ଟିମ୍ ଇଣ୍ଡିଆକୁ ସ୍ୱଦେଶରେ ହରାଇବା କଷ୍ଟସାଧ୍ୟ

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା
ନାଗପୁର, ୫ା୨ (ଏଜେନ୍ସି): ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମ୍ ଅଷ୍ଟ୍ରେଲିଆ ଏବେ ଭାରତ ଗସ୍ତରେ ଅଛି । ଆସନ୍ତା ୯ ତାରିଖରୁ ଉଭୟ ଦେଶ ମଧ୍ୟରେ ଚାରି ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ଭ୍ରମଣକାରୀ ଟିମ୍ ଆୟୋଜକକୁ କଡ଼ା ଆହ୍ୱାନ ଦେବ ବୋଲି ଆଶା କରାଯାଉଛି । ତେବେ ନିଜ ଘରେ ଭାରତର ୧୦ ବର୍ଷର ରେକର୍ଡକୁ ଦେଖିଲେ ଜଣାଯାଏ, କଙ୍ଗାରୁ ଟିମ୍ ଏଠାରେ ଶୃଙ୍ଖଳା ଜିତିଲେ କଷ୍ଟସାଧ୍ୟ ।
ଘରେ କ୍ରମାଗତ ୧୫ ଟେଷ୍ଟ
ଶୃଙ୍ଖଳା ବିଜୟ
ଭାରତ ୨୦୧୩ ଠାରୁ ଏ ଯାବତ ଘରେ କ୍ରମାଗତ ୧୫ ଟେଷ୍ଟ ଶୃଙ୍ଖଳା ଜିତିଛି । ବିଶ୍ୱର ଅନ୍ୟ କୌଣସି ଟିମ୍ ନିଜ ଘରେ କ୍ରମାଗତ ଭାବେ ୧୦ରୁ ଅଧିକ ଟେଷ୍ଟ ଶୃଙ୍ଖଳା ଜିତିପାରି ନାହିଁ । ଟିମ୍ ଇଣ୍ଡିଆ ସେହି ୧୫ରୁ ନଅ ସିରିଜ୍ରେ ବିପକ୍ଷ ଟିମ୍କୁ କ୍ଲିନ୍ସ୍ୱିପ୍ କରିଛି । ୧୫ରୁ ଆଠ ଶୃଙ୍ଖଳାରେ ସେନା ଦେଶ ଅର୍ଥାତ୍ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନୁ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହି ସମୟରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍କୁ ମଧ୍ୟ ହରାଇଥିଲା । ଭାରତକୁ ଶେଷ ଥର ୨୦୧୨ରେ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାରେ ହରାଇଥିଲା ।
୧୦ ବର୍ଷ ମଧ୍ୟରେ ଘରେ
ସର୍ବାଧିକ ବିଜୟ ପ୍ରତିଶତ
ଭାରତ ୨୦୧୩ରୁ ଏ ଯାଏଁ ଘରେ ୪୨ ଟେଷ୍ଟ ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ଟିମ୍ ୩୪ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ଦୁଇ ମ୍ୟାଚ୍ରେ ହାରିଛି । ଏହାର ଅର୍ଥ ୧୦ ବର୍ଷ ମଧ୍ୟରେ ଭାରତର ବିଜୟ ପ୍ରତିଶତ ୮୦.୯୫ ପ୍ରତିଶତ । ୧୦ ବର୍ଷ ମଧ୍ୟରେ ଅନ୍ୟ କୌଣସି ଟିମ୍ର ନିଜ ଘରେ ଏତେ ବିଜୟ ପ୍ରତିଶତ ନାହିଁ । ଭାରତ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ, ଯିଏକି ୧୯୯୮ରୁ ୨୦୦୭ ମଧ୍ୟରେ ଘରେ ୭୯.୬୬ ପ୍ରତିଶତ ଟେଷ୍ଟ ମ୍ୟାଚ୍ ଜିତିଛି । କଙ୍ଗାରୁ ଟିମ୍ ଏହି ସମୟରେ ୫୯ ଟେଷ୍ଟ ମ୍ୟାଚ୍ ଖେଳି ୪୭ରେ ବିଜୟ ହାସଲ କରିଛି ।
୧୫ରୁ ନଅ ଶୃଙ୍ଖଳାରେ କ୍ଲିନ୍ସ୍ୱିପ୍
ଗତ ୧୦ ବର୍ଷ ମଧ୍ୟରେ ଭାରତ ଜିତିଥିବା ୧୫ ଟେଷ୍ଟ ଶୃଙ୍ଖଳା ମଧ୍ୟରୁ ନଅ ଶୃଙ୍ଖଳାରେ କ୍ଲିନ୍ସ୍ୱିପ୍ କରିଛି । ସେଥିରେ ଗୋଟିଏ ମ୍ୟାଚ୍ ବିଶିଷ୍ଟ ଦୁଇ ଟେଷ୍ଟ ଶୃଙ୍ଖଳା ରହିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ବାଂଲାଦେଶ ଓ ଆଫଗାନିସ୍ତାନକୁ ହରାଇଥିଲା । ଭାରତ ଯେଉଁ ଦେଶ ବିପକ୍ଷରେ କ୍ଲିନ୍ ସ୍ୱିପ୍ କରିଛି, ସେଥି ମଧ୍ୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନୁ୍ୟଜିଲାଣ୍ଡ ଓ ଶ୍ରୀଲଙ୍କା ପ୍ରମୁଖ ଦେଶ ରହିଛି ।
୩୧ ଏକତରଫା ବିଜୟ
ଭାରତ ଏହି ୧୦ ବର୍ଷ ମଧ୍ୟରେ ୩୪ ଟେଷ୍ଟ ମ୍ୟାଚ୍ ଜିତିଛି । ୩୪ରୁ ୩୧ରେ ଟିମ୍ ଇଣ୍ଡିଆ ଏକତରଫା ବିଜୟ ହାସଲ କରିଛି । ଯେଉଁ ତିନିଟି ମ୍ୟାଚ୍କୁ ଏକତରଫା ବିଜୟରେ ଗଣତି କରାଯାଉନି, ସେଥି ମଧ୍ୟରେ ଭାରତ ଗୋଟିଏ ମ୍ୟାଚ୍ରେ ୭୫ ରନ୍ ବ୍ୟବଧାନରେ ଓ ଦୁଇ ମ୍ୟାଚ୍ରେ ୬ ୱିକେଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହାଛଡ଼ା ଭାରତ ୧୪ ମ୍ୟାଚ୍ ଇନିଂସ୍ ବ୍ୟବଧାନରେ ଜିତିଛି । ୧୦ ଟେଷ୍ଟ ୨୦୦ରୁ ଅଧିକ ବ୍ୟବଧାନରେ ଓ ଦୁଇ ଟେଷ୍ଟ ୧୦୦ରୁ ଅଧିକ ରନ୍ ବ୍ୟବଧାନରେ ଜିତିଛି ଟିମ୍ ଇଣ୍ଡିଆ । ୱିକେଟ୍ ବ୍ୟବଧାନକୁ ଦେଖିଲେ, ଭାରତ ଦୁଇ ଟେଷ୍ଟ ୧୦ ୱିକେଟ୍ରେ ଓ ତିନି ଟେଷ୍ଟ ୮ ୱିକେଟ୍ରେ ଜିତିଛି ।
ସ୍ପିନର୍ ଓ ପିଚ୍ ଆଧିପତ୍ୟର କାରଣ
ସ୍ପିନର୍ ଓ ଏଠାକାର ପିଚ୍ – ଭାରତୀୟ ଟିମ୍ର ଆଧିପତ୍ୟର କାରଣ । ଭାରତକୁ ଆସୁଥିବା ବିଦେଶୀ ଟିମ୍ଗୁଡ଼ିକ ସ୍ପିନର୍ଙ୍କୁ ଖେଳିବାରେ ସମସ୍ୟା ଭୋଗନ୍ତି । ଭାରତରେ ଗତ ୧୦ ବର୍ଷ ହେଲା ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଓ ବାମହାତି ସ୍ପିନର୍ ରବୀନ୍ଦ୍ର ଜାଡ଼େଜାଙ୍କ ଆଧିପତ୍ୟ ରହିଆସିଛି । ଏହି ସମୟ ମଧ୍ୟରେ ସ୍ପିନର୍ଙ୍କ ମଧ୍ୟରେ ଅଶ୍ୱିନ ସର୍ବାଗ୍ରେ ଅଛନ୍ତି । ସେ ୪୨ ଟେଷ୍ଟ ଖେଳି ୨୫୮ ୱିକେଟ୍ ନେଇଛନ୍ତି । ସେ ୧୯ ଥର ଇନିଂସ୍ରେ ୫ ବା ଏହା ଠାରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି । ଜାଡ଼େଜା ୪୯ ୱିକେଟ୍ ନେଇଛନ୍ତି । ଏବେ ଟିମ୍ରେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ମଧ୍ୟ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *