ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ଖେଳିବେ ଜାଡ଼େଜା
ଏନ୍ସିଏରେ ପାସ୍ କଲେ ଫିଟ୍ନେସ୍ ଟେଷ୍ଟ
ନାଗପୁର, ୨ା୨ (ଏଜେନ୍ସି): ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଫିଟ୍ନେସ୍ ଟେଷ୍ଟ ପାସ୍ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଫେବ୍ରୁଆରୀ ୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାରେ ଟିମ୍ ଇଣ୍ଡିଆର ଅଂଶବିଶେଷ ହେବେ । ସେ ଏଠାରେ ଅଭ୍ୟାସ ପାଇଁ ଟିମ୍ ସହିତ ଯୋଗ ଦେବେ ।
ନାଗପୁରରେ ଗୁରୁବାର ଠାରୁ ୬ ଯାଏଁ ଟିମ୍ ଇଣ୍ଡିଆର ଅଭ୍ୟାସ ଶିବିର ଚାଲିବ । ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ସାମିଲ୍ ହେବ । ଜାଡ଼େଜାଙ୍କୁ ଏନ୍ସିଏ ବୁଧବାର ଫିଟ୍ନେସ୍ ଟେଷ୍ଟ ପାସ୍ କରିବାର ସାର୍ଟିଫିକେଟ୍ ଦେଇଥିଲା । ଏହାପରେ ବିସିସିଆଇ ତାଙ୍କୁ ଟିମ୍ ଇଣ୍ଡିଆ ସହ ଅଭ୍ୟାସ ଶିବିରରେ ଯୋଗ ଦେବାର ଅନୁମତି ଦେଇଥିଲା ।
ଦ୍ଭ ଆଣ୍ଠୁ ସର୍ଜରୀ କରାଇଥିଲେ ଜାଡ଼େଜା ଜାଡ଼େଜା ଶେଷ ଥର ୨୦୨୨ ଅଗଷ୍ଟ ଏସିଆ କପ୍ ସମୟରେ ଭାରତ ପକ୍ଷରୁ ଖେଳିଥିଲେ । ଏସିଆ କପ୍ ସମୟରେହିଁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ସେ ସର୍ଜରୀ କରାଇଥିଲେ, ଯେଉଁଥିପାଇଁ ତାଙ୍କୁ ପାଞ୍ଚ ମାସ ପାଇଁ ପଡ଼ିଆରୁ ଦୂରରେ ରହିବାକୁ ପଡ଼ିଥିଲା । ଏହି କାରଣରୁ ସେ ଅଷ୍ଟ୍ରେଲିଆରେ ହୋଇଥିବା ଟି-୨୦ ବିଶ୍ୱକପ୍ରେ ଭାଗ ନେଇପାରି ନ ଥିଲେ । ଏହା ସହିତ ବାଂଲାଦେଶ, ନୁ୍ୟଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର ବି ଅଂଶବିଶେଷ ହୋଇପାରି ନ ଥିଲେ ।
ଦ୍ଭ ରଣଜୀରେ ନେଇଥିଲେ ୮ ୱିକେଟ୍ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ୩୪ବର୍ଷୀୟ ଜାଡ଼େଜା ଫେବ୍ରୁଆରୀ ୨୪ରେ ସୌରାଷ୍ଟ୍ର ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିଲେ । ଏହି ମ୍ୟାଚ୍ରେ ସେ ତାମିଲନାଡ଼ୁ ବିପକ୍ଷରେ ୪୧.୧ ଓଭର୍ ବୋଲିଂ କରିଥିଲେ । ସେ ପ୍ରଥମ ଇନିଂସ୍ରେ ଗୋଟିଏ ଓ ଦ୍ୱିତୀୟ ଇନିଂସ୍ରେ ୭ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ସେ ୨୩ ଓ ୧୫ ରନ୍ର ଇନିଂସ୍ ଖେଳିଥିଲେ ।
ଜାଡ଼େଜା ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ସେ ଏ ଯାବତ ୬୦ ଟେଷ୍ଟ ମ୍ୟାଚ୍ ଖେଳି ୨୫୨୩ ରନ୍ କରିବା ସହ ୨୪୨ ୱିକେଟ୍ ନେଇଛନ୍ତି । ଭାରତରେ ସେ ୩୬ ଟେଷ୍ଟ ଖେଳିଛନ୍ତି ଏବଂ ଏଥିରେ ୧୪୫୭ ରନ୍ କରିବା ସହ ୧୭୨ ୱିକେଟ୍ ପାଇଛନ୍ତି । ଏପରିସ୍ଥଳେ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ଜାଡ଼େଜା ଟିମ୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
ଦ୍ଭ ବୋଲିଂ ଅଭ୍ୟାସ କଲେ ବୁମ୍ରା ୨୦୨୨ ସେପ୍ଟେମ୍ବରରୁ କ୍ରିକେଟ୍ରୁ ଦୂରରେ ଥିବା ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ମଧ୍ୟ ବୋଲିଂ ଆରମ୍ଭ କରିଛନ୍ତି । ସେ ବି ଫିଟ୍ନେସ୍ ଫେରିପାଇବା ପାଇଁ ଏନ୍ସିଏରେ ଅଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସେ ନେଟ୍ସରେ ବୋଲିଂ ଅଭ୍ୟାାସ କରିଛନ୍ତି । ଯଦି ସବୁକିଛି ଠିକ୍ଠାକ୍ ରହେ, ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇ ଟେଷ୍ଟ ପାଇଁ ବୁମ୍ରା ଭାରତୀୟ ଟିମ୍ର ଅଂଶବିଶେଷ ହୋଇପାରନ୍ତି ।