ଓୟୁଏଟିର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, ୨ା୨(ବୁ୍ୟରୋ): ଫାଇଭ-ଟିରେ ଖୁବ୍ ଶୀଘ୍ର ସାମିଲ ହେବ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ । ଏଥିନିମନ୍ତେ ୭୨୬ କୋଟି ଟଙ୍କା ବ୍ୟୟରେ ତିନୋଟି ମେଗା ପ୍ରକଳ୍ପ କାମ ଜାରି ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୬୦ କୋଟି ଟଙ୍କା ବ୍ୟୟରେ ଚାଷୀଙ୍କୁ ପାଇଁ ନିର୍ମାଣ ହେଉଛି ରାଜ୍ୟର ସବୁଠାରୁ ବଡ ଅଡିଟୋରିୟମ୍ । ସେହିପରି ଚାଷୀଙ୍କ ପାଇଁ ୨୦୦ ଶଯ୍ୟାବିଶିଷ୍ଟ ହଷ୍ଟେଲ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିସହିତ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
ଗୁରୁବାର ସନ୍ଧ୍ୟାରେ ପ୍ରଥମେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ନିର୍ମାଣାଧିନ ଷ୍ଟେଟ୍ ଅଫ୍ ଦ ଆର୍ଟ ଅଡିଟୋରିୟମ୍ କାମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିୟମ୍ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଥିଲା । ଏହି ଅତ୍ୟାଧୁନିକ ଅଡିଟୋରିୟମ୍ ଦେଶର ସର୍ବବୃହତ ଅଡିଟୋରିୟମ୍ ହେବ । କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,କର୍ମଶାଳା ଓ କନଫରେନ୍ସର ଆୟୋଜନ କରାଯାଇପାରିବ । ଓୟୁଏଟିର ସବୁ କ୍ଲାସ୍ ରୁମ୍କୁ ସ୍ମାର୍ଟ କ୍ଲାସ୍ ରୂପେ କରାଯିବ । କୃଷି ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ସୂଚନାଯୋଗ୍ୟ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଉଭୟ ହେଉଛନ୍ତି କୃଷି ବିଜ୍ଞାନର ଛାତ୍ର ।
ଏହାପରେ ସେ ଚାଷୀଙ୍କ ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ନବୀକରଣ କାମ ବୁଲି ଦେଖିଥିଲେ । କୃଷି ସମ୍ପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ବୋଲି ସମୀକ୍ଷାର ଜଣାପଡିଛି । ସେହିପରି କୃଷି ବିଶ୍ୱବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲିଦେଖିବା ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀ ନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଭଲ ହୋଇଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ । ଛାତ୍ରୀ ନିବାସରେ ବ୍ୟାଡମିଣ୍ଟନ କୋର୍ଟ ଓ ଜିମ୍ ସୁବିଧର ବିକାଶ ପାଇଁ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ କୃଷି ସଚିବ ଅରବିନ୍ଦ ପାଢୀ, ପୂର୍ତ୍ତ ସଚିବ ଭିଭିକେ ଯାଦବ, ଓବିସିସିର ପରିଚାଳନା ନିଦେ୍ର୍ଦଶକ ଏବଂ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।