ଶିକ୍ଷା ସମ୍ଭାବନା ବଢ଼ାଏ

ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବ
ଯୁବ ସମାଜ ଉପରେ ପୂର୍ଣ୍ଣ ଆସ୍ଥା ଅଛି
ଭିତ୍ତିଭୂମିହିଁ ବିକାଶର ଆଧାର: ମୁଖ୍ୟମନ୍ତ୍ରୀ
୧୬ଠଠ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ
୨ଠଠ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ
୧୪ଠଠ କୋଟିର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
ଭୁବନେଶ୍ୱର/ଜୟପୁର: ୩ା୨(ବୁ୍ୟରୋ/ଆପ୍ର): ଜୟପୁର ବିକ୍ରମଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିଛି ବୋଲି ଗୁରୁବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର କଲେଜର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଜୟପୁରଗସ୍ତ କରି କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସମ୍ପର୍କରେ ଉଲ୍ଲେଖକରି ‘ଆପଣମାନେ ଖୁସି ତ?’ । ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ ଓ କରତାଳି ମଧ୍ୟରେ ସ୍ୱାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭିକେ ପାଣ୍ଡିଆନ୍ କହିଥିଲେ ଯେ ଏହି ଅଡିଟୋରିୟମ୍ ୧୦୦ ଆସନ ବିଶିଷ୍ଟ ହେବ । ଏଥିନିମନ୍ତେ ୮ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସମ୍ଭାବନାକୁ ବୃଦ୍ଧି କରିଥାଏ । ଯୁବସମାଜ ଉପରେ ତାଙ୍କର ପୂରା ଆସ୍ଥା ରହିଛି । ଭଲ ପାଠ ପଢନ୍ତି ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ୱତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି । ଭିତ୍ତିଭୂମିର ଗୁରୁତ୍ୱ ସମ୍ପର୍କରେ ଉଦାହରଣ ଦେଇ ସେ କହିଥିଲେ, ଗୁରୁପ୍ରିୟା ସେତୁ ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି । ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ମତ ବ୍ୟକ୍ତ କରି କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦୁ୍ୟତୀକରଣ ଓ ପର୍ଯ୍ୟଟନଆଦି ପ୍ରକଳ୍ପ କାମ କରାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ, ମା’ ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି । ମହିଳାମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖଇବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ । ମହିଳାମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି ବୋଲି ସେ କହିଥିଲେ । ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା । କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ନୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଲଷ୍ମୀପୁର ବିଧାୟକ ପ୍ରଭୁ ଜାନି, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲକା ଏବଂ କୋରାପୁଟ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟର ଘୋଷଣାକୁ ସ୍ୱାଗତ କରିଥିଲେ । ଏହାଦ୍ୱାରା କୋରାପୁଟ ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *