ନୋହିଲା ମେୟର ନିର୍ବାଚନ

ଦିଲ୍ଲୀ ଏମ୍ସିଡି ବିବାଦ: ଆପ୍-ବିଜେପି ଉତ୍ତେଜନା ଅବ୍ୟାହତ
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ମେୟର ନିର୍ବାଚନ ଏଥର ମଧ୍ୟ ସମ୍ଭବ ହୋଇପାରିନାହିଁ । ଏହାକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ଦିଲ୍ଲୀ ପୌରପାଳିକା (ଏମ୍ସିଡି)ରେ ମେୟର ନିର୍ବାଚନ ସ୍ଥଗିତ ରହିଛି । ଶାସକ ଦଳ ଏବଂ ବିରୋଧୀ ଦଳର ନିର୍ବାଚିତ କାଉନସିଲରମାନେ ଏମ୍ସିଡି ସଦନ ପରିସରରେ ହୋହଲ୍ଲା କରିବାରୁ ମେୟର ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଛି ।
ଦିଲ୍ଲୀ ଉପରାଜ୍ୟପାଳ (ଏଲ୍ଜି) ଭିକେ ସକ୍ସେନାଙ୍କ ଅନୁମୋଦନ କ୍ରମେ ସୋମବାର ଅର୍ଥାତ୍ ୬ ଫେବ୍ରୁଆରୀରେ ପୌରନିଗମର ମୁଖ୍ୟାଳୟରେ ମେୟର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ ଏମ୍ସିଡିର ଅଧ୍ୟକ୍ଷତା କରୁଥିବା ସତ୍ୟ ଶର୍ମା ସୋମବାର ପୌରଭବନରେ ବୈଠକ ଆରମ୍ଭ ହେବା ମାତ୍ରେ ଘୋଷଣା କରିଥିଲେ ଯେ, ଉପରାଜ୍ୟପାଳ ଯେଉଁ ୧ଠ ସଦସ୍ୟଙ୍କୁ ମନୋନୀତ କରିଛନ୍ତି, ସେମାନେ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଭୋଟ୍ ଦେଇପାରିବେ । ତେବେ ଏହାକୁ ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ପକ୍ଷରୁ ବିରୋଧ କରାଯାଇଥିଲା । ପରେ ବିଜେପିର ନିର୍ବାଚିତ କାଉନସିଲରମାନେ ମଧ୍ୟ ହୋହଲ୍ଲା କରିଥିଲେ । ଦେଖୁଦେଖୁ ପୌର ନିଗମ ମୁଖ୍ୟାଳୟରେ ଆପ୍ ଏବଂ ବିଜେପି କାଉନସିଲରଙ୍କ ମଧ୍ୟରେ ହାତାହାତି ତଥା ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଉତ୍ପନ୍ନ ହୋଇଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମ୍ସିଡି ସଦନର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି । ଅନ୍ୟପକ୍ଷେ ମେୟର ନିର୍ବାଚନକୁ ନେଇ ସୃଷ୍ଟି ହେଉଥିବା ବିବାଦ ପରିପ୍ରେକ୍ଷୀରେ ଶାସକ ଦଳ ଆପ୍ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *