ଓଭାଲ୍ରେ ଜୁନ୍ ୭-୧୧ ଫାଇନାଲ୍
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍
ଦୁବାଇ, ୮ା୨ (ଏଜେନ୍ସି): ଆଇସିସି ଟେଷ୍ଟ ଚାମ୍ପିଅନ୍ସିପ୍ ଦ୍ୱିତୀୟ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡର ଦ ଓଭାଲ୍ ଗ୍ରାଉଣ୍ଡରେ ଜୁନ୍ ୭ରୁ ୧୧ ମଧ୍ୟରେ ଖେଳାଯିବ । ଆଇସିସି ବୁଧବାର ଏହି ମ୍ୟାଚ୍ର ତାରିଖ ଘୋଷଣା କରିଛି । ବର୍ଷା ଅଥବା ଅନ୍ୟ କୌଣସି କାରଣରୁ ଖେଳ ସମ୍ଭବ ନ ହେବା ସ୍ଥଳେ ଜୁନ୍ ୧୨ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି ।
ପୂର୍ବ ସଂସ୍କରଣରେ ରିଜର୍ଭ ଦିବସରେହିଁ ମ୍ୟାଚ୍ର ଫଳାଫଳ ବାହାରିଥିଲା । ନୁ୍ୟଜିଲାଣ୍ଡ ଫାଇନାଲ୍ରେ ଭାରତକୁ ୮ ୱିକେଟ୍ରେ ହରାଇ ଚାମ୍ପିଅନ୍ ହୋଇଥିଲା । ସେହି ମ୍ୟାଚ୍ ଇଂଲଣ୍ଡର ସାଉଥାମ୍ପଟନ୍ରେ ଖେଳାଯାଇଥିଲା ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ ଫାଇନାଲ୍
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପଏଣ୍ଟ ତାଲିକା ଅନୁଯାୟୀ, ଅଷ୍ଟ୍ରେଲିଆ ଓ ଭାରତ ଫାଇନାଲ୍ର ମଜଭୁତ ଦାବିଦାର । ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଟିମ୍ ମଧ୍ୟ ଫାଇନାଲ୍ ଦୌଡ଼ରେ ରହିଛି, କିନ୍ତୁ ଉଭୟ ଟିମ୍ର ପଥ ଦୁର୍ଗମ ।
ଅଷ୍ଟ୍ରେଲିଆ ୭୫.୫୬ ପ୍ରତିଶତ ପଏଣ୍ଟ ନଅ ଟିମ୍ର ତାଲିକାରେ ଶୀର୍ଷରେ ରହିଛି । ଏହାପରେ ଭାରତ ୫୮.୯୩ ପ୍ରତିଶତ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଉଭୟ ଟିମ୍ ଫେବ୍ରୁଆରୀ ୯ରୁ ନାଗପୁରରେ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ମୁହାଁମୁହିଁ ହେବେ । ଏହି ଶୃଙ୍ଖଳାର ଫଳାଫଳ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲିଷ୍ଟର ନାମ ଧାର୍ଯ୍ୟ କରିବ ।
ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଅଷ୍ଟ୍ରେଲୀୟ ଟିମ୍ ଆପାତଃ ଫାଇନାଲ୍ରେ ପ୍ରବେଶ କରିସାରିଛି ଯେତେବେଳେକି ଭାରତ ଫାଇନାଲ୍ ଠାରୁ ଦୁଇଟି ବିଜୟ ଦୂରରେ ଅଛି । ଫାଇନାଲ୍ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆକୁ ଚାରି ମ୍ୟାଚ୍ର ଶୃଙ୍ଖଳାରେ ଅତି କମ୍ରେ ଦୁଇଟି ମ୍ୟାଚ୍ ଜିତିବାକୁ ହେବ ।
ଶ୍ରୀଲଙ୍କା (୫୩.୩୩ ପ୍ରତିଶତ) ଓ ଦକ୍ଷିଣ ଆଫ୍ରିକା (୪୮.୭୨ ପ୍ରତିଶତ) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି । ଉଭୟ ଟିମ୍ ପାଖରେ ବି ସୁଯୋଗ ରହିଛି । ଶ୍ରୀଲଙ୍କା ଟିମ୍ ନୁ୍ୟଜିଲାଣ୍ଡରେ ଦୁଇ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳିବ । ଦକ୍ଷିଣ ଆଫ୍ରିକୀୟ ଟିମ୍ ମଧ୍ୟ ୱେଷ୍ଟଇଣ୍ଡିଜ୍ ସହ ଦୁଇ ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି ।