ଅକ୍ସନରେ ଓଡ଼ିଶାର ୭ ଖେଳାଳି
ମହିଳା ଆଇପିଏଲ୍
୧୩ରେ ୫ ଦଳ ପାଇଁ ନିଲାମ
କଟକ ୮ା୨ (ବୁ୍ୟରୋ): ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ମୁମ୍ବାଇରେ ୱିମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ ଖେଳାଯିବ । ଏଥିରେ ଭାଗ ନେବାକୁ ଥିବା ପାଞ୍ଚଟି ମହିଳା ଆଇପିଏଲ୍ ଦଳ ପାଇଁ ଆସନ୍ତା ୧୩ରେ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ନିଲାମ ହେବାକୁ ଥିବା ୪୦୯ ସର୍ଟଲିଷ୍ଟ ତାଲିକାରେ ଓଡ଼ିଶାର ୭ଜଣ ଖେଳାଳି ଅଛନ୍ତି । ଓସିଏ ପକ୍ଷରୁ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଏହି ୭ ଖେଳାଳି ହେଉଛନ୍ତି- ମାଧୁରୀ ମେହେତା, ରସାନାରା ପାର୍ବିନ୍, କାଜଲ ଜେନା, ଏସ୍ ବି ଲୋରେନ୍ସ, ସୁଜାତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ସୁଶ୍ରୀ ଦିବ୍ୟାଦର୍ଶିନୀ । ମୁମ୍ବାଇର ଜିଓ କନଭେନସନ୍ ସେଣ୍ଟରଠାରେ ୧୩ ତାରିଖ ଅପରାହ୍ଣ ସାଢ଼େ ୨ଟା ବେଳେ ମୋଟ ୫ଟି ଦଳ ପାଇଁ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ।
ଅହମଦାବାଦ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ପାଞ୍ଚଟି ସହର ଫ୍ରାଞ୍ଚାଇଜ୍ ହୋଇଥିବାବେଳେ ଖେଳାଳିଙ୍କୁ ୫୦ ଲକ୍ଷ, ୪୦ ଲକ୍ଷ, ୨୦ ଓ ୧୦ ଲକ୍ଷ ବର୍ଗରେ ସ୍ଥାନିତ କରାଯାଇଛି । ପାଞ୍ଚ ଦଳ ପାଇଁ ୯୦ ସ୍ଲଟ୍ ଉପଲବ୍ଧ ରହିଛି ଯେଉଁଥିରେ ୩୦ ଜଣ ବିଦେଶୀ ଖେଳାଳି ସାମିଲ ମଧ୍ୟ ହେବେ । ମହିଳା ଆଇପିଏଲ୍ ନିଲାମ ବାବଦରେ ଆସନ୍ତା ୧୦ ବର୍ଷରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇ ବୋଲି ବୁଧବାର ବିସିସିଆଇ ସଚିବ ଜୟ ଶାହା କହିଛନ୍ତି । ଗତ ମାସରେ ଭାୟାକମ୍-୧୮ ମହିଳା ଆଇପିଏଲ୍ର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ୍ ଆରମ୍ଭ ହେବା ଦ୍ୱାରା ବିଶ୍ୱ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା ଆଶା ପ୍ରକାଶ କରିଛନ୍ତି ।