ଆନ୍ତର୍ଜାତିକ କ୍ରିକେଟ୍ରୁ ଫିଞ୍ଚ୍ଙ୍କ ଅବସର

ସିଡ୍ନୀ, ୭ା୨ (ଏଜେନ୍ସି): ଅଷ୍ଟ୍ରେଲିଆର ଟି-୨୦ ଅଧିନାୟକ ଆରୋନ୍ ଫିଞ୍ଚ୍ ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି । ଫିଞ୍ଚ୍୍ ଗତ ବର୍ଷ ଦିନିକିଆ କ୍ରିକେଟ୍ ଛାଡ଼ିଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ନେଇଛନ୍ତି । ସେ ଅଷ୍ଟ୍ରେଲିଆର ୨୦୨୧ ଟି-୨୦ ବିଶ୍ୱକପ୍ ବିଜେତା ଟିମ୍ର ଅଂଶବିଶେଷ ଥିଲେ । ସେ କ୍ଷୁଦ୍ରତମ ଫର୍ମାଟ୍ରେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ସ୍କୋରର୍ ମଧ୍ୟ ।
ଅବସର ନେଇ ଜାରି କରିଥିବା ବିବୃତିରେ ଫିଞ୍ଚ୍ କହିଛନ୍ତି, “ମୋତେ ଲାଗୁଛି ଯେ ମୁଁ ୨୦୨୪ ଟି-୨୦ ବିଶ୍ୱକପ୍ ଖେଳିପାରିବି ନାହିଁ । ଏଥିପାଇଁ ଏବେ ଅବସର ନେବାର ପ୍ରକୃଷ୍ଟ ସମୟ । ମୁଁ ମ୍ୟାନେଜ୍ମେଣ୍ଟକୁ ପରବର୍ତ୍ତୀ ବିଶ୍ୱକପ୍ ପାଇଁ ଟିମ୍ ଗଠନ ଓ ନୂଆ ଅଧିନାୟକଙ୍କୁ ସେଟ୍ ହେବା ଲାଗି ସମୟ ଦେବା ଆବଶ୍ୟକ । ୧୨ ବର୍ଷ ଯାଏଁ ଅଧିନାୟକତ୍ୱ କରି ଓ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଖେଳି ବହୁତ ଭଲ ଲାଗିଲା ।”
ବିବିଏଲ୍ରେ ଖେଳିବା ଜାରି ରଖିବେ
ଟି-୨୦ କ୍ରିକେଟ୍ ଇତିହାସରେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଅଧିନାୟକ ଫିଞ୍ଚ୍ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ମେଲ୍ବର୍ଣ୍ଣ ରେନେଗେଡ୍ସ ପାଇଁ ଖେଳିବା ଜାରି ରଖିବେ । ୨୦୨୨ ଅଧିନାୟକ ଭାବେ ଫିଞ୍ଚ୍ଙ୍କ ପାଇଁ ଭଲ ନ ଥିଲା । ଟି-୨୦ ବିଶ୍ୱକପ୍ରେ ଆୟୋଜକ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟରେ ବି ପହଞ୍ଚିପାରି ନ ଥିଲା । ଏହା ଫଳରେ ତାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା ।
ଟି-୨୦ କ୍ରିକେଟ୍ରେ ସୁଖ୍ୟାତି ଅର୍ଜନ
ଫିଞ୍ଚ୍ ଟି-୨୦ କ୍ରିକେଟ୍ ଜରିଆରେ ରେକର୍ଡ କରିଥିଲେ । ସେ ଅଷ୍ଟ୍ରେଲିଆର ସର୍ବାଧିକ ସମୟ ଯାଏଁ ରହିଥିବା ଅଧିନାୟକ । ତାଙ୍କୁ ୨୦୧୩ରେ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଫିଞ୍ଚ୍ ଅଷ୍ଟ୍ରେଲିଆ ପାଇଁ ୭୬ ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ । ସେହି ସମୟରେ ଟିମ୍ ୪୦ ମ୍ୟାଚ୍ ଜିତିଥିବା ବେଳେ ୩୨ ମ୍ୟାଚ୍ରେ ହାରିଥିଲା । ଗୋଟିଏ ମ୍ୟାଚ୍ ଟାଇ ରହିଥିଲା ଏବଂ ତିନିଟିର ଫଳାଫଳ ବାହାରିପାରି ନ ଥିଲା । ସେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଟି-୨୦ ଆନ୍ତର୍ଜାତିକ ସ୍କୋରର୍ ଭାବେ ୩୧୨୦ ରନ୍ କରିଛନ୍ତି ।
ଫିଞ୍ଚ୍ ୨୦୧୧ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଡେବୁ୍ୟ କରିଥିଲେ । ସେ ମୋଟ୍ ୧୪୬ ଦିନିକିଆ ଖେଳି ୫୪୦୬ ରନ୍ କରିଛନ୍ତି । ଟି-୨୦ରେ ସେ ମୋଟ୍ ୧୦୩ ମ୍ୟାଚ୍ ଖେଳିଛନ୍ତି । ସେ ମଧ୍ୟ ପାଞ୍ଚ ଟେଷ୍ଟ ମ୍ୟାଚ୍ ଖେଳି ୨୭୮ ରନ୍ କରିଛନ୍ତି । ନିଜ ଆନ୍ତର୍ଜାତିକ କ୍ୟାରିଅରରେ ସେ ମୋଟ୍ ୧୯ ଶତକ ଲଗାଇଛନ୍ତି । ଫିଞ୍ଚ୍ ୨୦୨୨ ଅକ୍ଟୋବର ୩୧ରେ ଆୟରଲାଣ୍ଡ ବିପକ୍ଷରେ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *