ପରମାଣୁ ଯୁଦ୍ଧ ପାଇଁ ପୁତିନଙ୍କ ପ୍ରସ୍ତୁତି
ମସ୍କୋ, ୩ା୨: ରୁଷ୍-ୟୁକ୍ରେନ୍ ଯୁଦ୍ଧର ବର୍ଷପୂର୍ତ୍ତି ହେବାକୁ ଯାଉଛି । ଇତିମଧ୍ୟରେ ରୁଷ୍ ପକ୍ଷରୁ ବହୁବାର ପରମାଣୁ ଯୁଦ୍ଧ ଚେତାବନୀ ଦିଆଯାଇଛି । ପୁତିନ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ଯାଇପାରନ୍ତି – ଏକଥା କେବଳ ଅଟକଳ ମଧ୍ୟରେ ଥିଲା । ଏବେ କିନ୍ତୁ ପୁତିନଙ୍କର ଏକ ଫଟୋ ଆସିଛି, ସେ ପରମାଣୁ ଯୁଦ୍ଧ ପାଇଁ ପ୍ରତିମୁହୂର୍ତ୍ତରେ ପ୍ରସ୍ତୁତ ବୋଲି ସ୍ପଷ୍ଟ ହୋଇଛି ।
ଗୁରୁବାର ପୁତିନ୍ ତାଙ୍କ ପରମାଣୁ ବ୍ରିଫ୍କେସ୍ ସହ ଦେଖାଦେଇଥିଲେ । ଏହି ଫଟୋ ପାଶ୍ଚାତ୍ୟ ଦେଶମାନଙ୍କୁ ସିଧାସଳଖ ଚେତାବନୀ ବୋଲି କୁହାଯାଉଛି । ଷ୍ଟାଲିନ୍ଗ୍ରାଦ ଲଢେଇରେ ସୋଭିଏତ୍ ରୁଷ୍ର ବିଜୟର ୮୦ତମ ବର୍ଷ ପୂର୍ତ୍ତି ଅବସରରେ ବୋଲ୍ଗୋଗ୍ରାଦ୍ଠାରେ ପୁତିନ ସ୍ମାରକୀ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଉଥିବା ବେଳେ ତାଙ୍କ ଅଙ୍ଗରକ୍ଷୀ ନୁ୍ୟକ୍ଲିୟର ବ୍ରିଫ୍କେସ୍ ଧରି ଛିଡା ହୋଇଥିବା ଦେଖାଦେଇଥିଲା । ଏହି ନୁ୍ୟକ୍ଲିୟର ବ୍ୟାଗ୍ରେ ପର୍ସନାଲାଇଜ୍ଡ କୋଡ୍ ଥାଏ । ଏହା ସବୁ ସମୟରେ ପରମାଣୁ ବୋମାକୁ ନିୟନ୍ତ୍ରଣ କରିଥାଏ । କଳାରଙ୍ଗର ସେହି ବ୍ୟାଗ୍ ଅହରହ ସଶସ୍ତ୍ର ସୁରକ୍ଷା ଅଧିକାରୀଙ୍କ ପାଖରେ ଥାଏ ଯାହାକୁ ଏବେ ପୁତିନ ସବୁ ଜାଗାକୁ ନେଉଛନ୍ତି ।
ଏହି ବ୍ରିଫ୍କେସ୍କୁ ରୁଷୀୟ ଭାଷାରେ ଚେଗେଟ କୁହାଯାଏ । ୧୯୮୦ ଦଶକର ଆରମ୍ଭ ସମୟରେ ଏହାକୁ ନିର୍ମାଣ କରାଯାଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ ବିଶ୍ୱବାସୀ ପୁତିନଙ୍କ ପରମାଣୁ ବ୍ରିଫ୍କେସ୍ ଦେଖିବାକୁ ପାଇଥିଲେ । ଟେଲିଭିଜନେ ଖୁବ୍ ପାଖରୁ ଏହାକୁ ପ୍ରଦର୍ଶନ କରାଯାଇଥିଲା । କୁହାଯାଇ ଯେ ଏହି ପ୍ରକାର ୩ଟି ବ୍ରିଫ୍କେସ୍ ତିଆରି କରିଛି । ଗୋଟିକୁ ପୁତିନ ନିଜ ସାଙ୍ଗରେ ନେଉଛନ୍ତି । ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଆସନ୍ତା ୨୪ ତାରିଖ ଦିନ ବର୍ଷେ ପୂରିବ । ସେଦିନ ଏକ ବଡ ସଫଳତା ହାସଲ କରିବା ଲକ୍ଷ୍ୟରେ ରୁଷ୍ ପରମାଣୁ ଆକ୍ରମଣ କରିପାରେ କିମ୍ବା ଆଉ ୫ ଲକ୍ଷ ସୈନିକଙ୍କ ସହ ୟୁକ୍ରେନ୍ ବୋରଧରେ ନୂଆ ମୋର୍ଚ୍ଚା ଖୋଲିପାରେ ବୋଲି ୟୁକ୍ରେନ୍ ପକ୍ଷରୁ ଆଶଙ୍କାବ୍ୟକ୍ତ କରାଯାଇଛି ।