ମୋଦି ପୁଣି ନମ୍ବର ୱାନ୍
ନୂଆଦିଲ୍ଲୀ (ଏଜେନ୍ସି): ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଅବ୍ୟାହତ ରହିଛି । ସେ ପୁଣି ଥରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ଭାବେ ମନୋନୀତ ହୋଇଛନ୍ତି । ଏପରିକି ଆମେରିକା, ଫ୍ରାନ୍ସ, ଜର୍ମାନ, ବି୍ରଟେନ୍ ଭଳି ୨୨ ବୃହତ୍ ଦେଶର ମୁଖ୍ୟଙ୍କୁ ପଛରେ ପକାଇ ଦେଇଛନ୍ତି ମୋଦି । ମର୍ଣ୍ଣିଂ କନ୍ସଲ୍ଟ ପକ୍ଷରୁ ବିଶ୍ୱସ୍ତରରେ ସପ୍ତାହବ୍ୟାପୀ (ଜାନୁଆରୀ ୨୬-୩୧, ୨ଠ୨୩) କରାଯାଇଥିବା ସର୍ଭେ ରିପୋର୍ଟ ଆଧାରରେ ମୋଦି ପୁଣିଥରେ ବିଶ୍ୱର ନଂ୧ ନେତା ମାନ୍ୟତା ବଜାୟ ରଖିଛନ୍ତି ।ମର୍ଣ୍ଣିଂ କନ୍ସଲ୍ଟ ୱେବ୍ସାଇଟ୍ରେ ପ୍ରକାଶିତ ତାଲିକାରେ ମୋଦିଙ୍କୁ ୭୮% ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ରେଟିଂ (ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ) ମିଳିଛି । ସେହିପରି ୨ୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଡୋର (୬୮%), ୩ୟ ସ୍ଥାନରେ ସ୍ୱିଜରଲାଣ୍ଡର ଆଲେନ୍ ବରସେଟ୍, ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନିଜ୍, ୫ମ ସ୍ଥାନରେ ବ୍ରାଜିଲର ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭା ପ୍ରମୁଖ ରହିଛନ୍ତି । ଏତଦ୍ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ୪ଠ% ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ରେଟିଂ ସହ ତାଲିକାର ୭ମ ସ୍ଥାନରେ ରହିଛନ୍ତି । ୩ଠ% ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ରେଟିଂ ସହ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ୧୩ ତମ ସ୍ଥାନରେ ରହିଛନ୍ତି । ପ୍ରକାଶ, ମର୍ଣ୍ଣିଂ କନ୍ସଲ୍ଟ ଦୈନିକ ୨ଠ ହଜାରରୁ ଅଧିକ ବିଶ୍ୱସ୍ତରୀୟ ସାକ୍ଷାତକାର ପରିଚାଳନା କରେ । ସାକ୍ଷାତକାରରେ ପ୍ରାପ୍ତ ଉତ୍ତରଗୁଡିକ ଉପରେ ଆଧାର କରି, ବିଶ୍ୱ ନେତାଙ୍କ ବିଷୟରେ ତଥ୍ୟ ତଥା ରେଟିଂ ସ୍ଥିର କରାଯାଇଥାଏ ।