ଧନେଶ୍ୱରଙ୍କୁ ପିଟିପିଟି ମାରିଦେଲେ
କଟକ/ନରସିଂହପୁର/ବାଙ୍କୀ, ୬ା୨ (ବୁ୍ୟରୋ/ଆପ୍ର): ଆଠଗଡ଼ ବନଖଣ୍ଡ ଅଧୀନ ବଡ଼ମ୍ବା ବନ ବିଭାଗ ହେପାଜତରେ ଥିବା ହାତୀ ମୃତୁ୍ୟ ମାମଲାର ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କର ମୃତୁ୍ୟ ଘଟିଛି । ତାଙ୍କୁ ବନକର୍ମଚାରୀମାନେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ୍ ଦୁଇ ଏସିଏଫ୍, ଜଣେ ରେଞ୍ଜର ଓ ୭ ଅନ୍ୟ ବନ କର୍ମ·ରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ମୃତ ଧନେଶ୍ୱର (୫୯)ଙ୍କ ଘର ଖୁଣ୍ଟକଟା ସାତଗୋଛିଆ ଗାଁରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ଚାକିରୀ ସହ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଛି ।
ସୂଚନା ଅନୁଯାୟୀ, ଚଳିତ ମାସ ଦୁଇ ତାରିଖରେ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ ବିଟ୍ଅଧିନ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଥିଲା ।
ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅଧୀନ ହିନେ୍ଦାଳ ବଡ଼ରର କମ୍ପାଟମେଣ୍ଟ ୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ହାତୀ ମରି ପଡିଥିବା ଖବର ପାଇ ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁଇ ଦିନ ପୂର୍ବରୁ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଜଙ୍ଗଲରେ ପଡିରହିଥିବା ଜଣାପଡ଼ିଥିଲା । ମୃତ ହାତୀର ଦାନ୍ତ ଚୋରି ହୋଇଥିଲା । ଏ ନେଇ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ମୃତ ହାତୀ ବିଷୟରେ ଲୋକଲୋଚନକୁ ଆସିଥିଲା । ବନ କର୍ମଚାରୀମାନେ ଚଢାଉ କରି ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କୁ ଉଠାଇ ଆଣିଥିଲେ । ରବିବାର ଧନେଶ୍ୱରଙ୍କ ସନେ୍ଦହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ପ୍ରଥମେ ବଡ଼ମ୍ବା ଓ ପରେ ତିଗିରିଆ ମେଡିକାଲକୁ ଧନେଶ୍ୱରଙ୍କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତିଗିରିଆ ପୁଲିସ୍ ପହଞ୍ଚି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଆଠଗଡ଼ ବନ ଖଣ୍ଡର ଦୁଇ ଏସିଏଫଓ ହରେକୃଷ୍ଣ ମଲିକ ଓ ଘନଶ୍ୟାମ ମୁଦୁଲି ଓ ୬ଜଣ ବନ ବିଭାଗ କର୍ମଚାରୀଙ୍କୁ ଆଠଗଡ଼ ଥାନାରେ ଅଟକ ରଖା ଯାଇ ଧନେଶ୍ୱରଙ୍କ ମୃତୁ୍ୟ ସମ୍ପର୍କରେ ଜେରା କରୁଛି । ଆଠଗଡ଼ ଥାନାରେ ତିଗିରିଆ ଥାନା ଆଇଆଇସି, ଆଠଗଡ଼ ଏସ୍ଡିପିଓ ଏବଂ ଆଠଗଡ଼ ଥାନା ଅଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଆଠଗଡ଼ ଡାକ୍ତରଖାନାରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି, ଆଠଗଡ ଉପଜିଲ୍ଲାପାଳଙ୍କ ସହ ୩ ଜଣ ଡାକ୍ତରଙ୍କ ଉପସ୍ଥିତିରେ ଧନେଶ୍ୱର ବେହେରାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଧନେଶ୍ୱରଙ୍କ ଶରୀରରେ ମାଡ଼ଦାଗ ଥିବା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଦୋଷୀଙ୍କୁ ସମୁଚିତ ଶାସ୍ତି ମିଳିବ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ ।
ପରିବାର ଲୋକଙ୍କ ସହ ଗ୍ରାମବାସୀ ୮ ଘଣ୍ଟା ଧରି କ୍ଷତିପୂରଣ ଦାବିରେ ବଡମ୍ବା ଥାନା ବଡ଼ବାରସିଂହ ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହାସହ ଉତ୍ତ୍ୟେକ୍ତ ଲୋକେ ବନବିଭାଗର ବାଣପୁର ବିଟକୁ ପୋଡିଦେଇଛନ୍ତି । ଏସଡିପିଓ ବିଜୟ କୁମାର ବିଶି ୩ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବଡମ୍ବା ତହସିଲଦାର ନୀଳକଣ୍ଠ ବେହେରା, ବଡମ୍ବା ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ, ସ୍ଥାନୀୟ ବିଜେପି ନେତା ବିଜୟ କୁମାର ଦଳବେହେରା, ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ବ୍ଲକ୍ ଚେୟାରମ୍ୟାନ ରଘୁପତି ମହାନ୍ତି ପ୍ରମୁଖ ପହଞ୍ଚି ଥିଲେ । ତହସିଲଦାର କ୍ଷତିପୁରଣ ବାବଦକୁ ୪ ଲକ୍ଷ ୭୦ ହଜାର ଟଙ୍କା ଏବଂ ରେଡ୍ କ୍ରସ ପାଣ୍ଠିରୁ ତକ୍ରାଳ ୩୦ ହଜାର ଟଙ୍କା, ପରିବାରର ଜଣଙ୍କୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।