୨୩୨ ଚୀନା ଆପ୍ ବ୍ଲକ୍
ଭାରତ ସରକାରଙ୍କ ଡିଜିଟାଲ୍ ଷ୍ଟ୍ରାଇକ୍
ନୂଆଦିଲ୍ଲୀ, ୫ା୨: ମୋଦି ସରକାର ପୁଣି ଥରେ ଚୀନ୍ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି । ଏକ ସଙ୍ଗେ ୨୩୨ଟି ଚୀନା ମୋବାଇଲ୍ ଆପ୍କୁ ଭାରତରେ ବ୍ଲକ୍ କରି ଦିଆଯାଇଛି । ସେଥିରେ ୧୩୭ ସଟ୍ଟାବାଜି ଆପ୍ ଓ ୯୪ ଲୋନ୍ ଆପ୍ ଅନ୍ତର୍ଭୁକ୍ତ । ଗତ ବର୍ଷ ସୂଚନା ପ୍ରଜୁକ୍ତି ମନ୍ତ୍ରାଳୟ ପକ୍ଷରୁ ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଦୃଷ୍ଟିରୁ ୫୪ ଚୀନା ଆପ୍କୁ ବ୍ୟାନ କରାଯାଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ବ୍ଲକ୍ କରାଯାଇଥିବା ଆପ୍ ଗୁଡ଼ିକର ମୂଳ ମାଲିକ ଚୀନା ନାଗରିକ । ସେମାନେ ଭାରତୀୟମାନଙ୍କୁ ନିଯୁକ୍ତି ଦେଇଥିଲେ । ଲୋନ୍ ଆପ୍ ଜରିଆରେ ଲୋକଙ୍କୁ କମ୍ ସୁଧ ହାରରେ ଋଣ ପ୍ରଲୋଭନ ଦେଖାଇ ପରେ ୩୦୦୦% ପର୍ଯ୍ୟନ୍ତ ସୁଧ ବଢ଼ାଇ ଟଙ୍କା ଅସୁଲ କରାଯାଉଥିଲା ।ସୁଧ ପୈଠରେ ଅସମର୍ଥ ହେଲେ ସମ୍ପୃକ୍ତ ଆପ୍ ପାଇଁ କାମ କରୁଥିବା ଲୋକେ ଋଣ ଗ୍ରହୀତାଙ୍କୁ ନାନା ପ୍ରକାରେ ହଇରାଣ କରୁଥିଲେ । ଏହି କାରଣରୁ ବିଶେଷ ଭାବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଅନେକ ଲୋକ ଆତ୍ମହତ୍ୟା କରିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ଏଜେନ୍ସିମାନେ ଚୀନା ଆପ୍ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରାମର୍ଶ ଦେଇଥିଲେ ।
ବିଭିନ୍ନ ଇ ଷ୍ଟୋର୍ରେ ଏଭଳି ୯୪ ଆପ୍ ଉପଲବ୍ଧ ଥିବା ତଦନ୍ତରୁ ଜଣାପଡ଼ିଥିଲା । ସେଗୁଡ଼ିକ ଥାର୍ଡ-ପାର୍ଟି ଲିଙ୍କ ମାଧ୍ୟମରେ କାମ କରୁଥିଲା । ସେମାନଙ୍କ କାମ ଥିଲା ଲୋକଙ୍କୁ ଫସାଇବା ଏବଂ ଆପ୍ ଜରିଆରେ ଗୁଇନ୍ଦାଗିରି କରିବା ।