ମିଶନ ମେଡିକାଲ ଆରମ୍ଭ
ଦ୍ଭ ହକ୍ ପାଇଁ ଅଞ୍ଚଳବାସୀ ଏକଜୁଟ୍ ଦ୍ଭ ପିଏଚ୍ସିକୁ ସିଏଚ୍ସି ମାନ୍ୟତା ଦାବି
କୋଣାର୍କ (ଆପ୍ର): କୋଣାର୍କରେ ଆଜକୁ ଦୀର୍ଘ ବର୍ଷ ଧରି ଲାଗି ରହିଛି ମେଡିକାଲ ଜନିତ ସମସ୍ୟା । ରାତି ଅନ୍ଧାରେୠଣେ ରୋଗରେ ପଡ଼ିଲେ କୋଣାର୍କ ଠାରୁ ୧୫ କିମି ଦୂରରେ ଥିବା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବ୍ୟତିତ ଅନ୍ୟ କୌଣସି ବାଟ ପାଏ ନାହିଁ । ସାଧାରଣ ଲୋକଙ୍କ କଥା ବେଶ ଦୂରରେ । ଏଠାକୁ ପ୍ରତିଦିନ ବୁଲିବାକୁ ଆସୁଥିବା ହଜାର ହଜାର ସଂଖ୍ୟାର ଦେଶ ବିଦେଶର ପର୍ଯ୍ୟଟକଙ୍କର ଯଦି କେବେ କିଛି ଦୁର୍ଘଟଣା ହୁଏ ତେବେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବେଳେ ବେଳେ ଚିକତ୍ସା ନ ପାଇ ଅନେକ ପର୍ଯ୍ୟଟକ ମୃତୁ୍ୟ ହୋଇଥିବା ନଜିର ରହିଛି । ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଏଭଳି ଘଟଣା ପାଇଁ ବାରମ୍ବାର ଦୀର୍ଘ ବର୍ଷ ଧରି ମେଡିକାଲର ସ୍ଥାୟୀତ୍ୱ ପାଇଁ ଏହି ପ୍ରାଥମିକ କେନ୍ଦ୍ରକୁ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ଏହାକୁ ଗୋଷ୍ଠୀ କେନ୍ଦ୍ରରେ ପରିଣତ କରି ୨୪ ଘଣ୍ଟିଆ ମେଡିକାଲ୍ ସେବା ଯୋଗାଇଦେବା ନିମନ୍ତେ କୋଣାର୍କ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ କଥା ତିଳେ ମାତ୍ରେ ଶୁଣି ନାହାନ୍ତି ।
ସତେ ଯେପରି ଆଖି ଥାଇ ସରକାର ପାଲଟି ଯାଇଛନ୍ତି ଅନ୍ଧ, ନିର୍ବାଚନୀ ମାହୋଲରେ ନେତା କର୍ମୀଙ୍କ ଭାଷଣ ଶୁଣିଶୁଣି ଲୋକେ ଆବାକ ହେଉଥିଲେ ହେଁ ବାସ୍ତବତା ଠାରୁ ପ୍ରତିଶ୍ରୁତି ବେଶ୍ ଦୂରରେ । କୋଣାର୍କକୁ ଅନ୍ତର୍ଜାତୀୟସ୍ତରୀୟ ଭାବେ ଗଢ଼ିତୋଳିବା ନିମନ୍ତେ କେନ୍ଦ୍ରସରକାରଙ୍କ ସହଯୋଗରେ ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ଅନେକ ଯୋଜନା ଏବେ କୋଣାର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିଲା ବେଳେ ସାମାନ୍ୟ ସ୍ୱାସ୍ଥ୍ୟସେବାର ମୌଳିକ ସୁବିଧା ଏଠାରେ ପର୍ଯ୍ୟଟକ କି ସ୍ଥାନୀୟ ଲୋକମାନେ ଦୀର୍ଘ ଦିନ ହେବ ନ ପାଇ ଅବହେଳିତ ଅବସ୍ଥାରେ ରହିଛନ୍ତି । ଯାହା ବିଶ୍ୱଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଏକ ଉପହାସ ସଦୃଶ୍ୟ ହୋଇଛି । ଏସବୁକୁ ଅନୁଭବ କରି କୋଣାର୍କର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ଏହି ମୁଖ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସ୍ଥାନୀୟ ଯୁବକଙ୍କୁ ନେଇ ମିଶନ ମେଡିକାଲ୍ର ଶୁଭାରମ୍ଭ କରାଯାଇଛି । ଏହାକୁ ନେଇ କୋଣାର୍କ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା ଏକ ସାମୂହିକ ବୈଠକ । ବୈଠକରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ସୁତନ ପଞ୍ଚାୟତ ସମିତି ସଭ୍ୟ କାଶୀନାଥ ନାୟକ, ବରିଷ୍ଠ ରାଜନେତା ମନୋରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେବା ସହ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ଯୁବପିଢ଼ିଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସର୍ବସମ୍ମତି କ୍ରମେ ପ୍ରଥମେ କୋଣାର୍କ ଅଞ୍ଚଳରୁ ୧୦୦୦ ରୁ ଊର୍ଦ୍ଧ୍ୱ ସ୍ୱାକ୍ଷର ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଉକ୍ତ ସ୍ୱାକ୍ଷର ସଂଲଗ୍ନ ଏକ ଦାବିପତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଛି ।