ଅଡ଼ାଣୀ ଝଡ଼: ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ, ୭ା୨: ସଂସଦର ବଜେଟ ଅଧିବେଶନ କାର୍ଯ୍ୟକ୍ରମ ଅଡ଼ାଣୀ-ହିଣ୍ଡନବର୍ଗ ବିବାଦ ପ୍ରସଙ୍ଗରେ ଗତ ତିନିଦିନ ଧରି ବ୍ୟାହତ ହେବା ପରେ ମଙ୍ଗଳବାର ସ୍ଥିତି ସୁଧୁରିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ମଙ୍ଗଳବାର ଠାରୁ ସଂସଦରେ ଆଲୋଚନା ଆରମ୍ଭ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଲେଚନାରେ ଭାଗ ନେଇ ଗୌତମ ଅଡ଼ାଣୀଙ୍କ ବାହାନାରେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଭାରତ ଯୋଡ଼ ଯାତ୍ରା ଶେଷ କରିବା ପରେ ସଂସଦରେ ରାହୁଲ ଗାନ୍ଧୀଙ୍କର ଏହା ଥିଲା ପ୍ରଥମ ଭାଷଣ । ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୌତମ ଅଡ଼ାଣୀ ଓ ରାଷ୍ଟ୍ରୀୟ ସୁରକ୍ଷ ଉପଦେଷ୍ଟା(ଏନ୍ଏସ୍ଏ) ଅଜିତ୍ ଡୋଭାଲ୍ଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଲୋକସଭାରେ ରାହୁଲ୍ ବିମାନ ଭିତରେ ପ୍ରଧାନମନ୍ତ୍ରୀ ଓ ଅଡ଼ାଣୀ ପାଖାପାଖି ବସିଥିବାର ଫଟୋଚିତ୍ର ଦେଖାଇଥିଲେ । ତାଙ୍କ ବିଷୋଦ୍ଗାର ଶୁଣି ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ, ସଂସଦ ଗୃହରେ ପୋଷ୍ଟରବାଜି ଚଳିବନି । ରାହୁଲ୍ଙ୍କ ‘ଅଡ଼ାଣୀ ଚାଳିଶା’ର ଜବାବ ଦେବାକୁ ଯାଇ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ନେତାମାନେ ଭାରତର ଭାବମୂର୍ତ୍ତି ନଷ୍ଟ କରିଥିବା ସବୁ ବଡ଼ ଘୋଟାଲାରେ ସମ୍ପୃକ୍ତ । ରାହୁଲଙ୍କୁ ଆଜି ମନେ ପକାଇଦେବା ଦରକାର ପଡୁଛି ଯେ, ରାହୁଲ, ତାଙ୍କ ମାଆ ସୋନିଆ ଓ ଭିଣୋଇ ରବର୍ଟ ଭଦ୍ରା ଜାମିନରେ ଅଛନ୍ତି । ଏକଥା ମଧ୍ୟ ତାଙ୍କୁ ପଚରାଯିବା ଦରକାର ଯେ ନ୍ୟାସନାଲ ହେରାଲ୍ଡ ଓ ଅଗଷ୍ଟା ୱେଷ୍ଟଲାଣ୍ଡ ଘୋଟାଲା କ’ଣ? ଡିଏଲ୍ଏଫ୍ରୁ କୋଟି କୋଟି ଟଙ୍କାର ଋଣ ବିନା ସୁଧରେ ମିଳିଲା କେମିତି?