କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ଅଲ୍ଟିମେଟମ୍

ନୂଆଦିଲ୍ଲୀ, ୩ା୨: ସୁପ୍ରିମ୍କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଚେତାବନୀ ସହ ୧୦ ଦିନିଆ ଅଲ୍ଟିମେଟମ୍ ଦେଇଛନ୍ତି । ଜଷ୍ଟିସ୍ ସଂଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ନ୍ୟାୟପୀଠ କଲିଜିୟମର ସୁପାରିସକୁ ମଞ୍ଜୁରି ଦେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ସମ୍ବନ୍ଧୀୟ ମାମଲାର ଶୁଣାଣି ମଧ୍ୟରେ କହିଛନ୍ତି, ଉଭୟ ପ୍ରଶାସନିକ ଓ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ଯାହା ସୁଖଦ ହେବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀଙ୍କୁ ନ୍ୟାୟପୀଠ କହିଛନ୍ତି, ଆମକୁ କୌଣସି ଷ୍ଟାଣ୍ଡ୍ ନେବାକୁ ଦିଆ ନ ଯାଉ । ଅନ୍ୟଥା ବହୁତ ଅସୁବିଧାଜନକ ସ୍ଥିତି ଉପୁଜିବ ।
ଜଷ୍ଟିସ୍ କୌଲ୍ କହିଲେ, ଜଜ୍ମାନଙ୍କ ବଦଳି ସୁପାରିସକୁ ଅଟକାଇ ରଖିବା ଏକ ଗୁରୁତର ପ୍ରସଙ୍ଗ । ଏହି ପ୍ରକ୍ରିୟାରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ବିରୋଧରେ ଚେତାବନୀ ଦିଆଗଲା । କେବେ କେମିତି ସରକାର କଲିଜିୟମ ସୁପାରିସକୁ ରାତାରାତି ମଞ୍ଜୁର କରୁଛନ୍ତି ତ ଆଉ କେବେ ବହୁ ଅଧିକ ସମୟ ନେଉଛନ୍ତି । ଅର୍ଥାତ୍ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନେବାରେ ଏକରୁପତା ରହୁନାହିଁ । ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ବଦଳି ସମ୍ବନ୍ଧୀୟ ସୁପାରିସ ମଧ୍ୟ ସରକାରଙ୍କ ପାଖରେ ପଡି ରହୁଛି ।
ନ୍ୟାୟପୀଠ ମୌଖିକଭାବେ ଆଟର୍ଣ୍ଣି ଜେନେରାଲ୍ଙ୍କୁ କହିଲେ, ଆମକୁ ଏକ କଠୋର ଫୈସଲା ନେବାକୁ ହେବ । କଡା ଆଭିମୁଖ୍ୟ ଆପଣାଇବା ପାଇଁ ଆମକୁ ବାଧ୍ୟ କରା ନ ଯାଉ ।
ଶୁଣାଣି ଭିତରେ ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଆଡ୍ଭୋକେଟ୍ ଅମିତ ପଈ କହିଲେ ଯେ କୋର୍ଟଙ୍କ ଉପରେ ବାହାରୁ ଆକ୍ରମଣ ହେଉଛି । ଜଷ୍ଟିସ୍ କୌଲ ଏହା ଉପରେ ଟିପ୍ପଣୀ ଦେଇ କହିଲେ, ଆମେ ଏଥିରେ ଅଭ୍ୟସ୍ତ । ନିଶ୍ଚିନ୍ତ ରୁହନ୍ତୁ ଯେ ଆମେ ଏଥିରେ ବିବ୍ରତ ନୋହୁଁ । ଏଜି କହିଛନ୍ତି, ସୁପ୍ରିମ୍କୋର୍ଟରେ ୫ ଜଜ୍ଙ୍କ ନିଯୁକ୍ତି ପାଇଁ କଲିଜିୟମ ପକ୍ଷରୁ ପଠାଯାଇଥିବା ସୁପାରିସକୁ ଶୀଘ୍ର ମଞ୍ଜୁରି ଦିଆଯିବ । ଏ ସମ୍ବନ୍ଧୀୟ ୱାରେଣ୍ଟ୍ ୫ ଦିନ ଭିତରେ ଇସୁ୍ୟ କରିଦିଆଯିବ । ଆପଣ ଟାଇମ୍ ରେକର୍ଡ କରନ୍ତୁ ନାହିଁ । ଏଜିଙ୍କଠାରୁ ଏକଥା ଶୁଣି ଜଷ୍ଟିସ୍ କୌଲ କହିଲେ, ମଞ୍ଜୁର ତ କରାଯିବ, କିନ୍ତୁ କେବେ? ଏଜି ଉତ୍ତର ଦେଲେ, କୌଣସି ଟାଇମ୍ ଲାଇନ୍ ଦେଇହେବ ନାହିଁ, ତେବେ ପ୍ରତିକ୍ଷଣରେ ଏହା ଉପରେ କାମ ଚାଲିଛି । ପରିଶେଷରେ ଜଷ୍ଟିସ୍ କୌଲ କହିଲେ, ଆମେ ଆପଣଙ୍କ କଥା ମାନିଲୁ, ୧୦ ଦିନ ସମୟ ଦେଉଛୁ । ସୁସମ୍ପାଦ ଶୁଣାଇବେ ବୋଲି ଆଶା କରୁଛୁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପାଖରେ କଲିଜିୟମ ପଠାଇଥିବା ୬୪ ସୁପାରିସ ଏବେ ବି ପଡିରହିଛି । ସରକାର ଯେଉଁ ୧୮ ସୁପାରିସ ଫେରାଇ ଦେଇଛନ୍ତି, ସେଥିରୁ ୭ଟିକୁ କଲିଜିୟମ ପୁନର୍ବାର ପଠାଇଛନ୍ତି । ଗୁରୁବାର ଆଇନ ମନ୍ତ୍ରୀ ରାଜ୍ୟସଭାରେ ଏହି ସୂଚନା ଦେବା ସହ କହିଥିଲେ ଯେ ହାଇକୋର୍ଟଗୁଡିକ ପାଇଁ ୧୧୦୮ ପଦ ସ୍ୱୀକୃତ, ସେଥିରୁ ୩୩୩ ଏବେ ଖାଲିପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *