ଅଡାନୀ ପ୍ରସଙ୍ଗରେ ପ୍ରବଳ ହଙ୍ଗାମା

ନୂଆଦିଲ୍ଲୀ, ୬ା୨: ଅଡାନୀ ଗ୍ରୁପ୍ର ତଥାକଥିତ ଜାଲ କାରବାର ସମ୍ପର୍କରେ ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ କ୍ରମାଗତ ତୃତୀୟ ଦିନ ସଂସଦର ଉଭୟ ସଦନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ୧୬ଟି ବିରୋଧୀ ଦଳର ସାଂସଦମାନେ ତଦନ୍ତ ଦାବିରେ ପ୍ରବଳ ନାରାବାଜି କରିବାରୁ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏବଂ ପରେ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ସଂସଦରେ ହଟ୍ଟଗୋଳ ପୂର୍ବରୁ ବିରୋଧୀ ସାଂସଦମାନେ ସଂସଦ ଭବନ ବାହାରେ ବିକ୍ଷୋଭ କରିଥିଲେ । ସଂସଦ ପରିସର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମଧ୍ୟ ଧାରଣା ଦେଇଥିଲେ । ଅଡାଣୀ ଗ୍ରୁପ୍ର ସେୟାର ହେରଫେର ଅଭିଯୋଗର ତଦନ୍ତ ମଳିତ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ସେମାନଙ୍କ ଏକମାତ୍ର ଦାବି । ମିଡିଆ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେଲେ ବିରୋଧୀ ଦଳମାନେ ସହଯୋଗ କରିବେ । ପୂର୍ବରୁ ସରକାର ଜୋର ଦେଇ କହିଥିଲେ ଯେ ବିରୋଧୀ ଦଳମାନେ ପାରମ୍ପରିକ ଅଭିଭାଷଣ ଉପରେ ଆଲୋଚନାକୁ ଅନୁମତି ଦେବା ଉଚିତ୍ । ଏ ସମ୍ବନ୍ଧରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକା ଅର୍ଜୁନ ଖଡ଼ଗେ କହିଥିଲେ ଯେ ବିରୋଧୀ ଦଳମାନେ ଏଥିପାଇଁ ପ୍ରସ୍ତୁତ କିନ୍ତୁ ‘ପ୍ରଥମ ପ୍ରାଥମିକତା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଣ୍ଡନବର୍ଗ-ଅଡାଣୀ ବିବାଦ ଉପରେ ଉତ୍ତର ଦିଅନ୍ତୁ ।
ସୋମବାର ସଂସଦ ଭବନରେ ଖଡ଼ଗେଙ୍କ ଚାମ୍ବରରେ ବିରୋଧୀ ସାଂସଦମାନଙ୍କ ବୈଠକ ହୋଇଥିଲା । ସେମାନେ ମିଳିତ ଭାବେ ଅଡାଣୀ ବିବାଦର ଜେପିସି ତଦନ୍ତ ଦାବି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦାବି ପୂରଣ ନ ହେଲେ ସଂସଦରେ ଅନ୍ୟ କୌଣସି କାର୍ଯ୍ୟ ସେମାନେ କରାଇ ଦେବେ ନାହିଁ । ସେମାନଙ୍କ ତର୍କ ହେଉଛି, ସେୟାର ବଜାରରେ ଅଡାଣୀ-ହିଣ୍ଡନବର୍ଗ ବିବାଦ ଯୋଗୁ ଯେଉଁ କ୍ରାସ୍ ହୋଇଛି, ତାହା ଏକ ଘୋଟାଲା । ଏଥିରେ ସାଧାରଣ ଜନତାଙ୍କ ଅର୍ଥ ବରବାଦ ହୋଇଛି । କାରଣ ସାର୍ବଜନିକ କ୍ଷେତ୍ରର ଏଲ୍ଆଇସି ଓ ଷ୍ଟେଟ୍ ବ୍ୟାଙ୍କ ଅଡାଣୀ ଗ୍ରୁପ୍ରେ ପୁଞ୍ଜି ନିବେଶ କରିଥିଲେ ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *