ଘର ଖଣ୍ଡେ ପାଇବା ସାତସପନ
ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା
ପୁରୀ (ବୁ୍ୟରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଗରିବ ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି । ଏନେଇ ମଧ୍ୟ ତାଲିକା ପ୍ରକାଶ ପାଇଛି, କିନ୍ତୁ ତାଲିକାରେ ଉପଯୁକ୍ତ ହିତାଧିକାରୀଙ୍କ ନାମ ନାହିଁ । ବାସ୍ତବରେ ଯେଉଁ ଲୋକଙ୍କ ଲାଗି ଯୋଜନା ଆସିଛି ସେଥିରେ ସେମାନଙ୍କ ନାମ ବହୁତ କମ୍ ରହିଛି । ଯାହାକୁ ନେଇ ଜିଲ୍ଲାର ୧୧ଟି ବ୍ଲକ୍ର ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ । ଏପରିକି ଜିଲ୍ଲାର ଅନେକ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଉକ୍ତ ଯୋଜନା ଗରିବ ଓ ଅସହାୟଙ୍କ ଲାଗି ସରକାର ଯୋଜନା କରିଥିବା ବେଳେ ବାସ୍ତବରେ ତାହା ଓଲଟା ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ ଯେଭଳି ତେଲିଆ ମୁଣ୍ଡରେ ତେଲ ଠିକ୍ ସେହି ନ୍ୟାୟ ଏବେ ଚାଲିଛି ପୁରୀ ଜିଲ୍ଲାରେ । ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା । ପ୍ରତ୍ୟେକ ବର୍ଷ ଜିଲ୍ଲାବାସୀ ବାତ୍ୟା ଓ ବନ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୨୦୧୯ ମସିହା ମହାବାତ୍ୟାରେ ଜିଲ୍ଲାରେ କେତେକ ବ୍ଲକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଅନେକ ଗାଁରେ ଚାଳ ଘର ଭାଙ୍ଗି ମାଟିରେ ମିଶିଯାଇଥିଲା । ଏବେ ବି ଅନେକ ହିତାଧିକାରୀ ନିଜ ଘରକୁ ନୂଆ ରୂପ ଦେବାରେ ଫେଲ୍ ମାରିଛନ୍ତି । ସେମାନେ ଚାତକ ଭଳି ଚାହିଁ ରହିଥିଲେ ମଧ୍ୟ ବର୍ଷ ପରେ ବର୍ଷ ବିତିଥିଲେ ସୁଦ୍ଧା ସେମାନେ ଆବାସ ଯୋଜନାରେ ଘରଟିଏ ପାଇଲେ ନାହିଁ । ସେମାନେ ଘରଟିଏ ପାଇବା ଲାଗି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ ଓ ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ି ପାଇଥିଲେ କେବଳ ଆଶ୍ୱାସନା । କିନ୍ତୁ ବାସ୍ତବରେ ସେମାନଙ୍କ ଲାଗି ଆବାସ ସ୍ୱପ୍ନ । ସତେ ଯେମିତି ଗରିବ ଲୋକଙ୍କ ଲାଗି ଘରଟିଏ ସାତସାପନ ପାଲଟିଛି । ଯେଉଁ ବ୍ୟକ୍ତିଙ୍କର ସମାଜରେ ସ୍ୱଚ୍ଛଳ ରୋଜଗାର ରହିଛି ଏବଂ ରାଜନେତାଙ୍କ ସହ ଭିତିରି ବୁଝମଣା କରି ଆବାସ ପାଇବାରେ ସକ୍ଷମ ହେଉଛନ୍ତି । କିନ୍ତୁ ବାସ୍ତବରେ ଯୋଜନା ଯାହା ଲାଗି ଆସିଛି ସେମାନେ ସେଥିରୁ ବଞ୍ଚିତ ରହୁଛନ୍ତି । ଏବେ ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ମଧ୍ୟ ଅଧିକାଂଶ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ନାମ ନାହିଁ । ଯାହାକୁ ନେଇ ଜିଲ୍ଲାରେ ଆବାସ ରାଜନୀତି ଜୋର୍ ଧରିଛି ।
ଆଉ ୮ମାସ ପରେ ସାଧାରଣ ନିର୍ବାଚନ ଲାଗି ବିଗୁଲ୍ ବାଜିବ । ସେଥିଲାଗି ଆଜିଠାରୁ ସମସ୍ତ ରାଜନୈତିକ ଦଳର ନେତାମାନେ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଗରିବ ଲୋକଙ୍କ ନାଁ ଆବାସ ତାଲିକାରେ ନ ଥିବାରୁ ସେମାନେ ସାଧାରଣ ନିର୍ବାଚନ ସମୟରେ ନେତାଙ୍କ ସହ ଗାଁ ଦାଣ୍ଡରେ ମୁହାଁମୁହିଁ ହେବେ ବୋଲି ଅସନ୍ତୁଷ୍ଟ ହିତାଧିକାରୀମାନେ ପ୍ରସ୍ତୁତ ହେଲେଣି । ସେମାନଙ୍କୁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଆଶ୍ୱାସନା ଦେଉଛନ୍ତି । ଆଗକୁ ତାଲିକା ପରିବର୍ତ୍ତନ କରାଯିବ । ଉପଯୁକ୍ତ ହିତାଧିକାରୀଙ୍କ ନାମ ପ୍ରକାଶ ପାଇବ । ହେଲେ ଉକ୍ତ ଆଶ୍ୱାସନାକୁ ଗ୍ରହଣ କରୁନାହାନ୍ତି ହିତାଧିକାରୀ । ଏପରିକି ତାଲିକାରେ ନାଁ ନ ଥିବା ଯୋଗ୍ୟ ହିତାଧିକାରୀ ନିଜେ ନିଜେ ବ୍ଲକ୍ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଘର ଲାଗି ଦରଖାସ୍ତ ଦେଉଛନ୍ତି ।
ଏ ସମ୍ପର୍କରେ ଜଣେ ହିତାଧିକାରୀ କୁହନ୍ତି, ସରକାର ଗରିବଙ୍କ ଲାଗି ଯୋଜନା କରୁଛନ୍ତି । ସ୍ଥାନୀୟ ନେତା ଓ ଅଧିକାରୀଙ୍କ ଚାଲ୍ ଯୋଗୁଁ ପ୍ରକୃତ ହିତାଧିକାରୀ ବାଦ୍ ପଡୁଛନ୍ତି ।