ପିସ୍ତଲ ଦେଖାଇ ଲୁଟିଲେ ଗ୍ରାମ୍ୟ ବ୍ୟାଙ୍କ ଷ୍ଟ୍ରଙ୍ଗ୍ ରୁମ୍
ଢେଙ୍କାନାଳ, ୩ା୨(ଆପ୍ର): କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ୍ ଥାନା ନିକଟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଟଙ୍କା ସୁନା ଲୁଟ୍ କରି ଫେରାର ହୋଇଯାଇଛି । ଦିବାଲୋକରେ ଏକ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ପ୍ରତିଦିନ ଭଳି ଶୁକ୍ରବାର ବ୍ୟାଙ୍କରେ କାରବାର ଚାଲିଥିବା ବେଳେ ୨ ଟି ପଲସର୍ ବାଇକ୍ରେ ଆସିଥିବା ୪ ଜଣ କଳା ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ସମସ୍ତ କର୍ମଚାରୀ, ଗ୍ରାହକଙ୍କୁ କାବୁ କରିନେଇଥିଲେ । ୬ ଜଣ କର୍ମଚାରୀଙ୍କୁ ଭୟଭୀତ କରି ଏକ କୋଠରୀକୁ ନେଇ ତାଲା ପକାଇ ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ଷ୍ଟ୍ରଙ୍ଗ୍ ରୁମ୍ରୁ ୩ ଟଙ୍କା ଭର୍ତ୍ତି ଓ ଗୋଟିଏ ସୁନା ଗହଣା ଭର୍ତ୍ତି ସୁଟ୍କେସ୍ ନେଇ ଫେରାର ହୋଇଯାଇଥିଲେ । ଚୋରି ଗହଣାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ । ସୁଟକେସ୍ଗୁଡ଼ିକରେ ୬ଲକ୍ଷରୁ ଅଧିକ ଟଙ୍କା ଥିଲା ବୋଲି କୁହାଯାଉଛି । ଦୁର୍ବୃତ୍ତମାନେ ବାଇକ୍ରେ ଦଶିପୁର, ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତା ଦେଇ ପଳାଇଥିବା ଜଣାପଡିଛି ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଲୁଟେରାମାନେ ଖମାର-ପାଲଲହଡା ଦେଇ ଚାଲିଯାଇଥିଲେ । ଥାନାଧିକାରୀ ପ୍ରଦୀପ ପାତ୍ର ତଦନ୍ତ କରୁଥିବା ବେଳେ ଲୁଟେରାଙ୍କ ସନ୍ଧାନ ମିଳି ପାରିନାହିଁ ।
କିଛି ଦିନ ତଳେ ଗୋଳାଗାଡିଆ ପରିବେଶ ବିହାର ଏବଂ ମହାବିରୋଡ ବିଦୁ୍ୟତ୍ ଟ୍ରାନ୍ସଫରମର ଚୋରି, କୁସୁ ମୁଣ୍ଡିଆରୁ ଟ୍ରାନ୍ସଫରମର ଚୋରି ହୋଇଥିଲା । ଏ ପର୍ଯ୍ୟନ୍ତ ଚୋରଙ୍କୁ ଧରିପାରିନି ପୁଲିସ । ଏବେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦିବାଲୋକରେ ବ୍ୟାଙ୍କ ଲୁଟିଛନ୍ତି ।