ସଂସଦରେ ଅଚଳାବସ୍ଥା

ହିଣ୍ଡେନ୍ବର୍ଗ ରିପୋର୍ଟ
ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କଲେ ବିରୋଧୀ
ନୂଆଦିଲ୍ଲୀ, ୨ା୨: ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଶିଳ୍ପପତି ଅଡାନୀଙ୍କ ସେୟାର ହ୍ରାସକୁ ନେଇ ଗୁରୁବାର ସଂସଦରେ ତୁମଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ବିରୋଧୀ ଦଳ ସମ୍ପୂର୍ଣ୍ଣ ମାମଲାର ସଂଯୁକ୍ତ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବା ଦାବିରେ ହଟ୍ଟଗୋଳ କରିବାରୁ ଉଭୟ ସଦନ ଦିନକ ପାଇଁ ମୁଲତବୀ ରଖାଯାଇଛି । ବଜେଟ୍ ଉପସ୍ଥାପନ ଦିନକ ପରେ ସଂସଦରେ ଅଡାନୀ ଗ୍ରୁପ୍ ଜାଲିଆତି ଉପରେ ଆଲୋଚନା ଲାଗି ବାମ ଦଳ, କଂଗ୍ରେସ, ଶିବସେନା, ଆପ୍ ଏବଂ ଅନ୍ୟ ବିରୋଧୀ ଦଳ ଅଡିବସିବା ସହିତ ସଂସଦୀୟ କମିଟି ଦ୍ୱାରା ସମୁଦାୟ ଘଟଣାର ତଦନ୍ତ ଲାଗି ଦାବି କରିଥିଲେ । କିନ୍ତୁ ବାଚସ୍ପତି ଦାବି ଅଗ୍ରାହ୍ୟ କରିବାରୁ ବିରୋଧୀ ସାଂସଦମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ହଟ୍ଟଗୋଳ କରିଥିଲେ । ଯାହାଫଳରେ ଉଭୟ ସଦନରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା । ଲୋକସଭା ବାଚସ୍ପତି ଓମ୍ ବିରଳା ସାଂସଦମାନଙ୍କୁ ଶୃଙ୍ଖଳା ରକ୍ଷା ଲାଗି ନିବେଦନ କରି ବିଫଳ ହେବା ପରେ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଆପ୍ର ସଂଜୟ ସିଂହ ପ୍ରମୁଖ ୯ ସଦସ୍ୟ ରୁଲ୍ ୨୬୭ ଉକ୍ତ ପ୍ରସଙ୍ଗ ଆଲୋଚନା ପାଇଁ ନୋଟିସ୍ ଦେଇଥିଲେ । କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ନୋଟିସ୍କୁ ଅଗ୍ରାହ୍ୟ କରିବାରୁ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ।
ଅପରାହ୍ଣରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଦିନକ ପାଇଁ ସଂସଦକୁ ମୁଲତବୀ ଘୋଷଣା କରାଯାଇଥିଲା । ଅଧିବେଶନ ଆରମ୍ଭ ପୂର୍ବରୁ ଖଡ୍ଗେଙ୍କ ଚାମ୍ବରରେ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ଏସ୍ପି, ଜେଡିୟୁ, ଶିବସେନା, ବାମପନ୍ଥୀ, ଆପ୍, ଏନ୍ସିପି ଆଦି ଦଳର ସଦସ୍ୟମାନେ ଏକାଠି ହୋଇ ଅଡାନୀ ଜାଲିଆତି ଉପରେ ଆଲୋଚନା ପାଇଁ ନିଷ୍ପତ୍ତି ନେଇଥିଲେ । ହିଣ୍ଡେନ୍ବର୍ଗ ରିପୋର୍ଟ ପରିପ୍ରେକ୍ଷୀରେ ଅଡାନୀ ଗ୍ରୁପ୍ର ଅଂଶଧନ କ୍ରମାଗତ ହ୍ରାସ ପାଇ ଚାଲିଛି । ଶେଷ ରିପୋର୍ଟ ଅନୁଯାୟୀ ଅଡାନୀର ଅଂଶଧନ ୨୬.୫୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏଥିରେ ନିବେଶ କରିଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଏଲ୍ଆଇସି ବିପୁଳ କ୍ଷତି ଘଟିଛି । ଯଦ୍ୱାରାକି ଏଲ୍ଆଇସିର ୨୯ କୋଟି ପଲିସି ହୋଲ୍ଡର ଏବଂ ୪୫ କୋଟି ଆକାଉଣ୍ଟଧାରୀ ଶଙ୍କାଗ୍ରସ୍ତ ଅବସ୍ଥାରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *