ଦ୍ରାବିଡ଼-କ୍ଲାର୍କଙ୍କୁ ଟପିପାରନ୍ତି ପୂଜାରା

ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା
ନାଗପୁର, ୪ା୨ (ଏଜେନ୍ସି): ଚଳିତ ମାସ ୯ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ଅଷ୍ଟ୍ରେଲୀୟ ଟିମ୍ ୨୦୧୭ ପରେ ଭାରତ ମାଟିରେ ପ୍ରଥମ ଟେଷ୍ଟ ଶୃଙ୍ଖଳା ଖେଳିବ । ଭାରତୀୟ ଟିମ୍ ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଖୁବ୍ ଗୁରୁତ୍ୱ ରଖେ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆକୁ ଏହି ସିରିଜ୍ ଜିତିବାକୁ ହେବ । ଯଦି ସେ ଦୁଇ ବା ତିନି ମ୍ୟାଚ୍ ଜିତେ, ତା’ହେଲେ ଫାଇନାଲ୍ରେ ପହଞ୍ଚିଯିବ ।
ଏହି ଶୃଙ୍ଖଳା ସମୟରେ ସମସ୍ତଙ୍କ ନଜର ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ । ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନର ଟିମ୍ରେ ଥିବା ଖେଳାଳିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ପୂଜାରା-କୋହଲିଙ୍କ ନାମରେ ସର୍ବାଧିକ ରନ୍ ରହିଛି । ପୂଜାରା ୨୦ ମ୍ୟାଚ୍ର ୩୭ ଇନିଂସ୍ରେ ୧୮୯୩ ରନ୍ ସଂଗ୍ରହ କରିଥିବା ବେଳେ କୋହଲି ୨୦ ମ୍ୟାଚ୍ର ୩୬ ଇନିଂସ୍ରେ ୧୬୮୨ ରନ୍ କରିଛନ୍ତି ।
ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସଚିନଙ୍କ ନାମରେ ସର୍ବାଧିକ ରନ୍
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ପୂର୍ବତନ ବ୍ୟାଟର୍ ସଚିନ ତେନ୍ଦୁଲକର ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ୩୯ ମ୍ୟାଚ୍ର ୭୪ ଇନିଂସ୍ ଖେଳି ୩୬୩୦ ରନ୍ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ରିକି ପଣ୍ଟିଂ । ସେ ୨୯ ମ୍ୟାଚ୍ର ୫୧ ଇନିଂସ୍ରେ ୨୫୫୫ ରନ୍ କରିଛନ୍ତି ।
ପୂଜାରା ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସର୍ବାଧିକ ସ୍କୋରର୍ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ଯଦି ଏହି ଶୃଙ୍ଖଳାରେ ତାଙ୍କ ବ୍ୟାଟ୍ ଚାଲେ, ସେ ଶୀର୍ଷ-୫ରେ ସ୍ଥାନ ପାଇପାରନ୍ତି । ପୂଜାରାଙ୍କ ପାଖରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ଓ ଭାରତର ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇବାର ସୁଯୋଗ ରହିଛି । କ୍ଲାର୍କ ୨୨ ମ୍ୟାଚ୍ର ୪୦ ଇନିଂସ୍ରେ ୨୦୪୯ ରନ୍ କରିଛନ୍ତି । ସେହିପରି ଦ୍ରାବିଡ଼ଙ୍କ ନାମରେ ୩୨ ମ୍ୟାଚ୍ର ୬୦ ଇନିଂସ୍ରେ ୨୧୪୩ ରନ୍ ରହିଛି । ପୂଜାରା ୧୫୭ ରନ୍ କଲେ, କ୍ଲାର୍କ ଓ ୨୫୧ ରନ୍ କଲେ, ଦ୍ରାବିଡ଼ଙ୍କୁ ପଛରେ ପକାଇବେ ।
କୋହଲି ଓ ସ୍ମିଥ୍ଙ୍କ ପାଖରେ ବି ସୁଯୋଗ
ଉଭୟ ଟିମ୍ ମଧ୍ୟରେ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ୍ ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ (୧୭୪୨ ରନ୍) ଅଷ୍ଟମ ଓ ଭାରତର ବିରାଟ କୋହଲି ୧୦ମ ସ୍ଥାନରେ ରହିଛନ୍ତି । ଉଭୟ ବ୍ୟାଟର୍ ଭଲ ପ୍ରଦର୍ଶନ କରିବା ସ୍ଥଳେ ଟପ୍-୫ରେ ସ୍ଥାନ ପାଇପାରନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *