ସମ୍ପୂର୍ଣ୍ଣ ନିୟନ୍ତ୍ରିତ ରହିଛି ଷ୍ଟକ୍ ମାର୍କେଟ୍
ହିଣ୍ଡେନ୍ବର୍ଗ ରିପୋର୍ଟ ଯୋଗୁ ସେୟାର ବଜାର କ୍ରାଶ୍ ପ୍ରସଙ୍ଗ
ନୂଆଦିଲ୍ଲୀ/ ମୁମ୍ବାଇ (ଏଜେନ୍ସି): ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଏବଂ ଏଥିଯୋଗୁ ଅଦାନୀ ଗ୍ରୁପ୍ର ସେୟାର ଭାଲୁ୍ୟ ପ୍ରଭାବିତ ହେବା ତଥା ଦେଶର ସେୟାର ମାର୍କେଟ୍ କ୍ରାଶ୍ ହେବା ଏବେ ଦେଶବ୍ୟାପୀ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଗୋଟିଏ ପଟେ ଏହାକୁ ଏକ ପ୍ରସଙ୍ଗ କରି ବିରୋଧୀ ଦଳ ଏବେ କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଇଥିବା ବେଳେ ଅନ୍ୟପକ୍ଷେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଛି । ତେବେ ଏସବୁ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଫେଇ ଦେବା ସହ ନିଜ ସରକାରଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଭାରତୀୟ ଷ୍ଟକ୍ ବଜାରର ମୂଳ ଭିତ୍ତି ବେଶ୍ ସୁଦୃଢ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ଷ୍ଟକ୍ ବଜାରରେ ନୂଆ ବଜେଟ୍ର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଷ୍ଟକ୍ ମାର୍କେଟ୍ ବେଶ୍ ସନ୍ତୁଳିତ, ନିୟନ୍ତ୍ରିତ ଭାବେ ପରିଚାଳିତ ହେଉଛି, ଏଠାରେ କୌଣସି ସମସ୍ୟା ନାହିଁ । ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ଷ୍ଟକ୍ ମାର୍କେଟ୍ରେ ସୃଷ୍ଟି ହୋଇଥିବା ହଲ୍ଚଲ୍ ତଥା ଅନେକ ପୁଞ୍ଜି ନିବେଶକ ସେୟାର ବୁଡ଼ିଯାଇଥିବା (ମାର୍କେଟ୍ କ୍ରାଶ୍) ଅଭିଯୋଗ ଜୋର ଧରିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି କହିଛନ୍ତି । ଅଦାନୀ ଗ୍ରୁପ୍ର ସେୟାର ହ୍ରାସ, ଷ୍ଟକ୍ ମାର୍କେଟ୍ କ୍ରାଶ୍, ଏସ୍ବିଆଇ ଏବଂ ଏଲ୍ଆଇସି ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇ ସୀତାରମଣ କହିଛନ୍ତି, ଅଦାନୀ ଗ୍ରୁପ୍ରେ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସୀମିତ ନିବେଶ ରହିଛି ଓ ତାହା ନିର୍ଦ୍ଧାରିତ ସୀମା ମଧ୍ୟରେ ହିଁ ରହିଛି । ସୁତରାଂ ଅଦାନୀ ଗ୍ରୁପ୍ର ସେୟାର ଭାଲୁ୍ୟ ହ୍ରାସ ପାଇବା ଯୋଗୁ ଏହି ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ଯେ ବିପଦରେ ପଡ଼ିବେ ତାହା ଭାବିବା ଭୁଲ୍ । ଏହି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବି ଅଦାନୀରେ ନିବେଶ କରି ଏପର୍ଯ୍ୟନ୍ତ ଲାଭ ପାଇ ଆସିଛନ୍ତି । ଏହି ଦୁଇ ରାଷ୍ଟ୍ରୀୟ ସଂସ୍ଥା ବେଶ୍ ଲାଭଜନକ ସ୍ଥିତିରେ ଅଛନ୍ତି । କାହାର ଅର୍ଥ ବୁଡ଼ିବାର ନାହିଁ । ତେବେ ବଜାର ନିୟାମକମାନେ ଏକ ଭଲ କାର୍ଯ୍ୟ କରୁଛନ୍ତି ଓ ବଜାର ଉପରେ ନିବେଶକଙ୍କ ଭରସା ରହିଛି । ଗୌତମ ଅଦାନୀ ଗ୍ରୁପ୍ର ସେୟାରକୁ ନେଇ ସୃଷ୍ଟି ହୋଇଥିବା ସଂକଟ ସାମୟିକ ଏବଂ ଏହା ନିବେଶକଙ୍କ ବିଶ୍ୱାସ ତଥା ଭରସାକୁ ପ୍ରଭାବିତ କରିବ ନାହିଁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଭାରତ ନିଶ୍ଚିତ ଭାବେ ଏକ ସୁପରିଚାଳିତ ଶାସନ ବ୍ୟବସ୍ଥାର ଦେଶ ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ପ୍ରକାଶ ପାଇଥିବା ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଅଦାନୀ ଗ୍ରୁପ୍ର ସେୟାରରେ ପ୍ରାୟ ୧୨ଠ ବିଲିୟନ ଡଲାରରୁ ବି ଅଧିକ ହ୍ରାସ ଦେଖାଯାଇଛି । ଏହି ହ୍ରାସ କମ୍ପାନୀର ମୋଟ ମୂଲ୍ୟର ପାଖାପାଖି ୫ଠ% ବୋଲି କୁହାଯାଇଛି । ଅନ୍ୟପକ୍ଷେ ଏଲଆଇସି ଏବଂ ଏସବିଆଇ ଭଳି ରାଷ୍ଟ୍ରାୟତ୍ତ ସଂସ୍ଥା ଅଦାନୀ ଗ୍ରୁପ୍ ସେୟାରରେ ପୁଞ୍ଜି ନିବେଶ କରିଥିବାରୁ ଏସବୁ ଅର୍ଥ ବୁୂଡ଼ିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।