ତେଜସ୍ର ସଫଳ ଅବତରଣ ସହ ଇତିହାସ ରଚିଲା ଆଇଏନ୍ଏସ୍ ବିକ୍ରାନ୍ତ
ନୂଆଦିଲ୍ଲୀ (ଏଜେନ୍ସି): ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଯୋଜନା ଅନ୍ତର୍ଗତ ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ନୌସେନାର ଲଢୁଆ ପାଇଲଟ୍ମାନେ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ (ଏଲସିଏ) ତେଜସ୍ ଏବଂ ମିଗ୍-୨୯ର ସଫଳ ଟେକ୍ଅଫ୍ ତଥା ଲ୍ୟାଣ୍ଡିଂ (ଅବତରଣ) କରାଇଛନ୍ତି । ଆଇଏନ୍ଏସ୍ ବିକ୍ରାନ୍ତ ଏବଂ ଏଲସିଏ ତେଜସ୍ର ନିର୍ମାଣ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କରାଯାଇଥିବାରୁ ଏହା ଭାରତ ପାଇଁ ଏକ ବୃହତ୍ ଉପଲବ୍ଧି ଭାବେ ବିବେଚନା କରାଯାଉଛି । ସେହିପରି ରୁଷ୍ ନିର୍ମିତ ମିଗ୍-୨୯ ଯୁଦ୍ଧ ବିମାନକୁ ମଧ୍ୟ ଆଇଏନ୍ଏସ୍ ବିକ୍ରାନ୍ତ ବହନ କରିବାର ସାମର୍ଥ୍ୟ ରଖୁଥିବା ପ୍ରମାଣ ମିଳିଛି । ୪୫ ହଜାର ଟନ୍ ଓଜନ ବିଶିଷ୍ଟ ଆଇଏନ୍ଏସ୍ ବିକ୍ରାନ୍ତ, ଆଇଏନ୍ଏସ୍ ବିକ୍ରମାଦିତ୍ୟ ପରେ ଦେଶର ୨ୟ ଏୟାରକ୍ରାଫ୍ଟ କ୍ୟାରିୟର । ଆଇଏନ୍ଏସ୍ ବିକ୍ରାନ୍ତରେ ଏକକାଳୀନ ୩ଠ ଲଢ଼ୁଆ ବିମାନ ରହିପାରିବେ । ତେବେ ଏହି ସ୍ୱଦେଶୀ ବିମାନ ବାହକକୁ ଡିଜାଇନ୍, ବିକଶିତ, ନିର୍ମାଣ କରିବାରେ ଭାରତର କ୍ଷମତାକୁ ଦର୍ଶାଇଛି ।