ମିଜାଇଲ ମାଡ଼ରେ ଚୀନ୍ର ସ୍ପାଇ ବେଲୁନ୍ ଧ୍ୱସ୍ତ

ୱାଶିଂଟନ, ୫ା୨: ଆଠ ଦିନ ଧରି ୟୁଏସ୍ ଏୟାର୍ ଡିଫେନ୍ସ ଜୋନ୍ ଭିତରେ ଉଡୁଥିବା ଚୀନ୍ର ଗୁଇନ୍ଦା ବେଲୁନ୍କୁ ଆମେରିକାର ବାୟୁସେନା ବୁଧବାର ମିଜାଇଲ ମାଡ଼ରେ ଖସାଇ ଦେଇଛି । ବହୁ ଆଣବିକ କ୍ଷେପଣାସ୍ତ୍ର ଭଣ୍ଡାର ଥିବା ମାଲ୍ମଷ୍ଟ୍ରମ୍ ବାୟୁସେନା ଘାଟି (ମଣ୍ଟାନା) ଉପରେ ବେଲୁନ୍ ଉଡୁଥିବା ଜଣାପଡିବା ପରେ ରାଷ୍ଟ୍ରପତି ଜୋ ବାଇଡନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଥିଲେ । ଏଫ୍-୨୨ ଫାଇଟର ଜେଟ୍ର ପାଇଲଟ୍ମାନେ ହିଲିୟମ୍ ଗ୍ୟାସ୍ଚାଳିତ ପ୍ରକାଣ୍ଡ ବେଲୁନ୍ ଉପରେ ଏଆଇଏମ୍-୯ଏକ୍ସ ସାଇଡ୍ୱାଇଣ୍ଡର ନାମକ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ । ଛୋଟକାଟର ବିସ୍ଫୋରଣ ପରେ ବେଲୁନ୍ଟି ଆଟଲାଣ୍ଟିକ୍ ସମୁଦ୍ରକୁ ଖସିପଡିଛି । ସାଉତ୍ କାରୋଲିନାର ମର୍ଟିଲ୍ ବେଳାଭୂମି ନିକଟ ୪୭ ଫୁଟ ଗଭୀର ଜଳରାଶିରୁ ବେଲୁନ୍ର ଟୁକୁଡା ଅଂଶ ସଂଗ୍ରହ ପାଇଁ ବଡ ବଡ କ୍ରେନ୍ ଥିବା ୨ଟି ନାଭାଲ୍ ଜାହାଜ ମୁତୟନ କରାଯାଇଛି ।
ମିଶନ ସଫଳ ହେବା ପରେ ବାଇଡନ୍ ପାଇଲଟମାନଙ୍କୁ ବଧାଇ ଦେଇଛନ୍ତି । ଆମେରିକାର କାର୍ଯ୍ୟାନୁଷ୍ଠାନରେ ଚୀନ୍ ତୀବ୍ର ପ୍ରତିକ୍ରିୟା ଦେଇ କହିଛି – ବେଲୁନ୍କୁ ନଷ୍ଟ କରି ଆମେରିକା ଅନ୍ତର୍ରାଷ୍ଟ୍ରୀୟ ନିୟମ ଭଙ୍ଗ କରିଛି । ଆମେରିକା ଭୁଲିଯିବା ଉଚିତ୍ ନୁହେଁ ଯେ ଆମେ ପାଖରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଧିକାର ଅଛି । ଆମେରିକା ଆକାଶ ସୀମା ଭିତରକୁ ଚୀନ୍ର ଗୁଇନ୍ଦା ବେଲୁନ୍ ଆସିବା ଫଳରେ ଦୁଇ ଦେଶ ଭିତରେ କୂଟନୈତିକ ସଙ୍କଟ ସୃଷ୍ଟି ହୋଇଥିଲା । ବିଦେଶ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ଚୀନ୍ ଗସ୍ତ ବାତିଲ କରି ଦେଇଥିଲେ । ଲିଙ୍କନ ରବିବାର ଠାରୁ ଦୁଇଦିନିଆ ଚୀନ୍ ଗସ୍ତରେ ଯିବାର ଥିଲା । ଶୁକ୍ରବାର ଚୀନ୍ ସଫେଇ ଦେଇଥିଲା ଯେ ବେଲୁନ୍ଟି ଏକ ବେସାମରିକ ଏୟାରଶିପ୍ । ପାଣିପାଗ ସୂଚନା ସଂଗ୍ରହ ପାଇଁ ଏହାକୁ ଛଡ଼ାଯାଇଛି । ପ୍ରତିକୂଳ ବାୟୁ ପ୍ରବାହ ଯୋଗୁଁ ନିର୍ଦ୍ଧାରିତ ମାର୍ଗରୁ ଆମେରିକା ଆକାଶ ସୀମାକୁ ଉଡିଯାଇଛି । ତା’ପରଦିନ ଚୀନା ବିଦେଶ ମନ୍ତ୍ରାଳୟ ବିବୃତିରେ କୁହାଗଲା ଯେ, ଆମେରିକାରେ କିଛି ନେତା ଓ ମିଡ଼ିଆ ବେଲୁନ୍ ବାହାନାରେ ଚୀନ୍କୁ ବଦନାମ କରୁଛନ୍ତି ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଏଭଳି ବେଲୁନ୍ ଯୋଗେ ବୋମା ପକାଯାଇଥିଲା । ଚୀନା ବେଲୁନ୍ଟି ଏତେ ବଡ଼ ଥିଲା ଯେ, ତା’ର ନିମ୍ନ ଭାଗରେ ପରମାଣୁ ବୋମା ଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତୁଙ୍ଗ ପ୍ରତିରକ୍ଷା ଅଧିକାରୀଙ୍କ ସହ ଘନ ଘନ ବୈଠକ ପରେ ରାଷ୍ଟ୍ରପତି ବାଇଡନ ବେଲୁନ୍ଟିକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଉଡାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *