ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା
ଭୁବନେଶ୍ୱର/ଜୟପୁର, ୨ା୨(ବୁ୍ୟରୋ/ଆପ୍ର): ଜୟପୁୂରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କ ବହୁଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ବିକ୍ରମଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତବର୍ଷ ଏହି ମହାବିଦ୍ୟାଳୟ ତା’ର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା । ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ୍, ୧୭ଟି ଅଣ୍ଡର ଗ୍ରାଜୁଏଟ୍ ପ୍ରୋଗ୍ରାମ୍ ସହିତ ବିବିଏ, ବିସିଏ ଓ ବିଇଡି ପାଠ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ୪ ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ବିକ୍ରମଦେବ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲ୍କାନଗିରି ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲ୍ଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଜୟପୁର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଶୁକ୍ରବାର ଏହି କଲେଜର ୭୫ବର୍ଷ ପୂର୍ତ୍ତି ପାଳନ ଉତ୍ସବ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।