୭୫ ଗ୍ରାମ୍ ବ୍ରାଉନ୍ ସୁଗର ଜବତ, ୫ ଗିରଫ
ପୁରୀ ପୁଲିସ୍କୁ ବଡ଼ ସଫଳତା
ପୁରୀ (ବୁ୍ୟରୋ): ବାସେଳୀ ସାହି ଥାନା ପୁଲିସ ୨ ନିଶା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଲୋକନାଥ ଘାଟ ହାତୀଶାଳର ରଞ୍ଜନ କୁମାର ମଲ୍ଲିକ ଓରଫ ମିଟୁ ଓ ବଳିଆପଣ୍ଡା ଥାନା ଅନ୍ତର୍ଗତ ଶାନ୍ତି ଗେଷ୍ଟ ହାଉସ୍ ଲେନ୍ର କୃଷ୍ଣଚନ୍ଦ୍ର ପଣ୍ଡା ଓରଫ ବିଟୁ । ଏମାନଙ୍କ ଠାରୁ ପୁଲିସ୍ ୩୫.୪୫ ଗ୍ରାମ ବ୍ରାଉନ୍ ସୁଗର ଓ ୧୧୦୦ ଟଙ୍କା ଓ ୩ଟି ମୋବାଇଲ୍ ଜବତ କରିଛି ।
ଏନେଇ ଥାନା ଅଧିକାରୀ କୁଳମଣି ସେଠୀ କହିଛନ୍ତି ଯେ, ଗୁରୁବାର ଲୋକନାଥ ମନ୍ଦିର ପୋଖରୀ ନିକଟରେ ଉପରୋକ୍ତ ୨ ନିଶା ବ୍ୟବସାୟୀ ବ୍ରାଉନ୍ ସୁଗର ବିକ୍ରି କରୁଥିବା ନେଇ ଖବର ପହଞ୍ଚôଥିଲା । ଖବର ମିଳିବା ପରେ ଏକ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ୨ ନିଶା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏନେଇ ପୁଲିସ୍ ନିଜଆଡ଼ୁ ୩୩/୨୩ରେ ମାମଲା ରୁଜୁକରି ୨ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ସେହିପରି କୁମ୍ଭାରପଡ଼ା ଥାନା ପୁଲିସ୍ ୩ ଜଣ ବ୍ରାଉନ୍ ସୁଗର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବଳଗଣ୍ଡି ଛକର ରଞ୍ଜିତ ମହାନ୍ତି ଓରଫ ମିଲନ୍, ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାସାହିର ରାଜେନ୍ଦ୍ର ବାରିକ ଓରଫ ଟୁନା ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ସରୋଜ ସିଂହ ଓରଫ ରାଉଳ । ଏମାନଙ୍କଠାରୁ ପୁଲିସ୍ ୪୦.୫ ଗ୍ରାମ ବ୍ରାଉନ୍ ସୁଗର, ୩ଟି ମୋବାଇଲ୍ ଓ ଗୋଟିଏ ସ୍କୁଟି ଜବତ କରିଛି ।
ସୂଚନାନୁଯାୟୀ ଉପରୋକ୍ତ ବ୍ୟବସାୟୀମାନେ ବ୍ରାଉନ୍ ସୁଗର ଆଣି ନରେନ୍ଦ୍ରକୋଣ ବସ୍ତି ଅଞ୍ଚଳରେ ବିକ୍ରି କରୁଛନ୍ତି । ଏନେଇ ମାତୃଶକ୍ତି ପକ୍ଷରୁ ପୁଲିସ୍କୁ ଅବଗତ କରିବା ପରେ ଗୁରୁବାର ବସ୍ତିକୁ ନିଶା ନେଇ ଆସୁଥିବା ବେଳେ ପୁଲିସ ଜଟିଆ ବାବାଜୀ ଛକଠାରେ ସ୍କୁଟିକୁ ଅଟକାଇ ବ୍ରାଉନ୍ ସୁଗର ଜବତ କରିଥିଲା ।