ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ

ତ୍ରିରାଷ୍ଟ୍ରୀୟ ମହିଳା ଟି-୨ଠ
ଇଷ୍ଟ ଲଣ୍ଡନ, ୨ା୨ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ମହିଳା ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଗୁରୁବାର ଖେଳାଯାଇଥିବା ଫାଇନାଲ୍ରେ ଭାରତ ଆୟୋଜକ ଟିମ୍ ଠାରୁ ୫ ୱିକେଟ୍ରେ ପରାସ୍ତ ହୋଇଛି । ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ଚ୍ଲୋ ଟ୍ରାଇଅନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ଭାରତୀୟ ଅଲ୍ରାଉଣ୍ଡର୍ ଦୀପ୍ତି ଶର୍ମା ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲା ।
ସ୍ମୃତି ମାନ୍ଧାନା ଖାତା ଖୋଲି ନ ପାରି ନନ୍କୁଲୁଲେକୋ ମ୍ଲାବାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଜେମିମା ରୋଡ୍ରିଗୁଏସ୍ (୧୧) ମଧ୍ୟ ବଡ଼ ଇନିଂସ୍ ଖେଳିପାରି ନ ଥିଲେ । ତାଙ୍କ ୱିକେଟ୍ ମଧ୍ୟ ମ୍ଲାବାଙ୍କ ଖାତାକୁ ଯାଇଥିଲା ।
୨୧ ରନ୍ରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିବା ପରେ ହରଲୀନ୍ ଦେଓଲ ଓ ଅଧିନାୟକ ହରମନପ୍ରୀତ ଇନିଂସ୍ ସମ୍ଭାଳିଥିଲେ । ତୃତୀୟ ୱିକେଟ୍ ପାଇଁ ୪୮ ରନ୍ର ଭାଗୀଦାରୀ ହୋଇଥିଲା । ଧୀମା ରନ୍ରେଟ୍ ସମସ୍ୟା ଅବ୍ୟାହତ ରହିଥିଲା । ହରମନପ୍ରୀତ ୨୧ ରନ୍ କରି ସୁନେ ଲୁସ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ସେତେବେଳକୁ ୧୫ ଓଭର୍ରେ ଟିମ୍ର ସ୍କୋର୍ ହୋଇଥିଲା ୬୯/୩ । ଏହାପରେ ହରଲୀନ ନୂଆ ବ୍ୟାଟର୍ ଦୀପ୍ତିଙ୍କ ସହ ମିଶି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ଶେଷ ଓଭର୍ରେ ହରଲୀନ ୪୬ (୫୬ ବଲ୍ରୁ ୪ ଚୌକା ସହାୟତାରେ) ରନ୍ରେ ଅୟାବୋଙ୍ଗା ଖାକାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦୀପ୍ତି ୧୬ ଓ ପୂଜା ବସ୍ତ୍ରାକାର ୧ ରନ୍ କରି ଅପରାଜିତ ଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକୀୟ ଟିମ୍ ୧୮ ଓଭର୍ରେ ୫ ୱିକେଟ୍ ହରାଇ ୧୧୩ ରନ୍ କରି ବିଜୟୀ ହୋଇଥିଲା । ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୧ ରନ୍ରେ ୩ ୱିକେଟ୍ ପଡ଼ିଥିଲା । ଓପନର୍ ଲୌରା ଉଲ୍ଭାର୍ଟ ଖାତା ଖୋଲି ନ ପାରି ଦୀପ୍ତିଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ ତାଜମିନ୍ ବ୍ରିଟ୍ସ ୮ ରନ୍ କରି ସ୍ନେହ ରାଣାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତିନି ନମ୍ବର ବ୍ୟାଟର୍ ଲାରା ଗୁଡାଲ୍ ୭ ରନ୍ କରି ରାଜେଶ୍ୱରୀ ଗାଏକୱାର୍ଡଙ୍କ ଶିକାର ହୋଇଥିଲେ ।
ଏହାପରେ ଚ୍ଲୋ ଟିମ୍ର ମଙ୍ଗ ଧରିଥିଲେ । ସେ ଅଧିନାୟକ ସୁନେ ଲୁସ୍ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୨୬, ଆନ୍ନି ଡେରକ୍ସେନ୍ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୧୯ ଓ ନାଦିନେ ଡି କ୍ଲର୍କଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୪୭ ରନ୍ର ଭାଗୀଦାରୀ କରିଥିଲେ । ଲୁସ୍ (୧୨)ଙ୍କୁ ରେଣୁକା ସିଂହ ଓ ଡେରକ୍ସେନ୍ (୮)ଙ୍କୁ ସ୍ନେହ ଆଉଟ୍ କରିଥିଲେ । ଚ୍ଲୋ ୩୨ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୭ ଏବଂ ନାଦିନେ ୧୭ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *