ଭୁବନେଶ୍ୱର, ୫ା୨(ବୁ୍ୟରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ କ୍ୟାମ୍ପେନିଂ ରଣନୀତି ଜୋରଦାର କରିଛନ୍ତି । ଏହା ଭିତରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର ମୁଖ୍ୟ କେସିଆର୍ ତାଙ୍କ ଫୋକସ୍ରେ ଓଡିଶାକୁ ରଖିଛନ୍ତି । ବିଆର୍ଏସ୍ ଜାତୀୟ ଦଳ ମାନ୍ୟତା ପାଇବା ପରେ ଏବେ ବିଭିନ୍ନ ଦଳରୁ ତଡା ଖାଇଥିବା ଓ କୋଣଠେସା ନେତାଙ୍କୁ ନେଇ ଓଡିଶାରେ କ୍ଷମତା ଦଖଲ ପାଇଁ ଯୋଜନା କରିଛି । ଆସନ୍ତା ବିଧାନସଭା ନିର୍ବାଚନରେ ବିଆରଏସ୍ ରାଜ୍ୟର ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେବା ଲାଗି ଘୋଷଣା କରିଛି । ବିରୋଧୀ ଦଳଗୁଡିକର ନିଷ୍କ୍ରିୟତା ଏବଂ ଶାସକ ଦଳର ତଥାକଥିତ ଅପାରଗତାକୁ ଏଜେଣ୍ଡା କରି ଦଳ ଖୁବ୍ ଶୀଘ୍ର ଲୋକଙ୍କ ନିକଟକୁ ଯିବ । ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତେଲେଙ୍ଗାନାରେ ଯେଉଁ ପଲିସି କାର୍ଯ୍ୟକାରୀ ହେଉଛି, ଦଳ କ୍ଷମତାକୁ ଆସିଲେ ସେହି ପଲିସିକୁ ଓଡିଶାରେ କାର୍ଯ୍ୟକାରୀ କରିବ ବୋଲି ବିଆର୍ଏସ୍ ନେତାଙ୍କ ପକ୍ଷରୁ କୁହାଯାଇଛି । ତେବେ ଏଥିରେ ଶାସକ ଦଳର ଭୋଟ୍ ବ୍ୟାଙ୍କ କୌଣସିମତେ ପ୍ରଭାବିତ ହେବ ନାହିଁ ବୋଲି ବିଜେଡି କହିଥିବା ବେଳେ ରାଜ୍ୟ ବିଏସ୍ଆର ନେତାଙ୍କୁ ‘ଉଡ଼ନ୍ତା କାଉ’ କହି ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । ଓଡିଶାରେ ଭାରତ ରାଷ୍ଟ୍ର ସମିତିର ଏଣ୍ଟ୍ରି ପରେ ଏହି ନୂଆ ଦଳର ରାଜ୍ୟ ନେତାମାନେ କମର କଷିବା ଆରମ୍ଭ କରିଛନ୍ତି । ନିଜ ଦଳର ଚିହ୍ନ କାର୍ ହୋଇଥିବାରୁ ନେତାମାନେ କାର୍ରେ ଲୋକଙ୍କ ପାଖକୁ ଯିବେ । ବିଆରଏସ୍ର ନୀତି ଆଦର୍ଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ । ଚାଷୀ, ଦଳିତଙ୍କ ସମେତ ସମାଜର ପ୍ରତ୍ୟେକଟି ବର୍ଗର ଲୋକଙ୍କୁ କିଭଳି ସାମାଜିକ ନ୍ୟାୟ ମିଳିପାରିବ, ସେଥିପାଇଁ ଦଳ ଲଢ଼େଇ କରିବ । ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତେଲେଙ୍ଗାନାରେ ଯେଉଁ ମଡେଲ କାର୍ଯ୍ୟକାରୀ ହେଉଛି, ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ସେହି ଫର୍ମୁଲା କାର୍ଯ୍ୟକାରୀ କରିବ । ‘ଲୋକଙ୍କ ସମର୍ଥନ ହାସଲ କରିବୁ, ରାଜ୍ୟରେ ସରକାର ଗଢିବୁ’ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଆର୍ଏସ୍ ନେତା ।
ଭୁବନେଶ୍ୱରେ ଅନୁଷ୍ଠିତ ସମ୍ବାଦିକ ସମ୍ମଳନୀରେ ବିଆରଏସ୍ ନେତା ଅକ୍ଷୟ କୁମାର କହିଛନ୍ତି, କେସିଆର୍ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତେଲେଙ୍ଗାନା ଯାଇ ସେଠାରେ ତାଙ୍କ ଦଳରେ ଯୋଗ ଦେଇଛୁ । ଆସନ୍ତା ନିର୍ବାଚନରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଲୋକଙ୍କୁ ପାଖକୁ ଯିବୁ । ଲୋକେ ବିକଳ୍ପ ଖୋଜୁଛନ୍ତି । ବିରୋଧୀ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଗଲେଣି । ବହୁ ରାଜନୈତିକ ଦଳର ଲୋକ ଆମ ସହିତ ରହିଛନ୍ତି । ଏପରି କି ଶାସକ ଦଳର ଅଧିକ ନେତା ଆମ ଦଳକୁ ଆସିବେ । ଖୁବ ଶୀଘ୍ର କମିଟି ଘୋଷଣା କରାଯିବ । ମାସେ ଭିତରେ ଦକ୍ଷ ଲୋକଙ୍କୁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦେବୁ ଏବଂ ସବୁ ଗ୍ରାମକୁ କାର୍ରେ ଯାଇ ପ୍ରଚାର କରିବୁ ବୋଲି ବିଆରଏସ୍ ନେତା ଅକ୍ଷୟ କୁମାର ଓ ଜୟରାମ ପାଙ୍ଗି କହିଛନ୍ତି ।
ଅପରପକ୍ଷେ, ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିÿବ ନାହିଁ କହିଛନ୍ତି ବିଜେଡି ବିଧାୟକ ଶଶି ଭୂଷଣ ବେହେରା । ବିଆର୍ଏସ୍ ନେତାମାନେ କେବଳ ନିଜ କଥା କହିବେ । ବିଜେଡିର ନୀତି ଆଦର୍ଶକୁ ନେଇ ଜାତୀୟ ଦଳର ନେତାମାନେ ସଭା ଉପରେ ଖୁଲମଖୁଲା ପ୍ରଶଂସା କରୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସରୁ କେହି ବି ବିଆରଏସ୍ ଯିବେନି । ଯେଉଁମାନେ ଯାଇଛନ୍ତି, ସେମାନେ ଉଡ଼ନ୍ତା କାଉ । ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ବିରୋଧୀ ଦଳର ନେତା ହେଲେ । ପରେ କେନ୍ଦ୍ରମନ୍ତ୍ରୀ ହେବା ସହିତ ବହୁ ଥର ଲୋକସଭାକୁ ଯାଇଛନ୍ତି । ସେ ବିଜେପିକୁ ଉଡିଯାଇଥିଲେ, ସେଠାରୁ ପୁଣି ଫୁର୍ କିନା ଉଡି ବିଆରଏସ୍ରେ ଯୋଗ ଦେଲେଣି ।