ଶପଥ ନେଲେ ଏଲ୍ ଭିକ୍ଟୋରିଆ

ଚେନ୍ନାଇ (ଏଜେନ୍ସି): ପୂର୍ବତନ ବିଜେପି ନେତ୍ରୀ ତଥା ବରିଷ୍ଠ ଓକିଲ ଏଲ୍ ଭିକ୍ଟୋରିଆ ଗୌରୀ ମଙ୍ଗଳବାର ଦିନ ମାଡ୍ରାସ ହାଇକୋର୍ଟର ଅନ୍ୟତମ ବିଚାରପତି (ଅତିରିକ୍ତ) ଭାବେ ଶପଥଗ୍ରହଣ କରିଛନ୍ତି । ବିଚାରପତି ଭାବେ ତାଙ୍କ ନିଯୁକ୍ତିକୁ ନେଇ ବହୁ ବାଦ ବିବାଦ ଦେଖାଦେଇଥିଲେ ମଧ୍ୟ ସେସବୁ ତାଙ୍କ ନିଯୁକ୍ତିକୁ ପ୍ରଭାବିତ କରିପାରିନି । ଅନ୍ୟପକ୍ଷେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ଦାୟର କରାଯାଇଥିବା ପିଟିସନ୍କୁ ମଧ୍ୟ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ସଂଯୋଗବଶତଃ ଭିକ୍ଟୋରିଆ ଗୌରୀ ଆଜି (ମଙ୍ଗଳବାର) ଯେତେବେଳେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରୁଥିଲେ ଠିକ୍ ସେହି ସମୟରେ ତାଙ୍କ ନିଯୁକ୍ତିକୁ ରଦ୍ଦ କରାଯିବା ନେଇ ଆଗତ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ।
ପ୍ରକାଶ, ସୁପ୍ରିମକୋର୍ଟଙ୍କ କଲେଜିୟମ୍ ବରିଷ୍ଠତା ଭିତ୍ତିରେ ଭିକ୍ଟୋରିଆ ଗୌରୀଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେଇଥିଲେ । ତେବେ ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯିବାକୁ ନେଇ ଚେନ୍ନାଇରେ ବହୁ ଓକିଲ ଏବଂ ସିପିଆଇ(ଏମ୍) ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନ ଦାୟର କରାଯାଇଥିଲା । ଭିକ୍ଟୋରିଆ ଅନେକ ହେଟ୍ ସ୍ପିଚ୍ ଦେଇଥିବା ଓକିଲମାନେ ଦର୍ଶାଇଥିଲେ । ସୁତରାଂ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇପାରିବନି ବୋଲି ଓକିଲଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ତେବେ ସୁପ୍ରିମକୋର୍ଟ ଏହା ଉପରେ କହିଥିଲେ ଯେ, ଗୌରୀଙ୍କ ବିରୋଧରେ ହେଟ୍ ସ୍ପିଚ୍ ମାମଲା ୨ଠ୧୮ର । ସୁପ୍ରିମକୋର୍ଟ କଲେଜିୟମ୍ ମଧ୍ୟ ଏସମ୍ପର୍କରେ ବେଶ୍ ଭଲଭାବେ ଅବଗତ ଅଛନ୍ତି । ଯଦି କଲେଜିୟମ୍ ଗୌରୀଙ୍କ ନିଯୁକ୍ତି ନେଇ ସୁୂପାରିଶ୍ କରିଛନ୍ତି ଏବଂ ଭାରତ ସରକାର ଏହାକୁ ଅନୁମୋଦନ କରିଛନ୍ତି, ତେବେ ଏହାକୁ ନେଇ ଆଉ କୌଣସି ବିବାଦ ହେବା ଉଚିତ୍ ନୁହେଁ । କିଛି ଓକିଲ ଏଲ ଭିକ୍ଟୋରିଆଙ୍କ ଜଜ୍ ଭାବେ ନିଯୁକ୍ତିକୁ ବିରୋଧ କରୁଥିଲେ ମଧ୍ୟ ମାଡ୍ରାସ୍ ଓକିଲ ସଂଘ (ବାର୍ ଆସୋସିଏସନ୍) ତାଙ୍କୁୂ ସମର୍ଥନ ବ୍ୟକ୍ତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *