ଆନ୍ତର୍ଜାତିକ କ୍ରିକେଟ୍ରୁ ଯୋଗିନ୍ଦରଙ୍କ ଅବସର
୨୦୦୭ ଟି-୨୦ ବିଶ୍ୱକପ୍ର ଶେଷ ଓଭର୍ ପକାଇଥିଲେ
ନୂଆଦିଲ୍ଲୀ, ୩ା୨ (ଏଜେନ୍ସି): ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟର ହିରୋ ଯୋଗିନ୍ଦର ଶର୍ମା ଶୁକ୍ରବାର ଆନ୍ତର୍ଜାତିକ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଲେଖିଥିବା ପତ୍ରରେ କ୍ରିକେଟର୍ରୁ ପୁଲିସ୍ ଅଧିକାରୀ ହୋଇଥିବା ଯୋଗିନ୍ଦର ବୋର୍ଡ, ହରିୟାଣା କ୍ରିକେଟ୍ ଆସୋସିଏସନ୍, ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ହରିୟାଣା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଟ୍ୱିଟର୍ରେ ଏହି ଚିଠିର ଫଟୋ ସେୟାର୍ କରିଛନ୍ତି ।
ଯୋଗିନ୍ଦର ଲେଖିଛନ୍ତି – ଆଜି ମୁଁ ଆନ୍ତର୍ଜାତିକ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରୁଛି । ୨୦୦୨ରୁ ୨୦୧୭ ଯାଏଁ ମୋ ଯାତ୍ରା ମୋ ଜୀବନର ସବୁଠାରୁ ଚମକ୍ପ୍ରଦ ବର୍ଷ ରହିଆସିଛି । କ୍ରୀଡ଼ାର ଉଚ୍ଚତର ସୋପାନରେ ଦେଶର ପ୍ରତିନିଧିତ୍ୱ କରିବା ଗୌରବର ବିଷୟ ।
ହରିୟାଣାର ୩୯ବର୍ଷୀୟ ଯୋଗିିନ୍ଦର ୨୦୦୪ରୁ ୨୦୦୭ ଯାଏଁ ଭାରତ ପକ୍ଷରୁ ଖେଳିଥିଲେ । ସେ ଦିନିକିଆରେ ଚାରି ମ୍ୟାଚ୍ ଖେଳି ଗୋଟିଏ ଓ ଟି-୨୦ ଆନ୍ତର୍ଜାତିକରେ ଚାରି ମ୍ୟାଚ୍ ଖେଳି ଚାରି ୱିକେଟ୍ ନେଇଥିଲେ । ଏହାଛଡ଼ା ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୭୭ ମ୍ୟାଚ୍ ଖେଳି ୨୯୭ ୱିକେଟ୍ ହାସଲ କରିଥିଲେ । ସେ ଟି-୨୦ ବିଶ୍ୱକପ୍ ଜିତିଥିବାରୁ ନିଜକୁ ଭାଗ୍ୟଶାଳୀ ବିବେଚନା କରନ୍ତି ।
ସେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜଣାଇଛନ୍ତି, ଯିଏ ବିଶ୍ୱ ବିଜେତା ଟିମ୍ରେ ତାଙ୍କ ଅଧିନାୟକ ଥିଲେ । ଧୋନି ତାଙ୍କୁ ପ୍ରଥମ ଟି-୨୦ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ର ଶେଷ ଓଭର୍ ବୋଲିଂ କରିବାକୁ ଦେଇଥିଲେ । ଅନଭିଜ୍ଞତା ସତ୍ତ୍ୱେ ଯୋଗିନ୍ଦର ଭାରତକୁ ଜିତାଇଥିଲେ ଏବଂ ସେହି ଓଭର୍ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯାଇଥିଲା । ସେ ଆଇପିଏଲ୍ରେ ଧୋନିଙ୍କ ଅଧୀନରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ମଧ୍ୟ ଖେଳିଥିଲେ । ଗତ ବର୍ଷ ତାଙ୍କୁ ଲିଜେଣ୍ଡ୍ସ କ୍ରିକେଟ୍ ଲିଗ୍ରେ ଦେଖିବାକୁ ମିଳିଥିଲା ।
ସେ ପତ୍ରରେ ଆହୁରି ମଧ୍ୟ ଲେଖିଛନ୍ତି – ମୋତେ ଭାରତରୁ କ୍ରିକେଟ୍ ଖେଳିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି । ଆଗକୁ ଯାଇ ନୂଆ ସୁଯୋଗର ସନ୍ଧାନ କରିବି । ମୁଁ ଏହି ଖେଳରେ ଅନ୍ୟ ଉପାୟରେ ସଂଶ୍ଳିଷ୍ଟ ରହିବା ଜାରି ରଖିବି । ମୁଁ ଜୀବନରେ ନୂଆ ଅଧ୍ୟାୟ ଆଡ଼କୁ ଅଗ୍ରସର ହେଉଛି ।
୨୦୦୭ ପରେ ଟିମ୍ରେ ସୁଯୋଗ ମିଳି ନ ଥିଲା
ଟି-୨୦ ବିଶ୍ୱକପ୍ର ଫାଇନାଲ୍ ମୁକାବିଲାର ଶେଷ ଓଭର୍ ପକାଇଥିବା ଯୋଗିନ୍ଦର ଶର୍ମା ମାତ୍ର ଚାରି ବଲ୍ରେ ଦେଶର ହିରୋ ହୋଇପାରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଥିଲା ଯେ ଯୋଗିନ୍ଦରଙ୍କୁ ଏହି ମ୍ୟାଚ୍ ପରେ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନ ଥିଲା । ତେବେ ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିଥିଲେ ।
୨୦୧୭ରେ ଖେଳିଥିଲେ ଶେଷ ମ୍ୟାଚ୍
ଯୋଗିନ୍ଦର ୨୦୧୭ରେ ଶେଷ ଥର ଘରୋଇ କ୍ରିକେଟ୍ ଖେଳିଥିଲେ । ସେ ପଞ୍ଜାବ ବିପକ୍ଷରେ ହରିୟାଣା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ମ୍ୟାଚ୍ ଖେଳିଥିଲେ । ଏଥିରେ ସେ ୭ ଓଭର୍ ବୋଲିଂ କରିଥିଲେ । ଏହାପରେ ସେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିଲେ ।
ମା’ ଥିଲେ ରୋଲ୍ ମଡେଲ୍
ଯୋଗିନ୍ଦର ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଯାତ୍ରାରେ ଉତ୍ଥାନ-ପତନ ଜାରି ରହିଥିଲା, କିନ୍ତୁ ସେହି ପରିସ୍ଥିତିରେ ସେ ହାର୍ ମାନି ନ ଥିଲେ । ସେ ନିଜ ମାଆକୁ ରୋଲ୍ ମଡେଲ୍ ବିବେଚନା କରନ୍ତି । ଆଜି ସେ ଯେତିକି ଲୋକଙ୍କ ଭଲ ପାଇବା ଓ ନାଁ ପାଇଛନ୍ତି, ସେ ସବୁ ତାଙ୍କ ମାଆଙ୍କ ଯୋଗୁଁ ସମ୍ଭବ ହୋଇଛି ।