୨ଠ ହଜାର ମୃତୁ୍ୟ ଆଶଙ୍କା

ମଙ୍ଗଳବାର ୫.୪ ତୀବ୍ରତାର ପଞ୍ଚମ ଭୂକମ୍ପ
ତୁର୍କୀରେ ୩ ମାସ ଜରୁରୀ ପରିସ୍ଥିତି ଜାରି
ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବ୍ୟାହତ
ବିଦେଶରୁ ଆସୁଛି ବିପୁଳ ସହାୟତା
ଭାରତ ପଠାଇଲା ଏନ୍ଡିଆର୍ଏଫ୍-ଆର୍ମି ମେଡିକାଲ୍ ଟିମ୍
ଅଙ୍କାରା, ୭ା୨: ତୁର୍କୀ ଓ ସିରିଆରେ ସୋମବାର ଭୋର୍ ୪ଟାରେ ଆସିଥିବା ଭୂକମ୍ପରେ ମୃତୁ୍ୟସଂଖ୍ୟା ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫୨୬୧ ହୋଇଛି । ହଜାର ହଜାର ଲୋକ ଏବେ ବି ନିଖୋଜ ରହିଛନ୍ତି । ଇତିମଧ୍ୟରେ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏରଦୋଆନ ୧ଠ ରାଜ୍ୟରେ ତିନିମାସ ପାଇଁ ଜରୁରୀ ପରିସ୍ଥିତି ଓ ରେଡ୍ ଆଲର୍ଟ ଜାରି କରିଛନ୍ତି । ଏହିସବୁ ଇଲାକା ଭୂମିକମ୍ପ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କହିଛି, ଭୂକମ୍ପ ପ୍ରଭାବିତଙ୍କ ସଂଖ୍ୟା ପ୍ରାୟ ୨ କୋଟି ୩ଠ ଲକ୍ଷ । ମୃତକ ସଂଖ୍ୟା ୨ଠ ହଜାର ଛୁଇଁପାରେ । ଭୂକମ୍ପରେ ହଜାର ହଜାର ଶିଶୁଙ୍କ ମୃତୁ୍ୟ ଘଟିଥିବା ଆଶଙ୍କା ପ୍ରକାଶ କରିଛି ୟୁନିସେଫ୍ ।
ତୁର୍କୀରେ ୩,୫୪୯ ଶବ ଉଦ୍ଧାର କରାଯାଇଛି । ୨ଠ,୫୩୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସିରିଆରେ ୧,୬ଠ୨ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୨ଠଠଠରୁ ଅଧିକ ଆହତ ହୋଇଛନ୍ତି । କେବଳ ତୁର୍କୀରେ ୧୧,୩୪୨ କୋଠା ଧରାଶାୟୀ ହୋଇଛି ବୋଲି ସେ ଦେଶର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଦେଇଛି ।
ମଙ୍ଗଳବାର ସକାଳ ୮.୫୩ ମିନିଟରେ ତୁର୍କୀର ପୂର୍ବାଞ୍ଚଳରେ ୫.୪ ତୀବ୍ରତାର ପଞ୍ଚମ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ଏପର୍ଯ୍ୟନ୍ତ ୨୪୩ ପଶ୍ଚାତ-କମ୍ପନ (ଆଫ୍ଟର୍ ସକ୍) ରେକର୍ଡ କରାଯାଇଛି ।
ଜାତିସଂଘ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଓ ତୁଷାରପାତ ଯୋଗୁ ଦୁଇ ଦେଶରେ ଉଦ୍ଧାର କାର୍ଯ୍ୟ ମନ୍ଥର ହୋଇଯାଇଛି । ତୁର୍କୀ ଓ ସିରିଆରେ ତାପମାତ୍ରା ଏବେ ମାଇନସରେ ଅଛି । ତୁର୍କୀରେ ୨୪ ହଜାରରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସିରିଆରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହ୍ୱାଇଟ୍ ହେଲ୍ମେଟ୍ସ ଟିମ୍ର ସଦସ୍ୟ ରାୟଦ ଅଲ୍ ସାଲେହ କହିଛନ୍ତି, ଭଗ୍ନସ୍ତୁପ ତଳେ ଅସଂଖ୍ୟ ଲୋକ ରହିଛନ୍ତି । ସେହି ଆହତ ତଥା କ୍ଷୁଧାର୍ତ୍ତ ଲୋକମାନଙ୍କ ଚିକ୍ରାର ଶୁଣାଯାଉଛି । ୪୮ ଘଣ୍ଟା ଭିତରେ ଉଦ୍ଧାର କରାନଗଲେ ସେମାନେ ମୃତୁ୍ୟମୁଖରେ ପଡ଼ିବା ସୁନିଶ୍ଚିତ । ତୁର୍କୀ-ସିରିଆ ସୀମାନ୍ତ ଇଲାକାରେ ବସ୍ତୁତଃ ପ୍ରଳୟ ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସେନାକୁ ମୁତୟନ କରାଯାଇଛି ।
ଏ ଭିତରେ ଅନେକ ଦେଶ ରେସ୍କୁ୍ୟ ଅପରରେସନରେ ସାମିଲ ହେବା ପାଇଁ ଟିମ୍ ପଠାଇଛନ୍ତି । ତୁର୍କୀକୁ ୭ଠ ଦେଶ ସହାୟତାର ହାତ ବଢ଼ାଇଥିବା ରାଷ୍ଟ୍ରପତି ରିସେପ ତୈୟପ ଏରଦୋଆନ ପ୍ରକାଶ କରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ତୁର୍କୀ ଭାରତ ବିରୋଧୀ ହୋଇଥିଲେ ହେଁ ମୋଦି ସରକାର ଏନ୍ଡିଆର୍ଏଫ୍ର ଦୁଇଶହ ଯବାନ, ମେଡିକାଲ ଟିମ୍ ସହ ସନ୍ଧାନୀ କୁକୁର ଓ ଔଷଧ ୪ଟି ବିମାନ ଯୋଗେ ମଙ୍ଗଳବାର ପଠାଇଛନ୍ତି । ଭାରତୀୟ ଟିମ୍ରେ ଅସ୍ଥିଶଲ୍ୟ ଚିକିତ୍ସା ବିଶେଷଜ୍ଞ, ଏକ୍ସରେ ମେସିନ୍, ଭେଣ୍ଟିଲେଟର, ଅକ୍ସିଜେନ୍ ଉତ୍ପାଦନ ମେସିନ୍, କାର୍ଡିଆକ ମନିଟର ଓ ଅନ୍ୟାନ୍ୟ ଉପକରଣ ସାମିଲ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *