ମୁଶରଫଙ୍କ ଦେହାନ୍ତ
ଦୁବାଇ, ୫ା୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କର ରବିବାର ୭୯ ବର୍ଷ ବୟସରେ ଦୁବାଇରେ ପରଲୋକ ଘଟିଛି । ସେ ଅମାଇଲାଇଡୋସିସ୍ ନାମକ ବିରଳ ରୋଗରେ ପୀଡ଼ିତ ଥାଇ ଦୁବାଇର ଏକ ହସ୍ପିଟାଲରେ ମାସ ମାସ ଧରି ଚିକିତ୍ସାଧୀନ ଥିଲେ । ଶରୀରରେ ଅସ୍ୱାଭାବିକ ପ୍ରୋଟିନ୍ ବୃଦ୍ଧି ଜନିତ ଏ ରୋଗ ଯୋଗୁଁ ତାଙ୍କର ସବୁ ଅଙ୍ଗ ଅଚଳ ହୋଇପଡ଼ିଥିଲା । ମୁଶରଫ ୨୦୧୬ରୁ ୟୁକେ ଓ ମଧ୍ୟପ୍ରାଚ୍ୟରେ ଆତ୍ମନିର୍ବାସନରେ ଥିଲେ ।
ମୁଶରଫଙ୍କ ଜନ୍ମସ୍ଥାନ ଦିଲ୍ଲୀ । ଭାରତ ବିଭାଜନ ପରେ ତାଙ୍କ ପରିବାର କରାଚୀ ପଳାଇଥିଲେ । ଭାରତ ବିରୋଧରେ ତିନିଟି ଯୁଦ୍ଧ ଲଢ଼ିଥିଲେ ମୁଶରଫ । କାରଗିଲ୍ ଉପରେ କବ୍ଜା କରି ନ ପାରି ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଦୋଷ ଦେଇଥିଲେ । ୧୯୯୮ରେ ନୱାଜ ଶରିଫ ମୁଶରଫଙ୍କ ଉପରେ ଭରସା କରି ତାଙ୍କୁ ସେନାଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ । କିନ୍ତୁ ବର୍ଷକ ପରେ ଜେନେରାଲ ମୁଶରଫ ଶରିଫଙ୍କୁ ଗାଦିଚୁ୍ୟତ କରି ପାକିସ୍ତାନର ସାମରିକ ଶାସନ ମୁଖ୍ୟ ହେଲେ । ପରେ ପରେ ଶରିଫଙ୍କୁ ସପରିବାର ଦେଶ ଛାଡ଼ିବାକୁ ପଡ଼ିଥିଲା ।
୨୦୦୧ ଜୁନ୍ ୨୦ରୁ ୨୦୦୮ ଅଗଷ୍ଟ ୧୮ ପର୍ଯ୍ୟନ୍ତ ମୁଶରଫ ରାଷ୍ଟ୍ରପତି ପଦରେ ରହିଥିଲେ । ୨୦୧୬ରେ ଅଦାଲତରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବାରୁ ସେ ଚିକିତ୍ସା ବାହାନାରେ ଦେଶ ଛାଡ଼ି ଦୁବାଇ ପଳାଇ ଗଲେ । ତେଣୁ ତାଙ୍କୁ ପଳାତକ ଘୋଷଣା କରାଗଲା । ନିମ୍ନ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ତା’ ପରଠାରୁ ସେ ଆଉ ଫେରି ନ ଥିଲେ । ମୃତୁ୍ୟ ପରେ ଏବେ ତାଙ୍କ ପାର୍ଥିବ ଶରୀରକୁ ପାକିସ୍ତାନ ଅଣାଯିବ ।
‘ଇନ୍ ଦ ଲାଇନ୍ ଅଫ୍ ଫାୟର – ଏ ମେମୋୟର’ ନାମକ ଆତ୍ମଜୀବନୀରେ ମୁଶରଫ ଲେଖିଛନ୍ତି, କାରଗିଲ୍ ଦଖଲ କରିବାକୁ ସେ ପଣ କରିଥିଲେ, କିନ୍ତୁ ନୱାଜ ଶରିଫଙ୍କ ଯୋଗୁଁ ତାହା ହୋଇପାରିଲା ନାହିଁ । ମୁଶରଫ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ, ମାତ୍ର ତତ୍କାଳୀନ ମନମୋହନ ସିଂହ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ତାହା ସହସା ସମ୍ଭବ ହେଲା ନାହିଁ । ତେବେ ମୁଶରଫ ଜିଦ୍ ଧରିବାରୁ ୨୦୦୫ ଏପ୍ରିଲ ୧୮ରେ ବାଜପେୟୀ-ମୁଶରଫ ଭେଟ ହୋଇଥିଲା । ବାଜପେୟୀଙ୍କୁ ସେ କହିଲେ – ସାର୍, ଆପଣ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଥିଲେ ଆଜି ଦୁଇ ଦେଶ ଭିତରେ ସମ୍ପର୍କ କିଛି ଅଲଗା ହୋଇଥାନ୍ତା ।