୬ ଗୁଣ ବଢ଼ିଛି ଭୋଟର ସଂଖ୍ୟା
ନୂଆଦିଲ୍ଲୀ (ଏଜେନ୍ସି): ଦେଶ ସ୍ୱାଧୀନ ହେବା ପର ଠାରୁ ଏଯାବତ୍ ଦେଶର ଭୋଟରଙ୍କ ସଂଖ୍ୟା ପ୍ରାୟ ୬ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨ଠ୨୩ ଜାନୁଆରୀ ୧ ସୁଦ୍ଧା ଦେଶରେ ମୋଟ ମତଦାତାଙ୍କ ସଂଖ୍ୟା ୯୪.୫ଠ କୋଟି ଛୁଇଁଛି । ଖବର ଅନୁସାରେ, ୧୯୫୧ରେ ଦେଶରେ ମୋଟ ଭୋଟରଙ୍କ ସଂଖ୍ୟା ୧୭.୩୨ କୋଟି ଥିଲା, ଯାହା ଏବେ ବଢି ୯୪,୫ଠ,୨୫,୬୯୪ରୁ ଅଧିକ ହୋଇଛି । ତେବେ ୨ଠ୧୯ ସାଧାରଣ ନିର୍ବାଚନ ସମୟରେ ମତଦାତାଙ୍କ ଏକ ବଡ଼ ଭାଗ ପ୍ରାୟ ୩ଠ କୋଟି ନାଗରିକ ଭୋଟଦାନରୁ ବିରତ ରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେଶର ମୋଟ୍ ମତଦାତାଙ୍କ ମଧ୍ୟରୁ ୨ଠ୧୯ରେ ପ୍ରାୟ ଏକ ତୃତୀୟାଂଶ ନିଜ ମତସାବ୍ୟସ୍ତ ନକରିବା ଅତ୍ୟନ୍ତ ଉଦ୍ବେଗଜନକ ବୋଲି ଆୟୋଗ ଉଲ୍ଲେଖ କରିଛନ୍ତି ।
ତଥ୍ୟ ଅନୁସାରେ, ୧୯୫୧ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ୪୫.୬୭% ମତଦାତା ଭୋଟ୍ ଦେଇଥିଲେ । ଏହାପରେ ମତଦାତା ଏବଂ ମତଦାନ ପ୍ରତିଶତ କ୍ରମାଗତ ବଢି ଚାଲିଛି । ୧୯୫୭ ସାଧାରଣ ନିର୍ବାଚନରେ ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୧୯.୩୭ କୋଟି ରହିଥିବା ବେଳେ ମତଦାନ ହାର ୪୭%କୁ ବୃଦ୍ଧି ପାଇଥିଲା । ସେହିପରି ୧୯୬୨ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ୫ଠ% ଭୋଟର ଭୋଟ୍ ଦେଇଥିଲେ । ଏହି ସମୟରେ ମୋଟ ଭୋଟରଙ୍କ ସଂଖ୍ୟା ୨୧ କୋଟିରୁ ଊଦ୍ଧ୍ୱର୍ ଥିଲା । ଏତଦ୍ବ୍ୟତୀତ ୨ଠଠ୯ ନିର୍ବାଚନରେ ପଞ୍ଜିକୃତ ମତଦାତାଙ୍କ ସଂଖ୍ୟା ୭୧ କୋଟି ରହିଥିବା ବେଳେ ୨ଠ୧୪ରେ ଏହି ସଂଖ୍ୟା ବଢି ୮୩ କୋଟି ହୋଇଥିଲା । ୨ଠ୧୯ ସାଧାରଣ ର୍ନିବାଚନରେ ମୋଟ ୯୧ କୋଟି ପଞ୍ଜିକୃତ ଭୋଟର ରହିଥିବା ବେଳେ ୬୭% ନାଗରିକ ସେମାନଙ୍କ ଭୋଟ୍ ଦେଇଥିଲେ ।