ସୁପ୍ରିମ୍କୋର୍ଟରେ ୫ ନୂଆ ଜଜ୍

ନୂଆଦିଲ୍ଲୀ, ୪ା୨: ସୁପ୍ରିମ୍କୋର୍ଟରେ ୫ ଜଣ ନୂଆ ବିଚାରପତି ନିଯୁକ୍ତି ପାଇଁ କଲିଜିୟମ୍ ସୁପାରିସକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ୍ ମାଧ୍ୟମରେ ନବନିଯୁକ୍ତ ନ୍ୟାୟାଧୀଶମାନଙ୍କୁ ଶୁଭକାମନା ଜଣାଇଛନ୍ତି । ୩ ହାଇକୋର୍ଟ ଚିଫ୍ ଜଷ୍ଟିସ୍ ଓ ୨ ହାଇକୋର୍ଟ ଜଜ୍ ପଦୋନ୍ନତି ପାଇ ସୁପ୍ରିମ୍କୋର୍ଟରେ ଜଜ୍ ରୂପେ ୬ ତାରିଖ ଦିନ ଶପଥ ଗ୍ରହଣ କରିବେ । ସେମାନେ ହେଲେ – ରାଜସ୍ଥାନ ହାଇକୋର୍ଟର ଚିଫ୍ ଜଷ୍ଟିସ୍ ପଙ୍କଜ ମିଥଲ, ପାଟନା ହାଇକୋର୍ଟର ଚିଫ୍ ଜଷ୍ଟିସ୍ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ଚିଫ୍ ଜଷ୍ଟିସ୍ ପି ଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ଜଜ୍ ଅହସାନୁଦ୍ଦୀନ ଅମାନୁଲ୍ଲାହ ଓ ଏହ୍ଲାବାଦ ହାଇକୋର୍ଟ ଜଜ୍ ମନୋଜ ମିଶ୍ର ।
ସୁପ୍ରିମ୍କୋର୍ଟ କଲିଜିୟମ୍ ଗତ ଡିସେମ୍ବର ୧୩ ତାରିଖ ଦିନ ପଦୋନ୍ନତି ପାଇଁ ଏମାନଙ୍କ ନାମ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ସବୁଜ ସଙ୍କେତ ଦେବାରେ ବିଳମ୍ବ ହେବାରୁ ଶୀର୍ଷ ଅଦାଲତ କ୍ଷୋଭ ପ୍ରକାଶ କରିବା ସହିତ ଚେତାବନୀ ମଧ୍ୟ ଦେଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଫେବ୍ରୁଆରୀ ୨ ତାରିଖ ଦିନ ପୂର୍ବୋକ୍ତ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇ ରାଷ୍ଟ୍ରପତି ଭବନକୁ ଫାଇଲ ପଠାଯାଇଥିଲା । ଶନିବାର ୱାରେଣ୍ଟ ଜାରି ହୋଇଛି । ନୂଆ ନ୍ୟାୟଧୀଶମାନଙ୍କୁ ଶପଥପାଠ କରାଇବେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ଫଳରେ ସୁପ୍ରିମ୍କୋର୍ଟରେ ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇବ । ସୁପ୍ରିମ୍କୋର୍ଟର ସ୍ୱୀକୃତ ବିଚାରପତି ସଂଖ୍ୟା ୩୪ । ଏବେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୨୭ଜଣ ନ୍ୟାୟଧୀଶ କାର୍ଯ୍ୟରତ ।
ସୁପ୍ରିମ୍କୋର୍ଟ ଓ ହାଇକୋର୍ଟରେ ଜଜ୍ ନିଯୁକ୍ତି ପାଇଁ ପ୍ରଚଳିତ କଲିଜିୟମ୍ ପ୍ରଣାଳୀକୁ କେନ୍ଦ୍ର ସରକାର ବିରୋଧ କରି ଆସୁଛନ୍ତି । ଶୁକ୍ରବାର ଏ ବିଷୟକ ଏକ ପିଟିସନ୍ର ଶୁଣାଣି ବେଳେ ଦୁଇଜଣିଆ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣୀଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ କଲିଜିୟମ୍ ସୁପାରିସକୁ ମଞ୍ଜୁରି ଦେବାରେ ବିଳମ୍ବ ନେଇ ଚେତାବନୀ ଦେଇଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ରିଜିଜୁ ଶନିବାର କହିଛନ୍ତି, ଭାରତର ସମ୍ବିଧାନ ଅନୁଯାୟୀ କେହି କାହାରିକୁ ଚେତାବନୀ ଦେଇ ପାରିବେ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *