ୟୁଜର୍ସ ଫି’ ଆଦାୟକୁ ବିରୋଧ

ପୁଣି କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ପୌରପାଳିକାର ପାହାର
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ସୁନ୍ଦର ରଖିବା ଲାଗି ପ୍ରତ୍ୟେକ ମାସରେ କୋଟି କୋଟି ଟଙ୍କା ବ୍ୟୟ କରୁଛି ପୌରପାଳିକା । ସେଥିଲାଗି ଏକ ଘରୋଇ ସଂସ୍ଥାକୁ ଠିକା ମଧ୍ୟ ଦିଆଯାଇଛି । ଠିକା ସଂସ୍ଥା କର୍ମଚାରୀଙ୍କୁ ନିୟୋଜିତ କରି ସ୍ୱଚ୍ଛସାଥୀମାନଙ୍କୁ ନିଯୁକ୍ତି କରିଛି । ଏପରିକି ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଗଳିକନ୍ଦିରୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଘରଠୁ ମଧ୍ୟ ଅଳିଆ ଆବର୍ଜନା ସଂଗ୍ରହ କରୁଛି । ତତ୍ସହିତ ବଡ଼ଦାଣ୍ଡରେ ବସି କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟବସାୟ କରୁଥିବା ବେଳେ ସେମାନେ ଦିନିକିଆ ହିସାବରେ ଖଜଣା ମଧ୍ୟ ପ୍ରଦାନ କରୁଛନ୍ତି । ତା’ ସତ୍ତ୍ୱେ ପୌରପାଳିକା କୌଣସି ବ୍ୟବସାୟୀଙ୍କ ସହ ଆଲୋଚନା ନ କରି ମନଇଚ୍ଛା ୟୁଜର୍ସ ଫି’ ଆଦାୟ କରୁଛନ୍ତି । ଯାହାକୁ ନେଇ କ୍ଷୁଦ୍ର ସମେତ ଅନ୍ୟ ବ୍ୟବସାୟୀମାନେ ପୌରପାଳିକା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି ।
ଏନେଇ ଜଣେ ବ୍ୟବସାୟୀ କୁହନ୍ତି, ପୂର୍ବରୁ ପୌରପାଳିକା ୟୁଜର୍ସ ଫି’ ଆଦାୟ କରିବା ଲାଗି ଘୋଷଣା କରିଥିଲା । ତାହାକୁ ବିରୋଧ କରାଯିବାରୁ ବନ୍ଦ ରହିଥିଲା । ପୁଣି ଏବେ କାହାକୁ କିଛି ନ ଜଣାଇ ହଠାତ୍ ଅଳିଆ ଆବର୍ଜନା ଦେଲେ କ୍ଷୁଦ୍ର ବ୍ୟବସାୟୀ ଅର୍ଥାତ୍ ପ୍ରତ୍ୟେକ ଦିନ ୫ କେଜି ଅଳିଆ ଦେଲେ ମାସିକ ୬ଶହ ଟଙ୍କା, ୧୫ କେଜିରୁ ଅଧିକ ଦେଲେ ୧ହଜାର ଟଙ୍କା ଏବଂ ୨୦ କେଜିରୁ ଅଧିକ ଦେଲେ ୫ ହଜାର ଟଙ୍କା ଦେବାକୁ ଦାବି କରୁଛି ପୌରପାଳିକା । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଦିନକୁ କେତେ ଟଙ୍କା ବ୍ୟବସାୟ କଲେ ଖଜଣା ଏବଂ ଅଳିଆ ଲାଗି ଟଙ୍କା ଦେବୁ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ ଲାଗି ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାବେଳେ କେବଳ ସେମାନଙ୍କ ପେଟକୁ ନାତ କିଭଳି ମରାଯିବ ସେ ନେଇ ଯୋଜନା କରୁଛନ୍ତି । ପୌରପାଳିକାର ମନଇଛା କାର୍ଯ୍ୟକୁ ବ୍ୟବସାୟୀମାନେ ଦୃଢ଼ ବିରୋଧ କରିଛନ୍ତି ।
ୟୁଜର୍ସ ଫି’ ଟଙ୍କା ଦେବାକୁ ମନା କଲେ କର୍ମଚାରୀମାନେ ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି । ପୌରପାଳିକା ଲୋକଙ୍କ ସ୍ୱାର୍ଥ ଲାଗି କାର୍ଯ୍ୟ କରିବା କଥା । କିନ୍ତୁ ପୌରପାଳିକା ବ୍ୟବସାୟୀଙ୍କ ଉପରେ ପାହାର ଦେଉଛି । ସହରକୁ ସ୍ୱଚ୍ଛ ରଖିବା ଲାଗି ଠିକା ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପୁଣି ବ୍ୟବସାୟୀଙ୍କ ଠାରୁ ହଠାତ୍ ୟୁଜର୍ସ ଫି’ ଆଦାୟ ହେବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବ୍ୟବସାୟୀ । ପୌରପାଳିକା ୟୁଜର୍ସ ଫି’ ଆଦାୟକୁ ନେଇ ବ୍ୟବସାୟୀଙ୍କ ତରଫରୁ ଦୃଢ଼ ବିରୋଧ କରାଯିବ ବୋଲି ବ୍ୟବସାୟୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ପୂର୍ବରୁ ମଧ୍ୟ ପୌରପାଳିକା ସହରର ପ୍ରତ୍ୟେକ ଘର ପିଛା ପ୍ରତ୍ୟେକ ଦିନ ୧ଟଙ୍କା ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା । ସହରବାସୀଙ୍କ ତରଫରୁ ବିରୋଧ ହେବା ପରେ ସ୍ଥଗିତ ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *