ପୁଣି ବଢ଼ିଲା ରେପୋ ରେଟ୍
ମୁମ୍ବାଇ, ୮ା୨: ଦେଶରେ ମହଙ୍ଗା ହାର କମିବା ସତ୍ତ୍ୱେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବୁଧବାର ନୀତିଗତ ଦର ବା ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ବା ଠ.୨୫ ପ୍ରତିଶତ ବଢ଼ାଇଛି । ଫଳତଃ ରେପୋ ରେଟ୍ ୬.୨୫%ରୁ ବଢ଼ି ୬.୫୦% ହୋଇଛି । ଗତବର୍ଷ ମେ’ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟ୍ରେ କ୍ରମାଗତ ୬ଥର ବୃଦ୍ଧି କରାଗଲାଣି ।
ତିନି ଦିନ ଧରି ଚାଲିଥିବା ମୌଦ୍ରିକ ନୀତି କମିଟି (ଏମ୍ପିସି) ବୈଠକର ରେପୋ ରେଟ୍ ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ସହ ଖୁଚୁରା ମହଙ୍ଗା ହାର ଚଳିତ ଆର୍ଥିକ ବର୍ଷରେ ୬.୫ ଓ ଆସନ୍ତା ଆର୍ଥିକ ବର୍ଷରେ ୫.୩ ପ୍ରତିଶତ ରହିପାରେ ବୋଲି କହିଛନ୍ତି । ବିଶେଷଜ୍ଞମାନେ ମଧ୍ୟ ପୂର୍ବରୁ ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ବଢ଼ିବା ଆକଳନ କରିଥିଲେ । ଏମ୍ପିସି ବୈଠକରେ ଉପସ୍ଥିତ ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ବୃଦ୍ଧିକୁ ସମର୍ଥନ କରିଥିଲେ । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ ୬.୮ରୁ ବଢ଼ାଇ ୭ ପ୍ରତିଶତ କରାଯାଇଛି । ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ହୋଇପାରେ ବୋଲି କୁହାଯାଇଛି ।