ବାଣୀ ଜୟରାମ ଆଉ ନାହାନ୍ତି

ଚେନ୍ନାଇ, ୪ା୨: ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଗାୟିକା ବାଣୀ ଜୟରାମ ଆଉ ନାହାନ୍ତି । ଗତ ମାସରେ ପଦ୍ମଭୂଷଣରେ ସମ୍ମାନିତ ଏହି ପାଶ୍ୱର୍ ଗାୟିକାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି । ଚେନ୍ନାଇର ହଡ଼ୋସ ରୋଡ୍ ସ୍ଥିତ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ତାଙ୍କର ମୃତୁ୍ୟ ହୋଇଛି । ଶନିବାର ସକାଳୁ ବାଣୀଙ୍କ ଘରେ ତାଙ୍କ ମେଡ୍ କାମ କରିବାକୁ ପହଞ୍ଚô ଘଣ୍ଟି ବଜାଇବାରୁ କେହି କବାଟ ଖୋଲିଲେ ନାହିଁ ।
ମେଡ୍ ଫୋନ୍ କରିବା ସତ୍ତ୍ୱେ ଉତ୍ତର ମିଳିଲା ନାହିଁ । ଏହାପରେ ସେ ବାଣୀଙ୍କ ସାନ ଭଉଣୀଙ୍କୁ କଲ୍ କଲେ । ସାନ ଭଉଣୀ ଆସି ଡୁପ୍ଲିକେଟ୍ ଚାବିରେ କବାଟ ଖୋଲିବାରୁ ଦେଖାଗଲା ବାଣୀଙ୍କ ଶବ ବେଡ୍ରୁମ୍ ଚଟାଣରେ ପଡିଛି, ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅନୁମାନ କରାଯାଉଛି କୌଣସି କାରଣରୁ ତଳେ ପଡ଼ି ଯାଇ ମୁଣ୍ଡରେ ଆଘାତ ଲାଗିବା କାରଣରୁ ତାଙ୍କର ମୃତୁ୍ୟ ହୋଇଛି । ପୁଲିସ୍ ଅପମୃତୁ୍ୟ ମାମଲା ରୁଜୁ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ।
ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା କୁହାଯାଏ । ସେ କେତେ ଲୋକପ୍ରିୟ ଥିଲେ ତାହା ଗୋଟିଏ ଉଦାହରଣରୁ ସ୍ପଷ୍ଟ ହେବ । ସେ ଓଡ଼ିଆ, ହିନ୍ଦୀ, ତାମିଲ, କନ୍ନଡ, ତେଲୁଗୁ, ମଲାୟାଲମ୍, ମରାଠୀ, ବଙ୍ଗଳା, ତୁଲୁ, ଭୋଜପୁରୀ, ଉର୍ଦ୍ଦୁ ଆଦି ୧୯ ଭାଷାରେ ୧୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । କେବଳ ଓଡ଼ିଆରେ ସେ ୫୦ରୁ ଅଧିକ ଗୀତ ଗାଇଛନ୍ତି । ନିକଟରେ ତାଙ୍କ କ୍ୟାରିୟରର ୫୦ତମ ବର୍ଷ ପୂର୍ତ୍ତି ହୋଇଥିଲା । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ମାତ୍ରେ ଫିଲ୍ମ ଓ ମୁ୍ୟଜିକ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ବାଣୀ ଜୟରାମ ଓଡିଆ ସିନେ ସଂଗୀତର ଜଣେ ସଫଳ ଗାୟିକା । ଭଜନ, ଡୁଏଟ ଆଦି ସବୁ ଶୈଳୀର ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇ ଉଠିଥିଲା । “ଶେଷ ଶ୍ରାବଣ’ର ମେଘ ବରଷିଲା ଟୁପୁର ଟୁପୁର..’ କିମ୍ବା ‘ଗୌରୀ’ର ‘ଏଇ ଗାଁର ମଉଡମଣି ଗୋ ଆମ ଗୌରୀ ନାନୀ’ ଭଳି ଲୋକସଂଗୀତ ଶୈଳୀର ଗୀତ ବାଣୀଙ୍କ ଲଳିତ କଣ୍ଠରେ ପରିସ୍ଫୁଟିତ ହୋଇଥିଲା । ସେ ଗାଇଥିବା “ବିନ୍ଦୁ’ ଚଳଚିତ୍ରର ‘କେଉଁ ନାମ ଧରି ଡାକିବି ତୁମକୁ’ ଓ ବଳିଦାନ’ର ‘ଆହେ ଦୟାମୟ ବିଶ୍ୱବିହାରୀ’ ଭଳି ଉଚ୍ଚକୋଟୀର ଭଜନ ଏବେ ମଧ୍ୟ ଶ୍ରୋତାଙ୍କୁ ଉଦ୍ବେଳିତ କରେ । ବାଣୀ ଜୟରାମଙ୍କ ଅଧିକାଂଶ ଗୀତର ସଂଗୀତ ନିଦେ୍ର୍ଦଶକ ପ୍ରଫୁଲ୍ଲ କର । ଅକ୍ଷୟ ମହାନ୍ତିଙ୍କ ସହ ସେ କେବଳ ଗୋଟିଏ ଗୀତ ପାଇଁ କଣ୍ଠଦାନ କରିଥିଲେ । ସେହି “ହିପ୍ ହିପ୍ ହୁରେ, ଗାଡି ଯାଏ ଗଡିରେ’ ଗୀତର ସ୍ୱରକାର ଥିଲେ ପ୍ରଫୁଲ୍ଲ କର । ‘ଦେବଯାନୀ’ରେ କଣ୍ଠଦାନ ପାଇଁ ବାଣୀ ଜୟରାମ ୧୯୮୨ ମସିହାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଆପଣ କ’ଣ ଓଡ଼ିଆ ଭାଷା ବୁଝନ୍ତି? ଏ ପ୍ରଶ୍ନରେ ବାଣୀ ଜୟରାମ କହିଥିଲେ, ‘ବୁଝେନି ଯଦି ଗୀତ ଗାଏ କେମିତି?’
ବାଣୀ ଜୟରାମ ୧୯୪୫ ନଭେମ୍ବର ୩୦ରେ ତାମିଲନାଡୁର ଭେଲୋରରେ ଏକ ସଙ୍ଗୀତକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୫ ଭଉଣୀ ଓ ୩ ଭାଇ ଭିତରେ ସେ ଥିଲେ ସବା ସାନ । ବାଣୀ ତାଙ୍କ ପ୍ରଥମ ଗୀତ ୮ ବର୍ଷ ବୟସରେ ମାଡ୍ରାସ୍ ଆକାଶବାଣୀ ପାଇଁ ଗାଇଥିଲେ । ୧୯୬୯ରେ ସେ ଜୟରାମକୁ ବିବାହ କରି ମୁମ୍ବାଇ ଚାଲି ଆସିଥିଲେ । ବ୍ୟାଙ୍କ ଚାକିରି କରୁଥିବା ବାଣୀଙ୍କୁ ତାଙ୍କ ସ୍ୱାମୀ ହିଁ ସଙ୍ଗୀତ ଦୁନିଆକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଉସ୍ତାଦ ରହମାନ୍ ଖାନ୍ ଥିଲେ ବାଣୀଙ୍କ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷକ ।
ବଲିଉଡ୍ ପାଇଁ କଣ୍ଠଦାନ କରିବା ସୁଯୋଗ ତାଙ୍କୁ ୧୯୭୧ରେ ମିଳିଥିଲା । ହୃଷିକେଶ ମୁଖାର୍ଜୀ ନିଦେ୍ର୍ଦଶିତ ଗୁଡ୍ଡୀ ଫିଲ୍ମ ପାଇଁ ସେ ଗାଇଥିବା ‘ବୋଲେ ରେ ପପିହାରା’ ଗୀତ ଖୁବ୍ ହିଟ୍ ହୋଇଥିଲା । ଏହି ଗୀତ ଯୋଗୁଁ ହିଁ ତାଙ୍କ ସେ ଅଶେଷ ସଫଳତା ପାଇଥିଲେ । ବାଣୀଙ୍କୁ ତିନିଥର ଶ୍ରେଷ୍ଠ ପାଶ୍ୱର୍ ଗାୟିକା ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ପଣ୍ଡିତ ରବିଶଙ୍କରଙ୍କ ଦ୍ୱାରା ରଚିତ ମୀରା ଫିଲ୍ମ (୧୯୭୯)ର ଗୀତ ‘ମେରେ ତୋ ଗିରିଧର ଗୋପାଳ’ ଲାଗି ବାଣୀ ସର୍ବଶ୍ରେଷ୍ଠ ପାଶ୍ୱର୍ ଗାୟିକା ରୂପେ ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ । ୧୯୯୧ରେ ତାଙ୍କୁ ସଙ୍ଗୀତ ପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୪୬ ବର୍ଷ ବୟସରେ ଏହି ସମ୍ମାନ ପାଇବାରେ ସେ ଥିଲେ ସର୍ବକନିଷ୍ଠ ଗାୟିକା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *