ଭୟାବହ ଆକ୍ରମଣ କରିବ ମସ୍କୋ!
ରୁଷ-ୟୁକ୍ରେନ୍ ଯୁଦ୍ଧ ବର୍ଷପୂର୍ତ୍ତି: ୨୪ ଫେବ୍ରୁଆରୀକୁ ନେଇ ଚିନ୍ତା
କିଭ୍/ମସ୍କୋ (ଏଜେନ୍ସି): ଆଗାମୀ କିଛି ଦିନ ମଧ୍ୟରେ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହୋଇଯିବ । ତେବେ ଯୁଦ୍ଧର ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣକୁ ଭୟାବହ କରିପାରେ ବୋଲି ୟୁକ୍ରେନ୍ ଆଶଙ୍କା କରୁଛି । ଏସମ୍ପର୍କରେ ସୂଚନା ଦେଇ ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି, ରୁଷ୍, ନିଶ୍ଚିତ ଭାବେ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି । ଏନେଇ ତାଙ୍କୁ ଗୁଇନ୍ଦା ତଥ୍ୟ ମିଳିଥିବା ସେ ଦାବି କରିଛନ୍ତି ।
ରେଜନିକୋଭ କହିଛନ୍ତି, ରୁଷ୍ ପକ୍ଷରୁ ପୁୂଣିଥରେ ଭୟାବହ ଆକ୍ରମଣ ଖୁବ୍ଶୀଘ୍ର ଆରମ୍ଭ ହେବ । ତେବେ ଏହି ଆକ୍ରମଣ ଫେବ୍ରୁଆରୀ ୨୪ କିମ୍ବା ଏହାର ପାଖାପାଖି କୌଣସି ତାରିଖରେ ହୋଇପାରେ । ଫେବ୍ରୁଆରୀ ୨୪ରେ ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଯୁଦ୍ଧର ପ୍ରଥମ ବାର୍ଷିକୀରେ ରୁଷ୍, ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏତଦ୍ବ୍ୟତୀତ ୨୩ ଫେବ୍ରୁଆରୀରେ ରୁଷ୍, ନିଜ ସାମରିକ ଦିବସ ପାଳନ କରିଆସୁଥିବା ବେଳେ ଏହି ଦିନ ମଧ୍ୟ ୟୁକ୍ରେନ ଉପରେ ଏକ ଶକ୍ତିଶାଳୀ ଆକ୍ରମଣ ହେବାର ଆଶଙ୍କା ରହିଥିବା ରେଜନିକୋଭ୍ କହିଛନ୍ତି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁସାରେ ରୁଷ୍ , ୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର କରିବା ଉଦେ୍ଦଶ୍ୟରେ ପ୍ରାୟ ୫ ଲକ୍ଷ ସୈନିକଙ୍କ ଏକ ବଡ ଗ୍ରୁପ୍ ପ୍ରସ୍ତୁତ କରୁଛି । ଏମାନଙ୍କୁ ୟୁକ୍ରେନ୍ ପଠାଇବା ପୂର୍ବକ ଯୁଦ୍ଧକୁ ବ୍ୟାପକ କରିବାକୁ ରୁଷ୍ ଯୋଜନା କରିଛି । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ରେଜନିକୋଭ୍ଙ୍କ ବ୍ୟତୀତ ୟୁକ୍ରେନ୍ର ଇନଷ୍ଟିଚୁ୍ୟଟ୍ ଷ୍ଟଡି ଅଫ ୱାର୍ ଦାବି କରିଛି ଯେ ରୁଷ୍ ୟୁକ୍ରେନର ପୂର୍ବ ଭାଗରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ ।
ପ୍ରକାଶ, ୟୁକ୍ରେନ୍ ଏବେ ୟୁରୋପୀୟ ରାଷ୍ଟ୍ରଙ୍କ ପାଖରୁ ସହାୟତା ଯୋଗାଡ କରିବାରେ ଲାଗିଛି । ରେଜନିକୋଭ୍ ନିଜେ ଏମ୍ଜି-୨ଠଠ ବାୟୁ ପ୍ରତିରକ୍ଷା ରାଡାର କ୍ରୟ ପାଇଁ ଫ୍ରାନ୍ସ ଗସ୍ତରେ ଅଛନ୍ତି । ନିକଟରେ ୟୁକ୍ରେନକୁ ଏକାଧିକ ୟୁରୋପୀୟ ଦେଶରୁ ଯୁଦ୍ଧ ବିମାନ ମିଳିବା ନେଇ ପ୍ରତିଶ୍ରୁତି ମଧ୍ୟ ମିଳିଛି । ଏତଦ୍ବ୍ୟତୀତ ଜର୍ମାନୀ, ଆମେରିକା ଏବଂ ବ୍ରିଟେନ୍ ୟୁକ୍ରେନକୁ ଶକ୍ତିଶାଳୀ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିସାରିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ରୁଷ୍ ସେନା ଏବଂ ୟୁକ୍ରେନ ସେନା ମଧ୍ୟରେ ଡୋନ୍ବାସରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଆଗାମୀ ଦିନରେ ଏହି ଯୁଦ୍ଧ ଅଧିକ ଗମ୍ଭୀର ହୋଇପାରେ ।