ନାଗରିକଙ୍କ ଉପରେ ବୋମାମାଡ଼ କରୁଛି ମିଅାଁମାର

ନାପିଦ (ଏଜେନ୍ସି) ୧୯ ଜାନୁଆରୀରେ ମିଆଁମାରର ସାଙ୍ଗେଗ୍ ଅଞ୍ଚଳରେ ଜନସମାଗମ ହୋଇଥିଲା । ଏମାନେ ଏଠାରେ ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ତଥା ଆୟୋଜନ କରୁଥିଲେ । ଏହି ସମୟରେ ଆକାଶମାର୍ଗରେ କିଛି ଫାଇଟର ପ୍ଲେନ୍ ଉଡିବା ଦେଖିବାକୁ ମିଳିଥିଲା । ପରେ ଏହି ଫାଇଟର ପ୍ଲେନ୍ଗୁଡ଼ିକ ଉକ୍ତ ଅଞ୍ଚଳରେ ବୋମା ପକାଇବା ଆରମ୍ଭ କରିଦେଇଥିଲେ । ନିମିଷକେ ମଧ୍ୟରେ ସବୁକିଛି ଧ୍ୱଂସ ପାଇଗଲା । ସ୍ଥାନୀୟ ଅଞ୍ଚଳର ଜନବସତି ହିଁ ନିଶ୍ଚିହ୍ନ ହୋଇଗଲା । ତେବେ ଏହା କେବଳ ସାଙ୍ଗେଗ୍ ଅଞ୍ଚଳରେ ନୁହେଁ ବରଂ ମିଆଁମାରର ଅଧିକାଂଶ ପ୍ରାନ୍ତରେ ଏପ୍ରକାର ଘଟଣା ଘଟୁଛି । ଅନେକ ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ବିଡମ୍ବନାର ବିଷୟ ହେଉଛି ଏସବୁ କୌଣସି ଶତ୍ରୁ ଦେଶ ପକ୍ଷରୁ କରାଯାଉନାହିଁ । ବରଂ ମିଆଁମାରର ସେନା ସରକାର ହିଁ ଏସବୁ କରୁଛି । ନିଜ ଦେଶର ନାଗରିକଙ୍କ ଉପରେ ବୋମା ମାଡ଼ କରି ସେମାନଙ୍କୁ ହତ୍ୟା କରୁଛି । ଏସମ୍ପର୍କରେ ସମଗ୍ର ବିଶ୍ୱ ବେଶ୍ ଭଲଭାବେ ଅବଗତ ରହିଥିଲେ ମଧ୍ୟ କେହି କିଛି କହିବାକୁ ଚାହୁଁନାହାନ୍ତି । ଅନ୍ୟପକ୍ଷେ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଜାଣିଶୁଣ ପାଟି ଚୁପ୍ କରି ବସୁଛନ୍ତି । ବର୍ତ୍ତମାନ ସମୟରେ ବିଶ୍ୱ ମାନବାଧିକାର ସଂଗଠନ କେବଳ ଏଭଳି ନାରକୀୟ ଘଟଣାରେ ଔପଚାରିକତା ପୂରା କରିଛି । ବିଶ୍ୱ ମାନବାଧିକାର ସଂଗଠନ କହିଛି, ମିଆଁମାରକୁ ଜେଟ୍ ଫୁଏଲ୍ ଦିଆନଯାଉ । ତେବେ ସମସ୍ତେ ଭଲଭାବେ ଜାଣିଛନ୍ତି ମିଆଁମାର ନିଜ ବେସାମରିକ ବିମାନ ଚଳାଇବା ପାଇଁ ଚୀନ୍ ପାଖରୁ ଏହି ଫୁଏଲ ଗ୍ରହଣ କରୁଛି । କେବଳ ଫୁଏଲ ନୁହେଁ, ଚୀନ୍ ଦେଇଥିବା ଲଢ଼ୁଆ ବିମାନକୁ ମଧ୍ୟ ଏସବୁ କାର୍ଯ୍ୟରେ ଲଗାଉଛି ମିଆଁମାର ସେନା । ଚୀନ୍ ମିଆଁମାର ସହ ସମ୍ପର୍କ ଖରାପ କରିବାକୁ ଚାହୁଁନଥିବାରୁ ସବୁଜାଣି ମଧ୍ୟ ଚୁପ୍ ରହିଛି ।
ରିପୋର୍ଟ ଅନୁସାରେ କେବଳ ୨ଠ୨୨ରେ ମିଆଁମାର ସେନା ପକ୍ଷରୁ ଆକାଶମାର୍ଗରୁ କରାଯାଇଥିବା ବୋମାମାଡ଼ରେ ପ୍ରାୟ ୪୬ଠ ସାଧାରଣ ଲୋକଙ୍କ ମୃତୁ୍ୟ ହୋଇଛି । ବିଶେଷକରି ଗତ ୬ ମାସ ମଧ୍ୟରେ ମିଆଁମାର ସେନା ୧୩୫ଥର ନିଜ ନାଗରିକଙ୍କ ଉପରେ ବୋମାମାଡ଼ କରିସାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *