଉଥିବା ପିଚ୍ରେ କିଏ ଅଧିକ ରନ୍ କରୁଛନ୍ତି । ସ୍ପିନ୍ ବୋଲର୍ ଭାରତର ସାମର୍ଥ୍ୟ ହୋଇଥିଲେହେଁ କିଛି ବର୍ଷ ହେଲା ସ୍ପିନର୍ ଆମକୁ ବି ସମସ୍ୟାରେ ପକାଉଛନ୍ତି ।
ପନ୍ତଙ୍କ ଅନୁପସ୍ଥିତି ପ୍ରଭାବିତ କରିପାରେ
ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ ଭାରତୀୟ ଟିମ୍ର ଅଂଶବିଶେଷ ନାହାନ୍ତି । ସେ ଆଘାତଜନିତ ସମସ୍ୟା ଭୋଗୁଛନ୍ତି । ଏପରିସ୍ଥଳେ ପନ୍ତଙ୍କ ଅନୁପସ୍ଥିତି ମଧ୍ୟ ଅନେକାଂଶରେ ଶୃଙ୍ଖଳାର ଫଳାଫଳ ନିର୍ଦ୍ଧାରଣ କରିବ । ଯଦି ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ପନ୍ତଙ୍କ ସଠିକ୍ ବିକଳ୍ପ ସନ୍ଧାନ କରିପାରିବ, ତା’ହେଲେ ଫଳାଫଳ ଭାରତ ସପକ୍ଷରେ ଯିବ । ଶୀର୍ଷ କ୍ରମ ଶୀଘ୍ର ପାଭିଲିଅନ୍ ଫେରିବା ପରେ ପନ୍ତ ଅନେକ ସମୟରେ ଟିମ୍ ଇଣ୍ଡିଆକୁ ସଙ୍କଟଜନକ ସ୍ଥିତିରୁ ମୁକୁଳାଇଛନ୍ତି । ପନ୍ତଙ୍କ ଛଡ଼ା ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ମଧ୍ୟ ଅନୁଭୂତ ହେବ, କାରଣ ସେ ସ୍ପିନ୍ ବଲ୍କୁ ଭଲ ଭାବେ ଖେଳନ୍ତି ।
ଭାରତର ବିଗ୍-୩ ଉପରେ ଗୁରୁଦାୟିତ୍ୱ
ପନ୍ତ-ଆୟରଙ୍କ ଅନୁପସ୍ଥିତିରେ ଭାରତର ମଧ୍ୟକ୍ରମ ଦୁର୍ବଳ ହୋଇଛି । ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ ଓ କେଏସ୍ ଭରତଙ୍କୁ ସେମାନଙ୍କ ବିକଳ୍ପ ଭାବେ ବିଚାର କରାଯାଉଛି । ଏପରିସ୍ଥଳେ ବିଗ୍-୩ – ଅଧିନାୟକ ରୋହିତ ଶର୍ମା, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ଉପରେ ଗୁରୁଦାୟିତ୍ୱ ରହିବ । ପୂଜାରା ଏବେ ଫର୍ମରେ ଅଛନ୍ତି, ଅନେକ କିଛି ତାଙ୍କ ବ୍ୟାଟିଂ ଉପରେ ନିର୍ଭର କରିବ । ଅଧିନାୟକ ରୋହିତ ଶର୍ମା ଟେଷ୍ଟରେ ଅନେକ ଦିନ ହେଲା ଫର୍ମଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟପଟେ, କୋହଲି ତିନି ବର୍ଷ ହେଲା ଟେଷ୍ଟରେ ଶତକ ଲଗାଇ ପାରି ନାହାନ୍ତି । ରୋହିତଙ୍କ ସହ ଲୋକେଶ ରାହୁଲ ଅଥବା ଶୁଭମନ ଗିଲ୍ ଇନିଂସ୍ ଓପନ୍ କରିପାରନ୍ତି । ଅନ୍ୟପଟେ, କୋହଲି ତିନି ବର୍ଷ ହେଲା ଟେଷ୍ଟରେ ଶତକ ଲଗାଇ ପାରି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *